ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତ ଅଧୀନସ୍ଥ ସାନ ପାବଲିଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ନାଳରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ସାନ ପାବଲିଗୁଡ଼ା ଗ୍ରାମର ଶୁକ୍ରା ମାଝୀଙ୍କ ପୁଅ ହେମନ୍ତ ମାଝୀ (୩) ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାକ୍‌ଶିକ୍ଷା ଗ୍ରହଣ କରୁଥିଲେ। ପ୍ରତିଦିନ ଭଳି ଆଜି ମଧ୍ୟ ହେମନ୍ତ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ। ଅଙ୍ଗନବାଡି କେନ୍ଦ୍ରରେ ଖାଇବା ପରେ ଘରକୁ ଫେରି ନିଜ ସଂପର୍କୀୟ ଅଜାଙ୍କ ପାଖରେ ଶୋଇ ପଡ଼ିଥିଲେ। ଇତି ମଧ୍ୟରେ ଦୁଇ ସାଙ୍ଗ ମେହନ୍ତଙ୍କୁ ଘରକୁ ଯାଇ ଗାଧୋଇ ଯିବାକୁ ଡାକିଥିଲେ।‌ ହେମନ୍ତ ଦୁଇ ସାଙ୍ଗଙ୍କ ସହ ସାନ ପାବଲିଗୁଡ଼ା ଗ୍ରାମ ନିକଟରେ ଥିବା ଏକ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ହେମନ୍ତଙ୍କ ଗୋଡ଼ ଖସି ପଡ଼ିବାରୁ ସେ ବୁଡ଼ି ଯାଇଥିଲେ। ହେମନ୍ତ ପାଣିରେ ବୁଡ଼ି ଯାଉଥିବା ଦେଖି ଦୁଇ ସାଙ୍ଗ ତୁରନ୍ତ ଗାଁରେ ହେମନ୍ତଙ୍କ ବାପାଙ୍କୁ ଜଣାଇଥିଲେ।

Advertisment

ବାପା ଶୁକ୍ରା ଏବଂ ଗ୍ରାମବାସୀ ନାଳ ନିକଟରେ ପହଞ୍ଚିବା ବେଳକୁ ହେମନ୍ତ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଗ୍ରାମବାସୀ ତୁରନ୍ତ ବୈପାରିଗୁଡା ଅଗ୍ନିଶମ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଳରୁ ହେମନ୍ତଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ହେମନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ବୈପାରିଗୁଡା ପୁଲିସ ହେମନ୍ତଙ୍କ ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ହେମନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖର ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।