ଉମରକୋଟ: ଇତିହାସରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାନ ଆସିଛି। ଉମରକୋଟ ପୌର ପରିଷଦର ଜନସାଧାରଣଙ୍କ ଦ୍ଵାରା ନିର୍ବାଚିତ ଅଧ୍ୟକ୍ଷା ରାଧା ଭାତ୍ରାଙ୍କ ବିରୋଧରେ ଆଜି ଉମରକୋଟ ସହରର ସମସ୍ତ ୧୪ଟି କାଉନସିଲର ପଦରୁ ଗାଦିଚ୍ୟୁତ କରିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ରାଧା ଭାତ୍ରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରାର୍ଥୀନି ରିଙ୍କି ଗଣ୍ଡଙ୍କୁ ୩୫୦୦ ଭୋଟ ବ୍ୟବଧାନରେ ପରାସ୍ତ କରି ଉମରକୋଟ ପୌର ପରିଷଦର ଅଧ୍ୟକ୍ଷା ହେଇଥିଲେ।

Advertisment

ଏହି ଅନାସ୍ଥା ପ୍ରସ୍ତାବ ଆସିବା ପରେ ସମଗ୍ର ଉମରକୋଟ ସହରରେ ରାଜନୀତି ସରଗରମ ଆରମ୍ଭ ହୋଇଯାଇଛି। ଉମରକୋଟ ପୌର ପରିଷଦରେ ବିଜେଡ଼ି ଟିକେଟରୁ ସିଧାସଳଖ ଲୋକଙ୍କଠାରୁ ଭୋଟ ପାଇ ରାଧା ଭତ୍ରା ବିଜୟୀ ହେଇଥିଲେ। ୨୦୨୨ରେ ଅନୁଷ୍ଠିତ ପୌର ନିର୍ବାଚନରେ ମୋଟ ୧୪ ଜଣ କାଉନସିଲରରୁ ବିଜେଡ଼ି ୧୨, ବିଜେପିର ୧ ଓ କଂଗ୍ରେସର ଜଣେ କାଉନସିଲର ନିର୍ବାଚିତ ହେଇଥିଲେ। ୪୧ ମାସ ପରେ ଆଜି ସମସ୍ତ ୧୪ କାଉନସିଲର ନବରଙ୍ଗପୁର ଯାଇ ରାଧାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାନ ଆଣିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନଙ୍କୁ ଭେଟି ୧୪ଟି କାଉନସିଲରଙ୍କ ସ୍ବାକ୍ଷରିତ ସମ୍ବଳିତ ଏକ ପତ୍ର ପ୍ରଦାନ କରି  ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ କାଉନସିଲର ମାନଂକ ଏକ ବୈଠକ ତୁରନ୍ତ ଡାକିବା ପାଇଁ ଅନୁରୋଧ କରିଛନ୍ତି।

ଏହି ପତ୍ରରେ ପୌରଦକ୍ଷା ବିରୋଧରେ ୪ଟି ଅଭିଯୋଗ ଦର୍ଶାଇଛନ୍ତି ସମସ୍ତ ୧୪ କାଉନସିଲର। ସେଗୁଡିକ ହେଲା ୨୦୨୨ରେ ୨୯ ଲକ୍ଷ ଟଙ୍କାର ଫିନାଇଲ, ବ୍ଲିଚିଂ ଓ ମୋଶା ତେଲ କିଣାରେ ବ୍ୟାପକ ଦୁର୍ନୀତି ହେଇଛି, ଯାହାକି କାଉନସିଲରମାନଙ୍କ ଦ୍ଵାରା ଗଠିତ ହେଇଥିବା ସେନିଟାରି କମିଟି ତଦନ୍ତ ବେଳେ ଏହି ସବୁ ଜିନିଷ ଅଫିସକୁ ଆସିନଥିବା ଜାଣିବାକୁ ପାଇଥିଲେ। ଦ୍ଵିତୀୟରେ ମୁନସିପାଲିଟି ଧାରା ଅନୁସାରେ ମାସିକ କାଉନସିଲର ବୈଠକ ଡକାଯାଉ ନ ଥିବା, ତୃତୀୟରେ ନୂତନ ବସ ଷ୍ଟାଣ୍ଡଠାରେ ପୌର ପରିଷଦ ଦ୍ବାରା ନିର୍ମିତ ଭେଣ୍ଡିଂ ଜୋନ ପ୍ରଦାନରେ ବ୍ୟାପକ ଆର୍ଥିକ ଅନିୟମିତତା ହେଇଥିବା ପ୍ରକୃତ ହିତାଧିକାରୀଙ୍କୁ ନ ପ୍ରଦାନ କରାଯାଇ ବାହାର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା। ଚତୁର୍ଥରେ ପରିଷଦ କାର୍ଯ୍ୟଳୟରେ ବ୍ୟାପକ ଆର୍ଥିକ ଅନିୟମିତତା ଓ କ୍ଷମତାର ଅପ ବ୍ୟବହାର କରାଯାଇଥିବା କାଉନସିଲରମାନେ ପତ୍ରରେ ଉଲ୍ଲେଖ କରିଛନ୍ତି।

ତେବେ ବିଜେଡି ଟିକେଟରେ ବିଜୟୀ ୧୨ ଜଣ କାଉନସିଲର ଥାଇ ବିଜେଡ଼ିର ନିର୍ବାଚିତ ପୌରାଧ୍ୟକ୍ଷ ବିରୋଧରେ ଗାଦିଚ୍ୟୁତ ପାଇଁ ଅନାସ୍ଥା ପ୍ରସ୍ତାବ ଆସିବା ବିଜେଡ଼ିକୁ ଆଜି ଶକ୍ତ ଧକ୍କା ଲାଗିଛି। ଏହି ଘଟଣା ପରେ ଉମରକୋଟରେ ରାଜନୀତି ସରଗରମ ହେଇଛି। ତେବେ ଉମରକୋଟ ପୌର ପରିଷଦରେ ପ୍ରଥମ ଥର ପାଇଁ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ଉଲ୍ଲେଖଯୋଗ୍ୟ, ୨୦୨୭ ମାର୍ଚ୍ଚରେ ରାଧାଙ୍କ କାର୍ଯ୍ୟକାଳ ‌ଶେଷ ହେଇଥାଆନ୍ତା।