ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସ ଏକ ଆନ୍ତଜିଲ୍ଲା ଗାଡ଼ି ଲୁଟେରା ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଏହି ଗ୍ୟାଙ୍ଗର ଆଉ ଜଣେ ଲୁଟେରା ଫେରାର ରହିଥିବା ଏଏସପି ଶାନ୍ତୁନୁ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିି।
ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ପାପଡାହାଣ୍ଡି ଗ୍ରାମର ମହମ୍ମଦ ରେହନ ନିଜ ଟାଭେରା(ଓଡି ୨୪ଏ ୦୩୦୪) ଗାଡ଼ି ଲଡୁଗାଁକୁ ଭଡ଼ା ସୂତ୍ରରେ ନେବାକୁ ଡ୍ରାଇଭର ରବି ମାଝୀଙ୍କୁ କହିଥିଲେ। ପରେ ରବି ଗାଡ଼ି ନେଇ ଲଡୁଗାଁ ଅଭିମୁଖେ ବାହାରିଥିଲେ। ତେବେ ପାପଡାହାଣ୍ଡି ଛକରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ହରିହର ପାରାଭାଇ(୨୨) ଗୋପାଳ ପାରାଭାଇ ଏହି ଗାଡ଼ିକୁ ଅଟକାଇ ଜୟପାଟଣାକୁ ଭଡ଼ାରେ ଯିବାକୁ କହିଥିଲେ। ପରେ ରବି ଏମାନଙ୍କ କଥାରେ ରାଜି ହୋଇଯାଇଥିଲେ। ତେବେ ପୂର୍ବ ଯୋଜନା ମୁତାବକ ଆମ୍ବପାଣି ଘାଟି ନିକଟରେ ପୂର୍ବରୁ ବାଇକ୍ରେ ଅପେକ୍ଷା କରି ରହିଥିବା ସୋମନାଥ ରଣା ଓ ତ୍ରିଲୋଚନ ଦୁର୍ଗା ଏହି ଗାଡ଼ିକୁ ଅଟକାଇଥିଲେ। ଭୟଭୀତ କରାଇ ରବିଙ୍କୁ ଗାଡ଼ିରୁ ଓହ୍ଲାଇବା ପରେ ତ୍ରିଲୋଚନ, ସୋମନାଥ ଓ ଦୁର୍ଗା ଟାଭେରା ଯୋଗେ ଚମ୍ପଟ ମାରିଥିଲେ। ଅନ୍ୟପଟେ ହରିହର ଗାଡ଼ି ଡ୍ରାଇଭର ରବିଙ୍କୁ ବାଇକ୍ରେ ବସାଇ ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାପାଲି ଗାଁକୁ ନେଇ ଯାଇଥିଲେ। ଲୁଟେରା ମାନେ ଟାଭେରାଟିକୁ ଲାଖିବାଲି ସ୍ଥିତ ଏକ କ୍ରସର ଭିତରେ ଲୁଚାଇ ରଖିଥିଲେ। ଏହାପରେ ଲୁଟେରା ମାନେ ଗାଡ଼ି ଡ୍ରାଇଭର ରବିଙ୍କୁ ମାଡ଼ ମାରିବା ସହ ଗାଡ଼ି ମାଲିକଙ୍କୁ ୧ଲକ୍ଷ ଟଙ୍କା ମାଗିବାକୁ କହିଥିଲେ। ଭୟଭୀତ ଅବସ୍ଥାରେ ଥିବା ରବି ଏନେଇ ଗାଡ଼ି ମାଲିକ ମହମ୍ମଦଙ୍କୁ ଫୋନ ଯୋଗେ ଜଣାଇଥିଲେ। ଏନେଇ ମହମ୍ମଦ ବୁଧବାର ରାତି ୭ଟାରେ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନିର୍ଦେଶରେ ପୁଲିସର ଏକ ଟିମ୍ ଟାଭେରା ଗାଡ଼ି ଡ୍ରାଇଭର ଭୀମଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରିବା ସହ ଜୟପାଟଣା ପୁଲିସ ସହାୟତାରେ ରାତିରେ ରେଙ୍ଗାପାଲି ଅଞ୍ଚଳରେ ପହଞ୍ଚିଥିଲେ। ପୁଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରିବା ସମୟରେ ପୁଲିସ ହରିହର, ସୋମନାଥ ଓ ତ୍ରିଲୋଚନଙ୍କୁ ଗିରଫ କରିଥିଲା। ତେବେ ଏହି ସମୟରେ ଗୋପାଳ କୌଶଳ କ୍ରମେ ଫେରାର ହୋଇଯାଇଥିଲା। ଏହି ଲୁଟେରାଙ୍କ ନାଁରେ ଜୟପାଟଣା ଥାନାେର କେଶ ନଂ-୧୮୦/୧୮ ଅନୁଯାୟୀ ଏକ ମାମଲା ରହିଥିବା ସୂଚନା ମିଳିଛି। ଗୁରୁବାର ଦିନ ସମସ୍ତ ଲୁଟେରାକୁ ଥାନାରେ ପଚରାଉଚରା କରାଯିବା ପରେ ସମସ୍ତେ ନିଜ ଦୋଷ ସ୍ବୀକାର କରିଥିଲେ। ପରେ ଏନେଇ ପୁଲିସ କେଶ୍ ନଂ-୧୩/୧୯ ଅନୁଯାୟୀ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଲୁଟେରାଙ୍କ ଠାରୁ ପୁଲିସ ଏକ ଗ୍ଲାମର ବାଇକ୍ ମଧ୍ୟ ଜବତ କରଇଥିବା ଏଏସପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିିପିଓ ବି.କେ ନାୟକ, ଆଇଆଇସି ତାରିକ୍ ଅହମ୍ମଦ ଉପସ୍ଥିତ ଥିଲେ। ଜୟପାଟଣା ଅଞ୍ଚଳରେ ଚଢ଼ାଉ ସମୟରେ ପାପଡାହାଣ୍ଡି ଥାନା ଏସ୍ଆଇ ପଞ୍ଚାନନ ପରିଡା, ଏସ୍ଆଇ ଶିବଜୀ ପଣ୍ଡା, ଏସ୍ଆଇ ପୂର୍ଣ୍ଣିମା ଟେଟେ, ଏଏସ୍ଆଇ ହାମିତନ ମାଝୀ, ଏଏସ୍ଆଇ ମନୋରଂଜନ ପଣ୍ଡା ଓ ପ୍ରଦୀପ ବାଘଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।
ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗର ୩ ଗିରଫ
/sambad/media/post_attachments/wp-content/uploads/2019/02/naba-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)