ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଷଣ୍ଡସା ଗ୍ରାମର ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ତେବେ ଶାଶୂ ଘର ଲୋକେ ଭଉଣୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟ କରୁଥିବା ମୃତ ମହିଳାଙ୍କ ଭାଇ ଝରିଗାଁ ଥାନାର ଏତଲା ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ଚାନ୍ଦିଆବେଡା ଗ୍ରାମର ଗଣେଶ ମାଝୀଙ୍କ ସାନ ଭଉଣୀ ଖଗନ୍ତୀ ମାଝୀ(୩୫)ଙ୍କୁ ଷଣ୍ଡସା ଗ୍ରାମର ଭସମନ ଭତରାଙ୍କ ପୁଅ ତୁଳାରାମ ଭତ୍ରା ୧୫ବର୍ଷ ତଳେ ବିବାହ କରିଥିଲେ। ଖଗନ୍ତୀଙ୍କ ୩ଟି ସନ୍ତାନ ରହିଛି। ତେବେ ୨ବର୍ଷ ହେଲା କୌଣସି କାରଣକୁ ନେଇ ମନମାଳିନ୍ୟ ହେବାରୁ ଶାଶୂ ଘର ଲୋକେ ମିଳିମିଶି ଖଗନ୍ତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୨୮ତାରିଖରେ ତୁଳାରାମ ପତ୍ନୀ ଖଗନ୍ତୀଙ୍କୁ ବାଡେଇଥିଲେ। ଏହାପରେ ଖଗନ୍ତୀ ନିଜ ଭାଇଙ୍କ ଘରକୁ ଚାଲି ଯାଇଥିଲେ। ପରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ବାରା ବୈଠକ କରାଯାଇ ଖଗନ୍ତୀଙ୍କୁ ବୁଝାଶୁଝା କରି ଶାଶୂ ଘରକୁ ପଠାଯାଇଥିଲା। କିନ୍ତୁ ଶାଶୂ ଘର ଲୋକେ ପୁଣି ଥରେ ନିର୍ଯାତନା ଦେଉଥିବା ନେଇ ଖଗନ୍ତୀ ନିଜ ଭାଇ ଗଣେଶଙ୍କୁ ଜଣାଇଥିଲେ। ଅନ୍ୟପଟେ ଗତକାଲି ଖଗନ୍ତୀ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ନେଇ ଷଣ୍ଡସା ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ ଖବର ପାଇବା ପରେ ଗଣେଶ ଷଣ୍ଡସା ଗ୍ରାମରେ ପହଞ୍ଚିଥିଲେ। ଏନେଇ ଭଉଣୀର ଶାଶୂ ଘର ଲୋକ ମୋତେ ଜଣାଇନଥିବା ସହ ଘଟଣାସ୍ଥଳକୁ କେହି ଆସିନଥିବା ଗଣେଶ ଅଭିେଯାଗ କରିଛନ୍ତି।
ଭଉଣୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଘର ନିକଟସ୍ଥ ଏକ ନିମ୍ବ ଗଛରେ ଶବ ଝୁଲାଇ ଦେଇଥିବା ମଧ୍ୟ ଗଣେଶ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ପରେ ଝରିଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଏଏସ୍ଆଇ ରାମଚନ୍ଦ୍ର ଅଗସ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ନିର୍ଯାତନା ସହ୍ୟ କରିନପାରି ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଜନଜାତି ଅଧିକାରୀ ମଞ୍ଚର ରାଷ୍ଟ୍ରୀୟ ଅଧ୍ୟକ୍ଷା ହାରାବତୀ ଗଣ୍ଡ ଦାବି କରିଛନ୍ତି।