ଝରିଗାଁ (ରମେଶ ପଟ୍ଟନାୟକ): ୧୭ ବର୍ଷ ତଳେ ସୁସ୍ଥ ଥିବା ଜଣେ ମହିଳା ହଠାତ ଅସୁସ୍ଥ ହୋଇ ବର୍ତ୍ତମାନ ଏକ ପ୍ରକାର ଶଯ୍ୟାଶାୟୀ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ବେଳେ ଆଧାରକାର୍ଡ ନଥିବା ଯୋଗୁଁ ସରକାରୀ ଯୋଜନାରୁ ସମ୍ପୂର୍ଣ୍ଣ ବଞ୍ଚିତ। ଏଭଳି ଘଟଣା ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡ଼ା ଗ୍ରାମରେ ଦେଖିବାକୁ ମିଳିଛି।
ତେନ୍ତୁଳିପଡ଼ା ଗ୍ରାମର ଗଙ୍ଗା ସାନ୍ତାଙ୍କ ସ୍ତ୍ରୀ ବୁଦେଇ ସାନ୍ତା(୫୦)ଙ୍କୁ ୧୭ ବର୍ଷ ତଳେ ହଠାତ ଗୋଡ଼ ଓ ହାତ ସହ ବେକରେ ପ୍ରବଳ ବ୍ୟଥା ଆରମ୍ଭ ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଦୁଇ ବର୍ଷ ପରେ ଗର୍ଭବତୀ ଅବସ୍ଥାରେ ଥିବା ବେଳେ ଗୋଡ଼, ହାତ ସହ ମୁହଁ ଫୁଲି ଯାଇଥିଲା। କୌଣସି ପ୍ରକାରେ ଘରେ ବୁଦେଇ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପ୍ରସୂତୀ ହେବାର କିଛି ମାସ ପରେ ପୁଣି ଥରେ ବୁଦେଇ ଅସୁସ୍ଥ ହୋଇ ଯାଇଥିଲେ। ଗୋଡ଼ ହାତ ବିନ୍ଧିବା ସହ ବେକରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକ ଧାର ଉଧାର କରି ପ୍ରଥମେ ଝରିଗାଁ ଏବଂ ପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
କିଛି ମାସା ବ୍ୟବଧାନ ପରେ ପୁଣି ଥରେ ସମାନ ଭାବେ ଅସୁସ୍ଥ ହୋଇ ଯାଇଥିଲେ। ବୁଦେଇ ସାନ୍ତାଙ୍କ ସ୍ୱାମୀ ଗଙ୍ଗା ଗ୍ରାମରେ ଗାଇ ଚୋରାଇ ପରିବାର ଚଲେଇବା କଷ୍ଟ ହେଉଥିବା ବେଳେ ସ୍ତ୍ରୀ ବୁଦାଇଙ୍କ ଚିକିତ୍ସା କରିବା ପାଇଁ ସାହସ ଜୁଟାଇ ପାରିନଥିଲେ। ଆର୍ଥିକ ଅଭାବ ଯୋଗୁଁ ଶେଷରେ ଚେରମୂଲି ଔଷଧ ଉପରେ ନିର୍ଭର କରିଥିଲେ। ବର୍ତ୍ତମାନ ବୁଦାଇଙ୍କ ଗୋଡ଼ ହାତ ବେକ ସହ ମେରୁଦଣ୍ଡ ବଙ୍କା ହୋଇ ଯାଇଥିବା ପରିବାର ଲୋକ କହିଛନ୍ତି। ବର୍ତ୍ତମାନ ପ୍ରାୟ ୧୫ ବର୍ଷ ହେବ ବୁଦେଇ ଠିକ ଚଳାବୁଲା କରି ପାରୁନଥିବା ବେଳେ ନିତ୍ୟକର୍ମ ପାଇଁ ଦୁଇ ଝିଅ ଉପରେ ନିର୍ଭର କରୁଛନ୍ତି। ବର୍ତ୍ତମାନ ୧୫ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଘରେ ପଡିଛନ୍ତି।
ଅନ୍ୟପକ୍ଷେ ବୁଦେଇ ଚଳାବୁଲା କରିପାରୁନଥିବା ବେଳେ ପରିବାର ଲୋକ ବହୁ କଷ୍ଟରେ ବିଭିନ୍ନ ଜନ ସେବା କେନ୍ଦ୍ରରେ ଆଧାର କାର୍ଡ କରିବା ପାଇଁ ନେଇ ଥିଲେ।କିନ୍ତୁ ଆଧାରକାର୍ଡ ହୋଇ ପାରିନଥିଲା। ଆଧାରକାର୍ଡ ନଥିବା ଯୋଗୁଁ ବର୍ତ୍ତମାନ ସରକାରଙ୍କ ସମସ୍ତ ଯୋଜନା ଓ ସହାୟତାରୁ ବୁଦେଇ ବାଦ ପଡ଼ିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ: Ishaan is dating Aditi: ଅଦିତିଙ୍କୁ ଡେଟ୍ କରୁଛନ୍ତି ଈଶାନ କିଶନ
ପ୍ରକାଶ ଯେ ପରିବାରରେ ୭ ଜଣ ସଦସ୍ୟ ଥିବା ବେଳେ ବଡ଼ ଦୁଇ ଝିଅ ବିବାହ ହୋଇଛନ୍ତି। ଅନ୍ୟ ଦୁଇ ଝିଅ ରମିତା ଏବଂ ସାମିତା ମାଆଙ୍କ ସେବା କରିବା ପାଇଁ ଅଧାରୁ ପାଠ ଛାଡି ଘରେ ରହୁଥିବା ବେଳେ ଏକ ମାତ୍ର ପୁଅ ସୁରେନ୍ଦ୍ର ସାନ୍ତା ଦଶମ ଶ୍ରେଣୀ ପାସ ହେବା ପରେ ଘରର ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ପାଞ୍ଚ ବର୍ଷ ହେଲା ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରି ଘରକୁ ଟଙ୍କା ପଠାଉ ଥିବା ଗ୍ରାମବାସୀ କହିଛନ୍ତି।ଦୁଇ ଝିଅଙ୍କ ମଧ୍ୟ ଆଧାରକାର୍ଡ ନଥିବା ଯୋଗୁଁ ପ୍ରଶାସନ ପକ୍ଷରୁ କେବଳ ଗଙ୍ଗା ଏବଂ ପୁଅକୁ ୧୦ କିଲୋ ଚାଉଳ ମିଳୁଥିବା ଜଣାପଡ଼ିଛି।ଏଭଳି ଦୟନୀୟ ଅବସ୍ଥାରେ ରହୁଥିବା ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ଆଧାର କାର୍ଡ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/18/whatsapp-image-2026-02-18-16-42-53.jpeg)