ନବରଙ୍ଗପୁର ୬ ମାସର ଶିଶୁ ପୁତ୍ରକୁ ୨୫ଟି ଚେଙ୍କ

ନବରଙ୍ଗପୁର: ଆଦିବାସୀ ଅଧ୍ୟ୍ୟୁଷିତ ନବରଙ୍ଗପୁର ଜିଲ୍ଳାରେ ଦେଶ ସ୍ୱାଧୀନତା ଲାଭ କରିବାର ୭୦ ବର୍ଷ ପରେ ବି ଅନ୍ଧବିଶ୍ୱାସ ଯାଇନାହିଁ। ଛଅ ମାସ ଜଣେ ଶିଶୁ ପୁତ୍ରକୁ ଜ୍ୱର ଭଲ ପାଇଁ ୨୫ ଗୋଟି ଚେଙ୍କ ଦିଆଯାଇଛି। ଏହା ପୁଣି ପରିବାର ଲୋକଙ୍କ ଦ୍ୱାରା। ନବରଙ୍ଗପୁର ଜିଲ୍ଳା ରେ ଶିଶୁ ମାନଙ୍କ ରୋଗର ନିରାକରଣ ପାଇଁ ଚେଙ୍କ ଦେବା ବ୍ୟବସ୍ଥା ପୂର୍ବରୁ ପ୍ରଚଳିତ ରହି ଆସିଛି। ୨ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ପରେ ଚେଙ୍କ ନିୟନ୍ତ୍ରଣ ହୋଇପାରିଥିଲା। ତେବେ ପୁଣି ଶିଶୁର ରୋଗ ଭଲ ହେବା ପାଇଁ ଚେଙ୍କ ଦେଇଥିବାର ନଜରକୁ ଆସିଛି।

ପାପଡାହାଣ୍ଡି ବ୍ଲକର ଡଙ୍ଗରା ପଞ୍ଚାୟତର ଖୁଟିଗୁଡା ଗାଁରେ ରବିବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଖୁଟିଗୁଡା ଗାଁର ନକୁଳ ଭତରା ଓ ସ୍ତ୍ରୀ ଜାନକା ଭତରାଙ୍କ ୩ ଗୋଟି ସନ୍ତାନ ମଧ୍ୟରୁ ସବୁଠାରୁ ସାନ ଶିଶୁ ପୁତ୍ର ନନ୍ଦ ଭତ୍ରା(୬ମାସ)। ଶିଶୁ ପୁତ୍ର ନନ୍ଦକୁ ଗତ ୮ ଦିନ ହେଲା ଜ୍ୱର ହୋଇଥିଲା। ଜ୍ୱର ଦିନକୁ ଦିନ ବଢ଼ିଚାଲିଲା। ଶିଶୁ ପୁତ୍ର ମୁଣ୍ଡ ବି ଉଠାଇପାରିଲା ନାହିଁ। ପୁରାତନ ପ୍ରଥା ଅନୁଯାୟୀ ଗତ ୫ ଦିନ ପୂର୍ବେ ଲାଲ ଚୁଡିକୁ ନିଆଁ ରେ ତତାଇ ଶିଶୁ ପୁତ୍ରର ଗୋଡ ଓ ପେଟ ରେ ୨୫ଗୋଟି ଚେଙ୍କ ଦେଇଥିଲେ। ତଥାପି ଜ୍ୱର ଭଲ ହୋଇନଥିଲା। ଶେଷ ରେ ବାଧ୍ୟ ହୋଇ ଉଭୟ ବାପା ଓ ମା ଶିଶୁ ପୁତ୍ରକୁ ନେଇ ଆଜି ସକାଳୁ ଡାବୁଗାଁ ମେଡିକାଲକୁ ନେଇଥିଲେ। ଡାବୁଗାଁ ମେଡିକାଲ ପକ୍ଷରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଉକ୍ତ ଶିଶୁ ପୁତ୍ରକୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ।

ନବରଙ୍ଗପୁର ମେଡିକାଲରେ ଚିକିତ୍ସା ଚାଲିିଥିବା ବେଳେ ଚିକିତ୍ସା ପରେ ସଂଧ୍ୟା ସମୟ ରେ ଶିଶୁ ପୁତ୍ରର ଜ୍ୱର କମିଥିବାର ଶିଶୁ ର ମା ଜାନକା କହିଛନ୍ତି। ତେବେ ନିରକ୍ଷର ଯୋଗୁଁ ପୂର୍ବ ପ୍ରଥା ଅନୁଯାୟୀ ଏପରି ଚେଙ୍କ ଦିଆଯାଇଥିଲା। ଆଗକୁ ଆଉ କେବେ ହେଲେ ଚେଙ୍କ ଦିଆଯିବ ନାହିଁ ବୋଲି କହିଛନ୍ତ ଶିଶୁର ମା ଯାନକା ଭତରା। ସ୍ୱାସ୍ଥ୍ୟ କର୍ମୀମାନେ ଆସି କହିଛନ୍ତି ଯେ ଯଦି କୌଣସି ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦିଏ ତେବେ ଗାଁ ରେ ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କ ପରାମର୍ଶ ନିଅନ୍ତୁ ତା ପରେ କିଟକସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର