ରାଜ୍ୟରେ ବିକାଶ ନାମରେ ବିନାଶ ଚାଲିଛି: ନିରଞ୍ଜନ

ନବରଙ୍ଗପୁର : ଉଭୟ କେନ୍ଦ୍ର ଏବଂ ରାଜ୍ୟର ଅଣ କଂଗ୍ରେସ ସରକାର ଆଦିବାସୀ ଏବଂ ଗରିବ ବିରୋଧୀ। ଓଡ଼ିଶାରେ ବିକାଶ ନାମରେ ସରକାର ବିନାଶ କରୁଛନ୍ତି। ଚାଉଳ, ଜୋତା ଓ ଛତାର ପ୍ରଲୋଭନ ଦେଖାଇ ଭୋଟ କିଣୁଛନ୍ତି। ହେଲେ ଗରିବ, ଆଦବାସୀ ଏବଂ ଚାଷୀଙ୍କ ବିକାଶ ୟୁପିଏ ସରକାର ଯିବା ପରଠାରୁ ଅଟକି ଯାଇଛି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।

ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ନବରଙ୍ଗପୁରଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେବଳ ଦେଶର ଗରିବଙ୍କ ନେତ୍ରୀ ନଥିଲେ ସାରା ବିଶ୍ୱର ଗରିବ ଦେଶର ନେତ୍ରୀ ଥିଲେ। ଭାରତ ବର୍ଷକୁ ବିଶ୍ୱର ୩ୟ ଶକ୍ତି ଭାବେ ଠିଆ କରିବା ପାଇଁ ଉଦ୍ୟମ କରିଥିଲେ। ଜଂଗଲରେ ରହୁଥିବା ଆଦିବାସୀଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ୟୁପିଏ ସରକାର ଯୋଜନା କରିଥିଲେ। ହେଲେ ଏବେ ଅଣ କଂଗ୍ରେସ ସରକାର ଆଦିବାସୀଙ୍କୁ ସେମାନଙ୍କ ହକ୍‌ ଠାରୁ ଦୂରେଇ ରଖୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

୬୦ ଦିନ ମଧ୍ୟରେ ବିଦେଶରୁ କଳାଧନ ଆଣିବାର ପ୍ରତିଶ୍ରୁତି ଦେଇ ମୋଦି ସରକାର ନୋଟ୍‌ ବନ୍ଦୀ ଆରମ୍ଭ କରିଥିଲେ। ଏହାଦ୍ୱାରା ଗାଁ ଗହଳିର ମା’ ଭଉଣୀଙ୍କ ପଣତ କାନିରେ ସଞ୍ଚିତ ଅର୍ଥ ବ୍ୟାଙ୍କକୁ ଯାଇଥିଲା। ହେଲେ ବଡ଼ ବଡିଆଙ୍କ କଳା ଟଙ୍କା ପଦାକୁ ଆସିଲାନି। ଏ ସରକାର ଗରିବଙ୍କ ନୁହେଁ ପୁଞ୍ଜିପତିଙ୍କ ସରକାର ବୋଲି କହି ସେ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ସ୍ୱପ୍ନ ପୂରଣ କରିବାକୁ ହେଲେ ସମସ୍ତେ ଏକତ୍ରିତ ହୋଇ ସଂଗ୍ରାମ କରିବାକୁ ସେ ଆହ୍ଵାନ ଦେଇଥିଲେ। ଗରିବ, ଆଦିବାସୀ ଓ ହରିଜନ ଓ ଚାଷୀମାନଙ୍କ ମୁହଁରେ ହସ ଫୁଟାଇ ପାରିଲେ ତାହା ହିଁ ହେବ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଇନ୍ଦିରା ଗାନ୍ଧୀ ଓ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସମର୍ଥନ କରୁଥିବା ଲୋକେ ଏବେ ଦେଶରେ ଶାସନ କରୁଛନ୍ତି। ଓଡିଶାରେ ମିଥ୍ୟାର ସୌଦାଗରଙ୍କ ସରକାର ଚାଲିଛି। ଉଭୟ ବିଜେପି ଓ ବିଜେଡି ମିଛ ବିକ୍ରି କରି ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ନେଉଛନ୍ତି। ଉଭୟ ଦଳ ସଂଖ୍ୟା ଗଣିବାରେ ବ୍ୟସ୍ତ ରହିଛନ୍ତି। ରାଜ୍ୟର ବିଦ୍ୟାଳୟ ଗୁଡିକ ରେ ଶିକ୍ଷକ ନାହାନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି, ଗରିବ ରୋଗୀଙ୍କୁ େଓଷଧ ମିଳୁନି, ଏହି ସରକାର ଅମଳରେ ଚାଷୀ ଅଧିକ ଅବହେଳିତ। ଦେଶ ତଥା ରାଜ୍ୟର ବିକାଶ ପାଇଁ ଉଭୟ ସରକାରଙ୍କୁ ଭାରତ ମହାସଗାରରେ ଫୋପାଡ଼ି ଦେବାକୁ ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ। ସେହିପରି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀ ଦୂରୀକରଣ, ଧାନର ସହାୟକ ମୂଲ୍ୟ ବୃଦ୍ଧି, ଗରିବଙ୍କ ଉନ୍ନତି କ୍ଷେତ୍ରରେ ବିଫଳ ହୋଇଥିବା କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ , ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ ପୂର୍ବତନ ବିଧାୟକ ସଦନ ନାୟକ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସଦଭାବନା ରାଲିର ଆୟୋଜନ କରାଯାଇ ସହର ପରିକ୍ରମା କରାଯାଇଥିଲା। ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସରୋଜ ପାତ୍ର, ଦିଲ୍ଲୀପ କୁମାର ବେହେରା ଉତ୍ତମ ତ୍ରିପାଠୀ, ଅଖିଳ ଭତ୍ରା, ନରସିଂହ ଗୌଡ, ଆର.ପ୍ରଭାକର ରାଓ, କମଳ ସିଂ, ଜି.ସାଇରାଜୁ, ତୁଫାନ ଷଢ଼ଙ୍ଗି, କୁନା ପାତ୍ର, ଫିରୋଜ ଖାଁ ପ୍ରମୁଖଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର