ଇନ୍ଦିରା ଆବାସକୁ ଅପେକ୍ଷା କରି ଆଖି ବୁଜିଲେ ବୃନ୍ଦାବନ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବିକ୍ରମପୁର ହାଟପଦା ସାହିର ବୃନ୍ଦାବନ ସ୍ୱାଇଁ(୭୨) ଭିନ୍ନକ୍ଷମ ପତ୍ନୀ ସାବିତ୍ରୀ (୬୫) ଓ ନାତି କୈଳାସ(୧୬)ଙ୍କୁ ନେଇ ଗୋଟିଏ ଭଙ୍ଗା ଦଦରା ଚାଳିଆ ଘରେ ରହୁଥିଲେ। ବୃନ୍ଦାବନ ସ୍ୱାଇଁ ପକ୍କା ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନ ପାଖରେ ନେହୁରା ହୋଇଥିଲେ। ହେଲେ ଇନ୍ଦିରା ଆବାସ କାର୍ଯ୍ୟାଦେଶକୁ ଅପେକ୍ଷା କରି ଶେଷରେ ୨ ଦିନ ପୂର୍ବେ ଆଖିବୁଜିଲେ ବୃନ୍ଦା। ତେବେ ତାଙ୍କ ଭିନ୍ନକ୍ଷମ ପତ୍ନୀ ସାବିତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ପକ୍କା ଘର ଖଣ୍ଡିଏ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ବୃନ୍ଦାବନ ସ୍ୱାଇଁଙ୍କ ୨ ପୁଅଙ୍କ ମଧ୍ୟରୁ ବଡପୁଅ ଉଦୟ ୧୨ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ଉଦୟଙ୍କ ୨ ପୁଅ ଓ ଗୋଟିଏ ଝିଅ ଥିଲେ।

ଉଦୟଙ୍କ ମୃତ୍ୟୁ ପରେ ପତ୍ନୀ ଗୋଟିଏ ପୁଅକୁ ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ଛାଡି ଅନ୍ୟ ଗୋଟିଏ ପୁଅ ଓ ଝିଅକୁ ନେଇ ତାଙ୍କ ବାପା ଘରକୁ ଚାଲିଯାଇଥିଲେ। ବୃନ୍ଦାବନଙ୍କ ସାନ ପୁଅ ଓ ବୋହୂ କଳାହାଣ୍ଡିରେ ଶ୍ରମିକ ଭାବେ କାମ କରି ଚଳୁଛନ୍ତି। ଅନ୍ୟପଟେ ବୃନ୍ଦାଙ୍କ ଭିନ୍ନକ୍ଷମ ପତ୍ନୀ ସାବିତ୍ରୀ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛନ୍ତି। ସାବିତ୍ରୀ ଠିକ୍‌ ଭାବେ ଶୁଣିପାରୁନାହାନ୍ତି କି ଅଣ୍ଟା ସଳଖି ପାରୁନାହାନ୍ତି। ମାସିକ ଭତ୍ତା ଏବଂ ରାସନକାର୍ଡ ଚାଉଳରେ ଏମାନେ ଚଳୁଥିଲେ। ଗତ ୪ ମାସ ପୂର୍ବେ ଉଭୟ ବିଡିଓ ଓ ତହସିଲଦାର ବୃନ୍ଦାବନଙ୍କ ଦୟନୀୟ ଅବସ୍ଥା ଦେଖି ତୁରନ୍ତ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତିକୁ ୪ ମାସ ବିତିଲାଣି ତଥାପି ପକ୍କା ଘର ମିଳିପାରିନାହିଁ। ଏ ସଂକ୍ରାନ୍ତରେ ବିଡିଓ ଗୁଣନିଧି ନାୟକଙ୍କ ସହ ଯୋଗାଯୋଗ କରିବାରୁ ବୃନ୍ଦାବନଙ୍କୁ ସ୍ୱତନ୍ତ୍ର ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଇଛି। ଏ ସଂକ୍ରାନ୍ତରେ ଏକ ତାଲିକା ଜିଲ୍ଲା କାର୍ଯ୍ୟାଳୟକୁ ପଠାଯାଇଛି। ମଞ୍ଜୁର ହୋଇ ଆସିଲେ ତାଙ୍କ ପତ୍ନୀ ସାବିତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର