ନବରଙ୍ଗପୁର/ନନ୍ଦାହାଣ୍ଡି: ଆସନ୍ତା ସାଧାରଣ ନର୍ବାଚନ ପାଇଁ ରବିବାର ସନ୍ଧ୍ୟାରୁ ଆଚରଣବିଧି ଲାଗି ହୋଇଯାଇଛି। ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥବା ହୋଡିଂ, ପୋଷ୍ଟର ଓ ବ୍ୟାନର ଗୁଡିକ ହଟାଇ ଦିଆଯାଇଛି। କୌଣସି ନୂତନ ଉନ୍ନୟନ କାର୍ଯ୍ୟ ନକରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପାଇଁ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ, ୨୬ରେ ଯାଞ୍ଚ ଓ ୨୮ ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ରହିଛି। ଏପ୍ରିଲ ୯ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ବନ୍ଦ କରିବେ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ଓ ଲୋକସଭା ଆସନ ପାଇଁ ମତଦାନ ହେବ। ମଇ ୨୩ ତାରିଖ ଦିନ ଭୋଟ ଗଣତି କରାଯିବ ବୋଲି ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷ ଠାରେ ସୂଚନା ଦେଇଛନ୍ତି। ଲୋକସଭା ଆସନ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରିଟର୍ଣ୍ଣିଂ ଅଫିସର, ନବରଙ୍ଗପୁର ଓ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ତଳୀ ପାଇଁ ଉପଜିଲ୍ଲାପାଳ ରିଟଣ୍ଣିଂ ଅଫିସର ଏବଂ ଝରିଗାଁ ଓ ଉମରକୋଟ ନିର୍ବାଚନ ମଣ୍ତଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ରିଟଣ୍ଣିଂ ଅଫିସର ରହିବେ। ପ୍ରାର୍ଥୀ ପତ୍ର ଦାଖଲ ସମୟରେ କୌଣସି ପ୍ରାର୍ଥୀ ଅପରାଧିକ କାର୍ଯ୍ୟରେ ଜଡିତ, ମାମଲା ରୁଜୁ ହୋଇଥିବା ଓ ବିଚାରାଧୀନ ରହିଥିବେ ସେ ସଂପର୍କରେ ସତ୍ୟପାଠରେ ଦର୍ଶାଇବେ। ଜିଲ୍ଲାର ୧୦ଟି ବ୍ଲକର ୯୮୩ଟି ବୁଥରେ ମତଦାନ ହେବ। ଚଳିତ ଥର ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ମଡେଲ ଡିଗ୍ରୀ କଲେଜ ଠାରେ ଷ୍ଟ୍ରଙ୍ଗରୁମ କରାଯିବ। ସେହିପରି ଗୋଟିଏ ବିଧାନସଭା ପାଇଁ ୨ଟି ଷ୍ଟ୍ରଙ୍ଗରୁମ କରାଯାଇଛି। ସେହିପରି ପ୍ରାର୍ଥୀପତ୍ର ଦାଖଲ ଓ ସତ୍ୟପାଠ ସଂପର୍କିତ ଖବର ଗଣମାଧ୍ୟମକୁ ସୂଚନା ଦେବା ପାଇଁ ନୋଟିସ ବୋର୍ଡ ଟଙ୍ଗାଯିବ। କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ କେହି ମଧ୍ୟ ସତ୍ୟପାଠ ମାଧ୍ୟମରେ ଅଭିଯୋଗ କରିପାରିବେ। ପ୍ରାର୍ଥୀ ମାନେ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ କରାବାର କରିପାରିବେ। ତା ଠାରୁ ଅଧିକ ହେଲେ ଅନଲାଇନ ଓ ଚେକ୍ ମାଧ୍ୟମରେ କାରବାର କରିବେ। ନିର୍ବାଚନ ଆଚରଣ ବିଧି ସମୟ ମଧ୍ୟରେ କୌଣସି ବ୍ୟକ୍ତି ୫୦ ହଜାର ଟଙ୍କାରୁ ଅଧିକ ନିଜ ପାଖରେ ଧରି ପାରିବେ ନାହିଁ। ବିଧାନସଭା ପ୍ରାର୍ଥୀ ୨୮ଲକ୍ଷ ଓ ଲୋକ ସଭା ପ୍ରାର୍ଥୀ ୭୦ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ। ପ୍ରାର୍ଥୀ ମାନେ ନିର୍ବାଚନ ସଂକ୍ରାନ୍ତୀୟ ଖର୍ଚ୍ଚ ପ୍ରତ୍ୟେକ ଦିନ ଉଲ୍ଲେଖ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଉପଜିଲ୍ଲାପାଳ କରୁଣାକର ରାଇକା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ, ଡେପୁଟି କଲେକ୍ଟର ପ୍ରଭାକର ପଣ୍ତା, ସହକାରୀ ଜିଲ୍ଲାପାଳ, ନିର୍ବାଚନ ବିଭାଗର ନିର୍ମଳ କୁମାର ନାୟକ, ମଧୁସୂଦନ ମାଝୀ, ରାଜେଶ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।
ନିର୍ବାଚନ ସଂପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
/sambad/media/post_attachments/wp-content/uploads/2019/03/naba-1.jpg)