ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ଟାୟାର ଜାଳି ରାତିସାରା ରାସ୍ତାରୋକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମ ଗେଟ ପାଖରେ ଗତକାଲି ସଂଧ୍ୟା ସମୟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ସେହି ଗ୍ରାମର ରତନ ମାଝୀ(୩୫)ନାମକ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଏହାର ପ୍ରତିବାଦରେ କ୍ଷତିପୂରଣ ଦାବିରେ ଶବ ରଖି ଟାୟାର ଜାଳି ଗ୍ରାମବାସୀ ରାତିସାରା ରାସ୍ତାରୋକ କରିଛନ୍ତି। ଏଯାଏ ରାସ୍ତାରୋକ ହଟି ନଥିବାର ସୂଚନା ରହିଛି।

ଗ୍ରାମବାସୀମାନେ ତୁରନ୍ତ କୋଷାଗୁମୁଡା ଥାନାକୁ ଖବର ଦେଇଥିଲେ। କିନ୍ତୁ ସେତେବେଳକୁ କୋଡ଼ିଙ୍ଗା ଅଭିମୁଖେ ଯାଉଥିବାର ଜାଣି କୋଡ଼ିଙ୍ଗା ପୁଲିସକୁ ତୁରନ୍ତ ଗାଡ଼ି ଅଟକାଇବାକୁ କହିଥିଲେ। କୋଡ଼ିଙ୍ଗାଠାରେ ଗତକାଲି ସାପ୍ତାହିକ ହାଟ ବସିଥିବାରୁ ଗ୍ୟାସ ଗାଡ଼ିକୁ କୋଡ଼ିଙ୍ଗା ପୁଲିସ ଅଟକାଇବାକୁ ପ୍ରୟାସ କରିଥିଲେ। ହାଟରେ ଜନଗହଳି ଯୋଗୁ କୋଡ଼ିଙ୍ଗା ପୁଲିସ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ୧୫ କିମି ଦୁରରେ କୋଡ଼ିଙ୍ଗା ଥାନାରେ ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖି କୋଷାଗୁମୁଡା ପୁଲିସକୁ ଡ୍ରାଇବାରକୁ ହସ୍ତାନ୍ତର କରିଥିଲେ।

ପ୍ରକାଶ ଥାଉକି ସନ୍ତୋଷପୁର ଗ୍ରାମର ରତନ ମାଝୀ ଜମିରେ ଧାନ କାଟି ଘରକୁ ଫେରୁଥିଲେ। ମାତ୍ର ୨୦ ମିଟର ପରେ ଘରେ ପହଞ୍ଚିଥାନ୍ତେ। ତାପୂର୍ବରୁ ତାକୁ ମୃତ୍ୟୁ ଜଗିରହିଥିଲା। ଛତିଶଗଡ଼ ରାଜ୍ୟ ନଗରନାରଠାରେ ଭର୍ତ୍ତି ଗ୍ୟାସ ସିଲିଣ୍ଡର ଦେଇ ଖାଲି ସିଲିଣ୍ଡର ନେଇ ବଲାଙ୍ଗୀର ଯାଉଥିଲା। ଡ୍ରାଇଭରଙ୍କ  ବେପରୁଆ ଓ ଦ୍ରୁତଗତିରେ ଗାଡ଼ିଚାଳନା ଯୋଗୁ ରତନ ମାଝୀଙ୍କର ପ୍ରାଣବାୟୁ ଘଟଣାସ୍ଥଳରେ ଉଡ଼ିଯାଇଥିଲା। ସନ୍ତୋଷ ପୁରରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ କୋଷାଗୁମୁଡା ପୁଲିସ ଜଗି ରହିଛି।

ସମ୍ବନ୍ଧିତ ଖବର