ଚେକ୍‌ ଡ୍ୟାମ ନିର୍ମାଣରେ ଦୁର୍ନୀତି ଘଟଣା:କ୍ୱାଲିଟି କଣ୍ଟ୍ରୋଲର ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧ ଏତଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଚେକ୍‌ଡ୍ୟାମ ନିର୍ମାଣରେ ଦୁର୍ନୀତି ଘଟଣାରେ ପୁଣି ଗୋଟିଏ ଏତଲା ଦେଇଛିି କଂଗ୍ରେସ। ପୂର୍ବରୁ କଂଗ୍ରେସ ପକ୍ଷରୁ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ୪ଜଣ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ନବରଙ୍ଗପୁର ଥାନରେ ଏତଲା ଦିଆଯାଇଥିଲା। ଏହାପରେ ଆଜି ଯୁବ କଂଗ୍ରେସ ପକ୍ଷରୁ ଇନ୍ଦ୍ରାବତୀ ସ୍ଥିତ କ୍ୱାଲିଟି କଣ୍ଟ୍ରୋଲର ନିର୍ବାହୀ ଯନ୍ତ୍ରୀ ଯୁଗଳ କିଶୋର ଖୁଟ୍ଟୁଆଙ୍କ ବିରୋଧରେ ସାନି ଏତଲା ଦିଆଯାଇଛି। କ୍ୱାଲିଟି କଣ୍ଟ୍ରୋଲର ନିର୍ବାହୀ ଯନ୍ତ୍ରୀ ଭୁଲ ରିପୋର୍ଟ ଦେଇଥିବା ଦଳ ଅଭିଯୋଗ କରିଥିବା ବେଳେ ଯୁବ କଂଗ୍ରେସ ସଭାପତି ତାଜ୍‌ ଇମ୍ରାନ ସାରିଫ ଏହି ଏତଲା ଦେଇଛନ୍ତି। ଏହି ଏତଲାରେ ଦର୍ଶାଇଛନ୍ତି ଯେ କ୍ୱାଲିଟି କଣ୍ଟ୍ରୋଲର ନିର୍ବାହୀ ଯନ୍ତ୍ରୀ ପ୍ରତିଟି ଚେକ୍‌ ଡ୍ୟାମର କ୍ୱାଲିଟି ରିପୋର୍ଟ ପ୍ରଦାନ ପାଇଁ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲେଖାଏଁ ପିସି ନେଇ ସବୁ ଠିକ୍‌ ଥିବା ଭଳି ରିପୋର୍ଟ ପ୍ରଦାନ କରିଛନ୍ତି।

ପ୍ରତି ଚେକ୍‌ଡ୍ୟାମର ରିପୋର୍ଟ ଦେବା ପାଇଁ ସରକାରଙ୍କ ପକ୍ଷରୁ ୨୫ହଜାର ଟଙ୍କା ସରକାର ବ୍ୟୟ ଅଟକଳ ରଖୁଥିବା ବେଳେ ଏହି ଅର୍ଥକୁ ବି ଆତ୍ମସାତ କରୁଥିବା ନେଇ ଦର୍ଶାଯାଇଛି। ଯାହାଫଳରେ ନିମ୍ନମାନର କାମ ହେଉଛି। ଚେକ୍‌ଡ୍ୟାମ ଗୁଡିକ ନିର୍ମାଣର ଗୋଟିଏ ବର୍ଷ ମଧ୍ୟରେ ଭାଙ୍ଗି ଯାଉଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଆଜି ଶ୍ରୀ ସରିଫଙ୍କ ସହ ବରିଷ୍ଠ କଂଗ୍ରେସ ନେତା ସରୋଜ ପାତ୍ର, ଉତ୍ତମ ତ୍ରିପାଠୀ, ସଂଜୟ କୁମାର ନାୟକ, ଅମିତ କୁମାର ବୈଦ୍ୟଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଥାନାକୁ ଯାଇଥିଲେ।

ସମ୍ବନ୍ଧିତ ଖବର