ଉମରକୋଟ : ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଛତିଶଗଡ ପୁଲିସ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଜଣେ ଭଣ୍ଡ ତାନ୍ତ୍ରିକ ବାବାଙ୍କୁ ଗିରଫ କରିଛି। ଏହି ଘଟଣା ସମଗ୍ର ସହରରେ ଚର୍ଚାର ବିଷୟ ପାଲଟିଛି।

Advertisment

ଛତିଶଗଡର କଣ୍ଡାଗାଁ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉମରକୋଟ ସହରର ପୁରୁଣା ଥାନା ନିକଟରେ ରହୁଥିବା ମୌଲାନା ରିଜୱାନ ଅସରଫ ନିଜକୁ ତାନ୍ତ୍ରିକ ପରିଚୟ ଦେଇ ତନ୍ତ୍ରମନ୍ତ୍ର କରି ଲୋକଙ୍କୁ ଠକି ଆସୁଥିଲା। ଏପରିକି ପଡୋଶୀ ଛତିଶଗଡ ରାଜ୍ୟକୁ ଯାଇ ମଧ୍ୟ ଲୋକଙ୍କୁ ଠକୁଥିଲା। ତନ୍ତ୍ରମନ୍ତ୍ର ଦ୍ବାରା ରିଜୱାନ ଅସୁସ୍ଥ ମଣିଷକୁ ସୁସ୍ଥ କରୁଥିବା କହୁଥିବାରୁ ଛତିଶଗଡ କଣ୍ଡାଗାଁ ଗ୍ରାମର ଜଣେ ବ୍ୟକ୍ତି ନିଜ ଜ୍ବାଇଁଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ୩ମାସ ତ‌େଳ ତାଙ୍କ ନିକଟକୁ ଆସିଥିଲେ। ତନ୍ତ୍ରମନ୍ତ୍ର ଦ୍ବାରା ତୁମ ଜ୍ବାଇଁଙ୍କ ଘରକୁ ବନ୍ଧନ କରିଦେବା ପରେ ତାଙ୍କ ସ୍ବାସ୍ଥ୍ୟ ଭଲ ହୋଇଯିବ ବୋଲି ରିଜୱାନ ବ୍ୟକ୍ତି ଜଣଙ୍କୁ କହିଥ‌ିଲା। ପରେ କଣ୍ଡାଗାଁକୁ ଯାଇ କିଛି ପୂଜାପାଠ କରି ଆସିଥିଲା। ଏହାର କିଛି ଦିନ ପରେ ରିଜୱାନ ଅସୁସ୍ଥ ବ୍ୟକ୍ତିଙ୍କ ଘରକୁ ବନ୍ଧନ ଖୋଲିବାକୁ ଯାଇଥିଲା। ତେବେ ଏହି ସମୟରେ ଅସୁସ୍ଥ ବ୍ୟକ୍ତିଙ୍କ ପତ୍ନୀ ଘରେ ଏକୁଟିଆ ଥିବା ଦେଖି ରିଜୱାନ ତାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣକ କୌଣସି ପ୍ରକାରେ ରିଜୱାନଙ୍କ କବଳରୁ ଖସି ପଡୋଶୀ ଘରକୁ ଚାଲି ଯାଇଥିଲେ। କିଛି ସମୟ ପରେ ମହିଳା ଜଣକୁ ଘରକୁ ଫେରିବା ପରେ ଏହି କଥା କାହାରିକୁ କହିଲେ ତନ୍ତ୍ରମନ୍ତ୍ର ବିଦ୍ୟା ଦ୍ବାରା ମାରିଦେବାକୁ ରିଜୱାନ ଧମକ ଦେଇଥିଲା। ଭୟରେ ରହିଥିବା ମହିଳା ଜଣକ ଦୀର୍ଘ ୩ମାସ ଧରି ଏସଂପର୍କରେ କାହାରିକୁ କହି ପାରିନଥିଲେ। କିନ୍ତୁ ଗତ କିଛି ଦିନ ତଳେ ମହିଳା ଜଣକ ଏନେଇ କଣ୍ଡାଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। କଣ୍ଡାଗାଁ ଥାନା ଅଧିକାରୀ ହଂସରାଜ ଗୌତମଙ୍କ ନେତୃତ୍ବରେ ଏକ ଟିମ୍ ଆଜି ଉମରକୋଟରେ ପହଞ୍ଚି ଭଣ୍ଡ ବାବା ମୌଲାନା ରିଜୱାନ ଅସରଫଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥି‌ଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜଦଲପୁର ଜେଲ୍‌କୁ ପଠାଇ ଦିଆଯାଇଛିି।