ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୭ଦଫା ଦାବି ନେଇ ଡିଇଓଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ୪୮ବର୍ଷୀୟ ଅଣତାଲିମପ୍ରାପ୍ତ ଶିକ୍ଷକଙ୍କୁ ଆରଏସିପି ପ୍ରଦାନ କରିବା, ଏମଏସିପି ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା, ନିଲମ୍ବିତ ଶିକ୍ଷକଙ୍କୁ ନିୟମିତ କରିବା, ପରୀକ୍ଷା ସମୟରେ ଶିକ୍ଷାବର୍ଷ ଶେଷରେ ବଦଳି ବନ୍ଦ କରିବା, କିରାଣିଙ୍କ ପଦୋନ୍ନତି କରିବା ଆଦି ୭ ଦଫା ଦାବି ନେଇ ଶିକ୍ଷକମାନେ ଡିଇଓଙ୍କ କାର୍ଯ୍ୟାଳୟରେ ହୋହୋଲ୍ଲା କରିଥିଲେ। ସଂଘ ପକ୍ଷରୁ କୁହାଯାଇଥିଲା ଯେ, ମଧ୍ୟାହ୍ନ ଭୋଜନ ଚାଉଳ ପ୍ୟାକେଟରେ ୮ରୁ ୧୦କେଜି କମ ରହୁଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଗୁଡିକରେ କୌଣସି ନୀତି ନିୟମ ନାହିଁ। କର୍ମଚାରୀ ମନଇଛା ଅଫିସକୁ ଆସୁଛନ୍ତି। ଯାହାଫଳରେ ଶିକ୍ଷକଙ୍କ ବର୍ଷ ବର୍ଷ ଧରି କାମ ହୋଇପାରୁନାହିଁ। ଡିଇଓଙ୍କ ନିୟନ୍ତ୍ରଣରେ ବିଇଓମାନେ ରହୁନାହାନ୍ତି। ଫଳରେ ଶିକ୍ଷକଙ୍କ କାମ କରିବା ପାଇଁ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀମାନେ ଅର୍ଥ ମାଗୁଛନ୍ତି। ତୁରନ୍ତ ଏହି ଦାବି ଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି ଚେତାବନୀ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ ପହଞ୍ଚି କାର୍ଯ୍ୟ ଗୁଡିକ ତୁରନ୍ତ ସମାଧାନ କରାଯିବ ଏବଂ ବିଇଓଙ୍କ କାର୍ଯ୍ୟାଳୟ ଅଧୀନରେ ରହିଥିବା ସମସ୍ୟା ଗୁଡିକ ପୂରଣ କରାଯିବ ବୋଲି କହିବା ପରେ ଧାରଣାରୁ ଉଠିଥିଲେ। ଏହି ଘେରାଉରେ ଜିଲ୍ଲା ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ରମଣି ରଂଜନ ତ୍ରିପାଠୀ, କୋମଳ ଲୋଚନ ପୂଜାରୀ, ସଦାନନ୍ଦ ଶବର, ରବିନ୍ଦ୍ର ନାଥ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ବିଶ୍ବାସ, ଦିବାକର ବାରିକ, ଲକ୍ଷ୍ମଣ ସୂତାର, ସୁବାସ ଗଣ୍ଡ, ବସନ୍ତ କୁମାର ବେନ୍ୟା, ଅନିଲକୃଷ୍ଣ ମଣ୍ଡଳ, ସଞ୍ଜୁକ୍ତା ଦେବୀ, ଭବାନୀ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଯୋଗ ଦେଇଥିଲେ।
ଡିଇଓ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ
/sambad/media/post_attachments/wp-content/uploads/2019/03/naba-2.jpg)