ଡାକ୍ତରଙ୍କ ବଦଳିକୁ ନେଇ ଅସନ୍ତୋଷ:ନୂତନ ନିଯୁକ୍ତି ନଦେଲେ ଆନ୍ଦୋଳନ

ଚନ୍ଦାହାଣ୍ଡି: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ସରକାର ବହୁ ଯୋଜନା କରୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ସରକାରଙ୍କ ଯୋଜନା ଫସର ଫାଟିଯାଉଛି । ଡାକ୍ତରଖାନରେ ସାତ ଜଣ ଡାକ୍ତରଙ୍କ ସ୍ଥାନରେ ତିନି ଜଣ ଥିବା ବେଳେ କେଉଁଠି ଡାକ୍ତର ନଥିବାରୁ ଫର୍ମାସିଷ୍ଟଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ଚାଲିଛି । ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି । ଚନ୍ଦାହାଣ୍ଡି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଅଭାବରୁ ରୋଗୀ ଦୂରଦୁରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।

ଚନ୍ଦାହାଣ୍ଡି ବ୍ଲକ ମହକୁମାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଦଳବେଡା ପ୍ରାଥମିକ ସ୍ୱାସ୍ଥ୍ୟ ,ବେହେରାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଦେଓବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନକାବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏବଂ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀଙ୍କ ନିଜ ବ୍ଲକରେ । ବ୍ଲକର ଗୋଟିଏ ସିଏଚସି ଏବଂ ୪ଟି ପିଏଚସିରେ ଅଛନ୍ତି ମାତ୍ର ୩ ଜଣ ଡାକ୍ତର । ଏହି ବ୍ଲକରେ ଲକ୍ଷାଧିକ ଲୋକ ରହୁଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ଅଛନ୍ତି ମାତ୍ର ତିନି ଜଣ ଡାକ୍ତର । ଲୋକଙ୍କୁ ଉଚିତ୍‌ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଚନ୍ଦାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେଇଥିବା ବେଳେ ଚାରୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି ।
ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ସ୍ତ୍ରୀ ରୋଗ ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ଶଲ୍ୟ ବିଶେଷଜ୍ଞଙ୍କ ସମେତ ଜଣେ ମେଡିକାଲ ଅଫିସର ପଦବୀ ପାଇଁ ସରକାରୀ ଅନୁମୋଦନ ରହିଛି । ବିଡମ୍ବନାର ବିଷୟ ଡାକ୍ତରଖାନାରେ ଜଣେ ବି ବିଶେଷଜ୍ଞ ନାହାନ୍ତି । ଏହି ଡାକ୍ତରଖାନାରେ ୧୪ଟି ପଂଚାୟତବାସୀ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ଲୋକେ ଅସୁବିଧା ଭୋଗୁଛନ୍ତି । ଇତି ମଧ୍ୟରେ ଭାରପ୍ରାପ୍ତ ଗୋଷ୍ଠି ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡାକ୍ତର ତୁଷାର ରଂଜନ ବାରିକଙ୍କୁ ନନ୍ଦାହାଣ୍ଡି ବ୍ଲକକୁ ବଦଳି ହୋଇଥିବା ବେଳେ ଦେଓବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ବିଜୟ ଲକ୍ଷ୍ମୀ ପ୍ରଧାନଙ୍କୁ ଚନ୍ଦାହାଣ୍ଡି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବ୍ଲକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଏଭଳି ବଦଳିକୁ ବ୍ଲକବାସୀ ତୀବ୍ର ବିରୋଧ କରିଛନ୍ତି । ତୁରନ୍ତ ନୂତନ ଡାକ୍ତର ନିଯୁକ୍ତି ଦିଆନଗଲେ ଆଗାମୀ ଦିନରେ ବ୍ଲକବାସୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର