ନବରଙ୍ଗପୁର: ଗତ ୩ବର୍ଷ ହେବ ଗୁଣାତ୍ମକ ଶିକ୍ଷା ପାଇବାରୁ ନବରଙ୍ଗପୁର ଜିଲ୍ଲାର ୩ହଜାର ପିଲା ବଂଚିତ ହେଉଛନ୍ତି। ଏହାର କାରଣ ହେଉଛି ଜିଲ୍ଲାର ୭ଟି ବ୍ଲକରେ ୧୨୬କୋଟି ଟଙ୍କାରେ ନିର୍ମାଣାଧୀନ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାମ ସରିବା ନାଁ ନେଉନି। ଗତ ୨୦୨୧ ମସିହାରେ ତତ୍କାଳୀନ ଆଦିବାସୀ ବ୍ୟାପର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୁଖ୍ୟଅତିଥି ଭାବେ ଝରିଗାଁ ବ୍ଲକର କୁସୁମୀ ସହ ଅନ୍ୟ ୬ଟି ବ୍ଲକର ଭୂମିପୂଜାରେ ଯୋଗ ଦେଇ ଏହି ସିବିଏସଆଇ ଢ଼ାଂଚାର ବିଦ୍ୟାଳୟ ୨୦୨୩-୨୪ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ତେବେ ଏଯାଏଁ ଏହି ୭ଟିରୁ ଗୋଟିଏର ବି ନିର୍ମାଣ କାମ ସରିନି। କେବେ ସୁଦ୍ଧା ସରିବ ତାହା ସ୍ପଷ୍ଟ ଭାବେ ଜଣା ପଡୁନି। ଏପରିକି ନିର୍ମାଣାଧୀନ ବିଦ୍ୟାଳୟ ଗୁଡିକ ନିକଟରେ ସୂଚନା ଫଳକ ବି ନାହିଁ।
ଜିଲ୍ଲାର ୧୦ଟି ବ୍ଲକରୁ ନବରଙ୍ଗପୁର ଠାରେ ହିଁ ଏକମାତ୍ର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ। ଏଠାରେ ୪୦୪ଜଣ ପିଲା ଷଷ୍ଟରୁ ଦ୍ବାଦଶ ଶ୍ରେଣୀ ଯାଏଁ ପଢ଼ୁଛନ୍ତି। ରାଜ୍ୟସରକାରଙ୍କ ଦ୍ବାରା ଉମରକୋଟ ଠାରେ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ରହିଥିବା ବେଳେ ଏଠାରେ ଅନୂସୂଚିତ ଜାତି ଓ ଅନୁସୂଚିତ ଜନଜାତିର ୩୩୬ଜଣ ପିଲା ପଢ଼ୁଛନ୍ତି।
ଜିଲ୍ଲାର ଝରିଗାଁ, ରାଇଘର, ଉମରକୋଟ, ପାପଡାହାଣ୍ଡି, କୋଷାଗୁମୁଡା, ଡାବୁଗାଁ, ତେନ୍ତୁଳିଖୁଣ୍ଟି ବ୍ଲକରେ କେନ୍ଦ୍ର ସରକାରଙ୍କ ସହାୟତାରେ ବିଦ୍ୟାଳୟ ପିଛା ୧୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଳିଛି। ଗୋଟିଏ କ୍ୟାମ୍ପସରେ ହିଁ ବିଦ୍ୟାଳୟ, ଛାତ୍ର ଓ ଛାତ୍ରୀଙ୍କ ଅଲଗା ହୋଷ୍ଟେଲ, ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀଙ୍କ କ୍ବାର୍ଟର ଓପାଚେରୀ ଆଦି ନିର୍ମାଣ କରାଯିବ। କେନ୍ଦ୍ର ଜଳଶକ୍ତି ବିଭାଗ ଅଧିନରେ ପରିଚାଳିତ ୱାପକୋସ ଲିମିଟେଡ ଓ ବ୍ରିଜ୍ ଏଣ୍ଡ ରୁପ କୋ. ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ସବୁ ବିଦ୍ୟାଳୟର ନିର୍ମାଣ ପାଇଁ ଠିକା ନେଇଛନ୍ତି।
ଜିଲ୍ଲା ମଙ୍ଗଳ ବିଭାଗ ଅଧିନରେ ମୋଟ ୮୬ଟି ସ୍କୁଲ, ୩ଟି ଅନ୍ଵେଷା ଆବାସିକ ବିଦ୍ୟାଳୟ, ଗୋଟିଏ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ଗୋଟିଏ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଏବଂ ୮ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରହିଛି । ଏହିସ୍କୁଲ ଗୁଡିକରେ ଏହି ବର୍ଷ ୩୩୬୬୧ ଜଣ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଏବଂ ୩୭୨୩ ଜଣ ଛାତ୍ରୀ ଅନୁସୂଚିତ ଜାତି ଛାତ୍ର/ଛାତ୍ରୀ ଅନ୍ତେବାସୀ ହିସାବରେ ନାମ ଲେଖାଇଛନ୍ତି। ଏହା ଛଡା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏସଏସଡି ହଷ୍ଟେଲ ଗୁଡିକରେ ୯୫୬୫ ଛାତ୍ର ୫୨୮୫ ଛାତ୍ରୀ ଅନ୍ତେବାସୀ ହିସାବରେ ସମସ୍ତ ବିଦ୍ୟାଳୟରେ ସର୍ବମୋଟ ୫୨୩୩୪ ଜଣ ଛାତ୍ରଛାତ୍ରୀ ଏହି ବର୍ଷ ଅନ୍ତେବାସୀ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର। ସହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଛାତ୍ରବୃତ୍ତି ଜିଲ୍ଲାର ୧୩୧୬୪ ଜଣ ଛାତ୍ରଛାତ୍ରୀଙ୍କୁ ମିଳିଛି। ଆସନ୍ତା ଡିସେମ୍ବର ସୁଦ୍ଧା ଡାବୁଗାଁ ଓ ପେବୃଆରୀ ସୁଦ୍ଧା କୋଷାଗୁମୁଡା ଏକଲବ୍ୟ ବିଦ୍ୟାଳୟର ନିର୍ମାଣ ସରି ବିଭାଗକୁ ହସ୍ତାନ୍ତର ହେବା ସହ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି କହିଛନ୍ତି ଡିଡବ୍ଲୁଓ।
Nabarangpur | Education