ରାସ୍ତା କଡରୁ ବୃଦ୍ଧଙ୍କ ଶବ ଉଦ୍ଧାର

ତେନ୍ତୁଳିଖୁଣ୍ଟି,: ତେନ୍ତଳିଖୁଣ୍ଟି ସ୍ଥିତ ବାପୁଜୀ ହାଇସ୍କୁଲ ସମ୍ମୁଖ ରାସ୍ତା ପାର୍ଶ୍ୱରୁ ଜଣେ ବୃଦ୍ଧଙ୍କ ଶବକୁ ପୁଲିସ ଉଦ୍ଧାର କରିଛି। ମୃତ ବୃଦ୍ଧ ଜଣକ ଦିଗି ପଞ୍ଚାୟତ ଅନ୍ତର୍ଗତ ଚରାମୂଳା ଗ୍ରାମର ପିତ ମୁଦୁଲି(୬୦)ଙ୍କ ବୋଲି ଜଣାପଡିଛି। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବେଚ୍ଛଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, ଗତ ୧୧ତାରିଖରେ ପିତ ମୁଦୁଲିଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକ ତେନ୍ତୁଳିଖୁଣ୍ଟି ମେଡିକାଲରେ ଭର୍ତି କରାଇଥିଲେ। ଜ୍ୱର ହୋଇଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପିତଙ୍କ ଚିିକିତ୍ସା ଜାରି ରହିଥିଲା। ତେବେ ରାତି ପ୍ରାୟ ଗୋଟାଏରେ ପିତ ମୁଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରି କେଉଁଆଡେ ଚାଲି ଯାଇଥିଲେ। ପରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ। ଆଜି ସକାଳେ ସ୍ଥାନୀୟ ବାପୁଜୀ ହାଇସ୍କୁଲ ସମ୍ମୁଖ ରାସ୍ତା ପାର୍ଶ୍ୱରେ ପିତଙ୍କ ଶବ ପଡିଥିବା ତାଙ୍କ ପୁଅ ଖଗପତି ମୁଦୁଲି ଦେଖିବାକୁ ପାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ କେଶ ନଂ-୫/୧୮ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଏଏସ୍‌ଆଇ ଜଗଦୀଶ ଚନ୍ଦ୍ର ପାଣିଗ୍ରାହୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର