ଛତୁ ସଂଗ୍ରହ କରିବାକୁ ଯାଇଥିବାବେଳେ ଭାଲୁ କାମୁଡାରେ ବୃଦ୍ଧ ମୃତ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ କଙ୍ଗରା ଗ୍ରାମପଂଚାୟତ ଅନ୍ତର୍ଗତ ଯାନୀଗୁଡା ଗ୍ରାମରେ ଭାଲୁ କାମୁଡାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ବୃଦ୍ଧ ଜଣଙ୍କ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ | ସୂଚନା ଅନୁଯାୟୀ ଯାନୀ ଗୁଡା ଗ୍ରାମର ଡମୁ ଭତରା (୬୦) ଗତକାଲି ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲେ | ତେବେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବୃଦ୍ଧ ଜଣଙ୍କ ଘରକୁ ଆଉ ଫେରିନଥିଲେ | କାଲି ଦିନ ତମାମ ବର୍ଷା ଲାଗି ରହିଥିବାରୁ ଘର ଲୋକ ମଧ୍ୟ ଅଧିକ ଖୋଜାଖୋଜି ନକରି କାହା ଘରେ ଆଶ୍ରୟ ନେଇଥିବ ଭାବି ରହିଥିଲେ |

ତେବେ ଆଜି ସକାଳୁ ନିକଟସ୍ଥ ଜଙ୍ଗଲରେ ବୃଦ୍ଧ ଜଣଙ୍କ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକେ ପହଂଚିଥିଲେ | ବୃଦ୍ଧଙ୍କ ଶରୀରର ଅନେକ ଅଂଶ ଖଣ୍ଡିଆଖାବରା ହେବା ସହ କିଛି ଅଂଶ ଭାଲୁ ଖାଇ ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | ତେବେ ସଙ୍କଟାପନ୍ନ ଅବସ୍ଥାରେ ଥିବା ବୃଦ୍ଧଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ | ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନମ୍ବର ୧୭/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି |

ଏ.ଏସ.ଆଇ କୁବେର ଦିଗାଲ କେଶର ତଦନ୍ତ କରୁଥିବା ବେଳେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି | ଡ଼ମୁ ଭତରା ନିହାତି ଗରିବ ପରିବାର ହୋଇଥିବା ଯୋଗୁଁ ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର