ସରକାରଙ୍କ ଉପରେ ବର୍ଷିଲେ ବସନ୍ତ

ସ୍ବଚ୍ଛ ଭାରତ, ସୌଭାଗ୍ୟ ଯୋଜନା ଦୁର୍ନୀତିର ତଦନ୍ତ ନହେଲେ ଆଇନର ଆଶ୍ରୟ ନେବୁ

ନବରଙ୍ଗପୁର: ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନବରଙ୍ଗପୁର ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ରାଜ୍ୟରେ ଦୁର୍ନୀତି ବଢ଼ି ଚାଲିଛି। ଚାଷୀ ଆତ୍ମହତ୍ୟା, ବେରୋଜଗାରି, ନାରୀ ନିର୍ଯାତନ ଆଦି ବଢ଼ି ଚାଲିଛି। ବିଜେଡି ସରକାର କରିଥିବା କୌଣସି ହେଲେ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ। ସବୁ ଯୋଜନାରେ ସରକାରୀ ଅର୍ଥକୁ ଆତ୍ମସାତ କରାଯାଉଛି। ଅନେକ ସମ୍ଭାବନା ସତ୍ତ୍ବେ ରାଜ୍ୟ ପଛୁଆ ହୋଇ ରହିଛି। ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନକରିବା ଦ୍ବାରା ଗରିବ ରୋଗୀ ସ୍ବାସ୍ଥ୍ୟ ସେବା ନପାଇ ମୃତ୍ୟୁ ବରଣ କରୁଛନ୍ତି। ସରକାର ଯେଉଁ ଯୋଜନା ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଛନ୍ତି ସେହି ଯୋଜନା କେବଳ କାଗଜ ପତ୍ର ମଧ୍ୟରେ ସୀମିତ। ଯଦି ଲକ୍ଷ ଲକ୍ଷ ଲୋକେ ଘର ପାଇଛନ୍ତି ତେବେ ତାର ତାଲିକା ରାଜ୍ୟ ସରକାର ପ୍ରକାଶ କରନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଥିଲେ। ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ପଦଯାତ୍ରା ମାଧ୍ୟମରେ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ। ଲୋକଙ୍କ ମତକୁ ସଂଗ୍ରହ କରିବ। ଦିନକୁ ୧୦ କିମି ପଦଯାତ୍ରା କରାଯିବ। ଗୋଟିଏ ମଣ୍ଡଳରେ ୧୫୦ କିମି ପଦଯାତ୍ରା ହେବ। ଗୋଟିଏ ମଣ୍ଡଳୀର ୧୦୦ଟି ଗାଁ, ୪୦ଟି ବୁଥରେ ପହଞ୍ଚି ଲୋକଙ୍କୁ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କରାଯିବ। ଲୋକଙ୍କ ମତକୁ ନେଇ ଆଗାମୀ ନିର୍ବାଚନରେ ବିଜେପି ଇସ୍ତାହାର ଦେବ। ଏହି ପଦଯାତ୍ରା ଦ୍ବାରା ମିଶନ ୧୨୦ ସଫଳ ହେବ। ଏହି ପଦଯାତ୍ରା ମାଧ୍ୟମରେ ନେତା ଓ କର୍ମୀ ଲୋକଙ୍କ ନିକଟତର ହୋଇପାରିବ। ଲୋକଙ୍କ ସୁଖ ଓ ଦୁଃଖର ଭାଗୀଦାର ହୋଇପାରିବ। ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା ଯୋଗ୍ୟତା ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ। ସେହିପରି ଲୋକଙ୍କ ମତକୁ ନେଇ ବିଜେପି ସଂସଦୀୟ ବୋର୍ଡ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଶ୍ରୀ ପଣ୍ଡା ଏଠାରେ କହିଛନ୍ତି।
ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ଓ ସୌଭାଗ୍ୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ରାଜ୍ୟପାଳ ଓ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଯଦି ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହାଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆଇନର ଆଶ୍ରୟ ନିଆଯିବ ବୋଲି ସେ କହିଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କେନ୍ଦ୍ର ସରକାର ଯଥେଷ୍ଟ ପରିମାଣର ଅର୍ଥ ଯୋଗାଇଥିଲେ ମଧ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି କି ଯୋଜନା କାର୍ଯ୍ୟକାରୀରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ ସାମିଲ କରୁନାହାନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବସନ୍ତ କହିଥିଲେ। ନବରଙ୍ଗପୁର ଜିଲ୍ଲା ବିଜେପି ନେତାଙ୍କ ସହ ବିଜେଡିର ସଂପର୍କୀକୁ ସେ ଖଣ୍ଡନ କରି କର୍ମୀ ଓ ନେତାଙ୍କ ଉପରେ ଯଥେଷ୍ଟ ଭରସା ରହିଛି।

ତଥାପି ଯଦି ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିତ୍ୟା ଗଣ୍ଡ, ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାସ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରମେଶ ସାହୁ, ସତ୍ୟବାଦି ଷଡଙ୍ଗି, ମନୋଜ ମହାଙ୍କୁଡ, ସୁବ୍ରତ ମିଶ୍ର, ମନୋରମା ନାୟକ, ଭୀମସେନ ଜେନା, ଅରୁଣ ପୂଜାରୀ, ସଂଜୀବ ନନ୍ଦ, ଜଗଦୀଶ ବିଷୋୟୀ, ଜୟନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର