ନବରଙ୍ଗପୁର (ସୁରେଶ ନାଇଡୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିବେ ଏବଂ ପୂର୍ବଘୋଷିତ ମେଡ଼ିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ପୂର୍ବରୁ ନବରଙ୍ଗପୁର ଭଳି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡକ୍ଟର ପାଇଁ ଉଦ୍ଧିଷ୍ଟ କ୍ୟାଟଗରିରେ ପରିବର୍ତ୍ତନ ଆଣି ପ୍ରୋତ୍ସାହନ ରାଶି ପ୍ରଦାନର ତାରତମ୍ୟ ଦୂର କରିବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଜିଲ୍ଲାର ବିଭିନ୍ନ ମେଡ଼ିକାଲରେ କାର୍ଯ୍ୟରତ ଡାକ୍ତରଙ୍କ ସମସ୍ୟାର ସମାଧାନ ପାଇଁ ଉଠିଛି ଦାବି। ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର, ଡାକ୍ତର ‌ଓ ଅନ୍ୟ ବୈଷୟିକ କର୍ମଚାରୀ ପଦବୀ ପୂରଣ କରିବାକୁ ମତ ପ୍ରକାଶ ପାଇଛି।

Advertisment

ଡାକ୍ତର ଅଭାବ ସମସ୍ୟାରେ ଜର୍ଜରିତ ଜିଲ୍ଲା। ଅଧାରୁ ଅଧିକ ଡକ୍ଟର ପଦବି ଖାଲି। ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରମାନେ  ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। କେବିକେ ଭଳି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ସରକାର ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଭି୧, ଭି୨, ଭି୩ ଓ ଭି୪ ଚାରୋଟି କ୍ୟାଟୋଗୋରୀ ଲାଗୁ କରିଛନ୍ତି। କିନ୍ତୁ ପରିତାପର ବିଷୟ ନବରଙ୍ଗପୁର ଜିଲ୍ଲା ଭଳି ଦୁର୍ଗମ ଏବଂ ଅନୁନ୍ନତ ଅଞ୍ଚଳରେ ଥିବା ମେଡ଼ିକାଲ ପାଇଁ ଭି୧ଓ ଭି୨ରେ ସ୍ଥାନ ଦେଇଛନ୍ତି। ପଡ଼ୋଶୀ କୋରାପୁଟ ଜିଲ୍ଲାରେ ଗମନାଗମନ ସହ ସବୁ ପ୍ରକାରର ସୁବିଧା ସୁଯୋଗ ଥିବା ଅଂଚଳକୁ ଭି୩ ଓ ଭି୪ରେ ସାମିଲ କରିଛନ୍ତି। କୋରାପୁଟ ଜିଲ୍ଲାରେ କାମ କରିଲେ ଡାକ୍ତରଙ୍କୁ ସ୍ୱତନ୍ତ୍ର ଆର୍ଥିକନୀତି ଅନୁସାରେ ୩୦ ରୁ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି।

ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ଅଞ୍ଚଳର ଗୋଟିଏ ଡାକ୍ତରଙ୍କୁ ପ୍ରତିବଦଳରେ କେବଳ ୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ଯାହା ଦୁଇ ଅନୁନ୍ନତ ଜିଲ୍ଲାର ଦୁଇ ପ୍ରୋତ୍ସାହନ ରାଶି ପ୍ରଦାନର ଏହି ଅସଙ୍ଗତି ଡାକ୍ତରଙ୍କୁ ନବରଙ୍ଗପୁରରୁ ମୁହଁ ଫେରାଇବାକୁ ବାଧ୍ୟ କରୁଛି। ଏହାସହ ଜିଲ୍ଲାର ଏଭଳି ଅନେକ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି ଗମନାଗମନର ସୁବିଧା ନାହିଁ। ଏହାସହ ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି  ଭଳି ଦୁର୍ଗମ ଅଞ୍ଚଳରେ କାମ କରିଥିବା ବିଶେଷ ଭାବେ ମହିଳା ଡାକ୍ତର ମାନେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ହେତୁ ଏଠାରେ କାମ କରିବାକୁ ଅନିଛୁକ ହେଉଛନ୍ତି। ଏସବୁ ପ୍ରତିବନ୍ଧକ ହଟାଇବା ସହ ଡାକ୍ତର ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ଓମ୍ସା ଜିଲ୍ଲାସମ୍ପାଦକ ଡ.ଦଶରଥ ନାଗ, ସମାଜସେବୀ କାଦମ୍ବିନୀ ତ୍ରିପାଠୀ, ଆଇନଜୀବୀ ସ‌ନ୍ତୋଷ ମିଶ୍ର, ତପନ ଦେବନାଥ।   

ଆହୁରି ପଢ଼ନ୍ତୁ: Cricket: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଟାଲିର ପ୍ରଥମ ବିଜୟ

ଜିଲ୍ଲାରେ ଥିବା ୫୦ଟି ପିଏଚସି ଓ ସିଏଚସିରେ ୩୯୫ ଜଣ ଡାକ୍ତରଙ୍କ ସ୍ଥାନରେ ୨୨୨ ଜଣ ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୭ଜଣ ଡାକ୍ତରଙ୍କ ସ୍ଥାନରେ ୩୩ ଓ ୬୮ଜଣ ବିଶେଷଞଙ୍କ ସ୍ଥାନରେ ଅଛନ୍ତି ୧୮। ସେଥିରୁ ପୁଣି ୧୦ ଜଣ ଲମ୍ବା ଛୁଟି।  ୱିଙ୍ଗ ଏଡିମିନିଷ୍ଟ୍ରେଟିଭ  ଅଫିସର ୮ ବଦଳରେ ୪,  ଫର୍ମାସି ଅଫିସର ୭୦ ସ୍ଥାନରେ ୩୦ ନର୍ସିଂ ଅଫିସର ୬୨୪ ମଧ୍ୟରୁ ୩୦୧ ଜଣ ଅଛନ୍ତି  ୩୨୩ ଖାଲି ରହିଛି। କିଛି ବିଶେଷଞ ଡାକ୍ତର ପୋଷ୍ଟିଂ ପରେ ବି ଜଇନିଂ ନ କରି  ଲମ୍ବାଛୁଟିରେ ଅଛନ୍ତି। ପୂର୍ବ ସରକାରଙ୍କ ଅପାରଗତା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଏଭଳି କ୍ୟାଟଗରିରେ ତାରତମ୍ୟ ଦେଖାଦେଇଥିବା ବେଳେ ବର୍ତ୍ତମାନ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଲେ ଜିଲ୍ଲାରେ ଡାକ୍ତର ଅଭାବ ସମସ୍ୟାର ସମାଧାନ ହେବା  ସହ ସବୁ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ନବରଙ୍ଗପୁର ବିଧାୟକ  ଗୌରୀଶଙ୍କର ମାଝୀ।

ମେଡିକାଲ କଲେଜ ସ୍ଥାପନ ଦ୍ବାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପଛରେ ଥିବା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହେବ କି ପରିବର୍ତ୍ତନ। ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଜିଲ୍ଲାର ବାତାବରଣକୁ ସରଗରମ କରିଛି।