ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଖନନ କରି ପଥର ଓ ମେଟାଲ ଚୋରାଚାଲାଣ ହେଉଛି। ତାହା ପୁଣି ବନ ବିଭାଗ ଫରେଷ୍ଟ ଅଧିକାରୀଙ୍କ ସମ୍ମୁଖରେ ଚାଲାଣ ହେଉଥିଲେ ମଧ୍ୟ ପଦକ୍ଷେପ ନେବା ବଦଳରେ ନୀରବ ରହୁଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ କିଛି ଲୋକ ଗଛ କାଟି ଘର କରି ବସବାସ କରିବା ସହ ଚାଷ ଜମିରେ ପରିଣତ କରୁଥିବା ବିଷୟକୁ ନେଇ କୁସୁମପୁର ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ରାଇଘର ଫରେଷ୍ଟର ମୁକ୍ତ ଭତରା ବୁଝାମଣା କରୁଥିଲେ। ସେହି ସମୟରେ ଜଙ୍ଗଲ ଭିତରୁ ୨ଟି ମେଟାଲ ବୋଝେଇ ଟ୍ରାକ୍ଟର ସେହି ରାସ୍ତା ଦେଇ ଯାଇଥିଲା। ଫରେଷ୍ଟର ଗାଡି ଦୁଇଟିକୁ ଅଟକାଇ କିଛି ସମୟ ପରେ ଛାଡି ଦେଇଥିଲେ। ଫରେଷ୍ଟରଙ୍କ ଏଭଳି ପଦକ୍ଷେପ ଉପସ୍ଥିତ ଗ୍ରାମବାସୀଙ୍କୁ ଚକିତ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଫରେଷ୍ଟର ଶ୍ରୀ ଭତରାଙ୍କୁ ଏ ନେଇ ପଚାରିବାରୁ ଏହା ରାଜ୍ୟସ୍ୱ ବିଭାଗ ଜମିରୁ ଯାଉଛି ବୋଲି ଏଡାଇ ଦେଇଥିଲେ। ଅତିରିକ୍ତ ତହସିଲଦାର ରାମକୃଷ୍ଣ ମହାନ୍ତିଙ୍କୁ ପଚାରିବାରୁ ସଂରକ୍ଷିତ ଜଙ୍ଗଲରୁ ଚାଲାଣ ହେଉଥିବାରୁ କେବଳ ବନ ବିଭାଗ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଉଭୟ ବନ ବିଭାଗ ଓ ରାଜସ୍ୱ ବିଭାଗ ଦୁହେଁ ଦୁହିଁଙ୍କୁ ଦୋଷ ଲଦାଲଦି କରୁଥିବା ବେଳେ ଚୋରାଚାଲାଣକାରୀ ଏହାର ସୁଯୋଗ ନେଇ ଜଙ୍ଗଲରୁ ପଥର, ମେଟାଲ ବୋହି ନେଉଛନ୍ତି। ଏହି ଚୋରା ଚାଲାଣରେ କିଛି କୁଜି ନେତା ଓ ଠିକାଦାର ସଂପୃକ୍ତ ଥିବା ବେଳେ ବନ ବିଭାଗର ଅଧିକାରୀଙ୍କୁ ହାତବାରିସି କରି ଏଭଳି ଚଲାଇଥିବା ଅଭିଯୋଗ ହୋଇଛି। କୁସୁମପଦର ବନ ସୁରକ୍ଷା ସମିତି ପୂର୍ବରୁ ଅନେକଥର ଅଭିଯୋଗ କରୁଥିଲେ ମଧ୍ୟ ବନ ବିଭାଗ ନୀରବ ରହିବା ଘଟଣା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଏହି ସଂରକ୍ଷିତ ଜଙ୍ଗଲ ଟାଙ୍ଗରା ହେବାକୁ ବସିଲାଣି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ବେଆଇନ ଚୋରା ଚାଲାଣକୁ ତୁରନ୍ତ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।