ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାରେଞ୍ଜ ଅଧୀନ ବରଗାଁ ଠାରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗ୍ରାମ ଭିତରକୁ ଆସି ଉପଦ୍ରବ କରିବା ସହ ଗ୍ରାମର ଘରଗୁଡ଼ିକ ଭିତରକୁ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା। ଏହାକୁ ନେଇ ଗ୍ରାମବାସୀ ବେଶ ଭୟଭୀତ ହେବାସହ ଆତଙ୍କିତ ହୋଇରହୁଥିଲେ। ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ପକ୍ଷରୁ ସେହି ଭାଲୁକୁ ଧରିବାରେ ସକ୍ଷମ ହୋଇଛନ୍ତି। ଭାଲୁ ସେହି ଗାଁଜଙ୍ଗଲ ନିକଟରେ ଥିବା ଏକ ନିର୍ମାଣାଧୀନ ଘର ଭିତରେ ପଶି ରହିଥିବା ଖବର ପାଇବା ପରେ ବନ ବିଭାଗ ଘରକୁ ସବୁ ଆଡୁ ବନ୍ଦ କରିବା ସହ ଯନ୍ତା ବସେଇ ଭାଲୁଟିକୁ ଧରିଥିଲା।

Advertisment

ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଟିମ ସହ ଜଙ୍ଗଲୀ ଜନ୍ତୁ ଉଦ୍ଧାରକାରୀ ଦଳ ସେହିଗାଁରେ ନିୟୋଜିତ ହୋଇଥିଲେ ଓ ଭାଲୁଟିକୁ ଧରିବାରେ ସକ୍ଷମ ହୋଇଥିଲେ। ଭାଲୁ ଏକ ଅଜଣା ସ୍ଥାନରେ ରଖାଯିବା ସହିତ ଭାଲୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଭାଲୁଟି ସୁସ୍ଥ ହେବା ପରେ ତାକୁ ଏକ ଅଜଣା ସ୍ଥାନରେ ଛଡ଼ାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।