ନବରଙ୍ଗପୁର (ସୁରେଶ ନାଇଡୁ): ଗତ କିଛି ଦିନ ହେବ ଲାଗି ରହିଥିବା ଲଘୁଚାପ ବର୍ଷା ଫଳରେ ଅବିଭକ୍ତ‌ କୋରାପୁଟ ଜିଲ୍ଲାର ନଦୀ ନାଳରେ ପାଣି ଭରି ହୋଇଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସମ୍ପୁର୍ଣ୍ଣ ଜଳଭଣ୍ଡାରର କ୍ଷମତା ୬୪୨ମିଟର। ତେବେ ବିପଦସଂକୁଳ ଠାରୁ ୧.୬୪ମିଟର କମ୍ ୬୪୦.୩୬୦ମିଟରରେ ପାଣି ପହଞ୍ଚିଛି। ଏହି କ୍ରମରେ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇନ୍ଦ୍ରାବତୀ ଓ ମୁରାନ୍ ଠାରେ ଗେଟ୍ ଖୋଲିବାକୁ ରେଡ ଆଲର୍ଟ ଜାରି କରିଛନ୍ତି

Advertisment

ଗତ ବର୍ଷ ଅକ୍ଟୋବର ୩ ତାରିଖ ଦିନ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ୬୩୭.୦୯୦ ମିଟର ଜଳ ଗଛିତ ରହିଥିଲା। କିଛି ମାସ ମଧ୍ୟରେ ବାରମ୍ବାର ଲଘୁଚାପ ବର୍ଷାର ପ୍ରଭାବରେ ୩.୨୭ମିଟରର ଜଳସ୍ତର ବଢ଼ିଛି। ଶୁକ୍ରବାର ସକାଳୁ ଜଳଭଣ୍ଡାରରେ ୬୪୦.୩୬୦ମିଟର ପାଣି ଜମା ରହିଛି। ଏବେ  ଜଳ ଭଣ୍ଡାର ମଧ୍ୟରେ ୧୨୭୩୩୨ ହେକ୍ଟ ମିଟର ୮୫.୭୨ ପ୍ରତିଶତ ଜଳ ଗଛିତ ରହିଛି। ଗତ ବର୍ଷ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଏସିଆ ମହାଦେଶର ଦ୍ଵିତୀୟ ସର୍ବବୃହତମ ନଦୀବନ୍ଧ ଇନ୍ଦ୍ରାବତୀ ଜଳଭଣ୍ଡାରରେ କମ୍ ପରିମାଣରେ ଜଳ ଗଛିତ ହୋଇଥିଲା। ଫଳରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିଥିଲା।

ତେବେ ଗତ ୩ମାସରେ ବୃଷ୍ଟିପାତ ବଢ଼ିବା ସହ ଉପରମୁଣ୍ଡ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ଟିକିରି, କୋରାପୁଟ ଜିଲ୍ଲାର ଦଶମନ୍ତପୁର,‌ବୋରିଗୁମ୍ମା ବ୍ଲକର କାଠରଗୁଡା ଆଦି ଅଂଚଳରେ ବର୍ଷା ‌ହେବା ଫଳରେ ଜଳଭଣ୍ଡାରର ସ୍ଥିତି ସୁଧିରିଛି। ମୂଖିଗୁଡ଼ାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିବା ୧୫୦ କ୍ଷମତା ସମ୍ପନ୍ନ ବିଶିଷ୍ଟ ଚାରୋଟି ଟରବାଇନ୍ କାର୍ଯ୍ୟକାରୀ ହୋଇ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୪୨୩.୭୦୬ କ୍ୟୁମେକ୍ସ ଜଳ ପ୍ରବେଶ କରୁଛି।

ମୂଖିଗୁଡ଼ାସ୍ଥିତ ପାୱାରହାଉସରୁ ବିଦ୍ୟୁତ ଉତ୍ପାଦନ ୩୬୪୧ମେଘାୱାଟ୍(ଏମଡବ୍ଲୁ)ହାରାହାରି ଘଣ୍ଟା ପ୍ରତି ୧୫୧.୭୦୮ଏମଡବ୍ଲୁ/ଏଚ ଉତ୍ପାଦନ ହେଉଛି। ଜଳଭଣ୍ଡା‌ରରୁ ୫୯.୨୮୭କ୍ୟୁମେକ୍ସ ପାଣି ବାହାରୁଛି। ଏଥିରୁ ୫୦.୭୧୭ କ୍ୟୁମେକ୍ସ ଉଦବୃତ୍ତ ଜଳ ହାତୀ ବ୍ୟରେଜରେ ଗଛିତ ହେବାପରେ ତେଲନଦୀ ଏବଂ ଏହାପରେ ମହାନଦୀରେ ମିଶୁଛି। ଇନ୍ଦ୍ରାବତୀ ସ୍ଲୁଇସ ଗେଟ ଦେଇ ପ୍ରତି ସେକେଣ୍ଡ ରେ ୫.୧୫ ଜଳ ନିଷ୍କାସିତ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଏହି ଧାରାରେ ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ଏହି ଗେଟ୍ ଖୋଲାଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ।

ଗୁରୁବାର ସକାଳ ଠାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜିଲ୍ଲାରେ ୭୪୧.୬ମିଲିମିଟର ବର୍ଷା ହୋଇଛି। ଇନ୍ଦ୍ରାବତୀ ନଦୀ ପାର୍ଶ୍ବରେ ଥିବା ନନ୍ଦାହାଣ୍ଡି ବ୍ଲକରେ ୧୧୫ମିମି, ତେନ୍ତୁଳିଖୁଣ୍ଟି ବ୍ଲକରେ ୯୦ମିମି, ନବରଙ୍ଗପୁର ବ୍ଲକରେ ୬୭ମିମି, କୋଷାଗୁମୁଡ଼ା ବ୍ଲକରେ ୮୪.୬ମିମି ବର୍ଷା ହୋଇଛି। ସେହିପରି ପାପଡାହାଣ୍ଡି ବ୍ଲକରେ ୭୮ମିମି, ଡାବୁଗାଁ ବ୍ଲକରେ ୬୩.୨ମିମି, ଉମରକୋଟ ବ୍ଲକରେ ୬୫ମିମି, ରାଇଘର ବ୍ଲକରେ ୪୮ମିମି, ଝରିଗାଁ ବ୍ଲକରେ ୬୮.୪ମିମି,ଓଚନ୍ଦାହାଣ୍ଡି ବ୍ଲକରେ ୬୨.୪ମିମି ବର୍ଷା ହୋଇଛି।

ଏହା ଫଳରେ ଇନ୍ଦ୍ରାବତୀ ନଦୀର ରୁପ ଅତ୍ୟନ୍ତ ଭୟଙ୍କର ହେବା ସହ ନଦୀର ପାଣି ଏବେ ଧୀରେଧୀରେ ଜମି ଗୁଡ଼ିକୁ ମାଡି ବସୁଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୧୦୦କିଲୋମିଟର ବିଭିନ୍ନ ପଂଚାୟତର ବିଭିନ୍ନ ଗାଁର ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଇନ୍ଦ୍ରାବତୀ ନଦୀକୁଳିଆ ଗାଁର ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ରୁପେ ଅବଗତ କରିବା ସହ ସାମାନ୍ୟ ପାଣି ପଶିଲେ ତୁରନ୍ତ ଗାଁ ଛାଡ଼ିବାକୁ କୁହାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ।

Nabarangpur