ଜିଲ୍ଳାପରିଷଦ ଉପାଧକ୍ଷ୍ୟ ପଦ ଅସିଦ୍ଧ ଘୋଷଣା କରିଲେ ଜିଲ୍ଳା ବିଚାରପତି 

ନବରଙ୍ଗପୁର: ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବିକୁ ନବରଙ୍ଗପୁର ଜିଲ୍ଲା ବିଚାରପତି ଶୁକ୍ରବାର ଅସିଦ୍ଧ ଘୋଷଣା କରିଛନ୍ତି। ବର୍ଷ ୨୦୧୭ ମାର୍ଚ୍ଚ ୨୪ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହୋଇଥିଲା। ଜିଲ୍ଲାପରିଷଦ ଉପାଧ୍ୟକ୍ଷ  ଭାବେ ଡାବୁଗାଁ ଜୋନ-୨ର ଜିଲ୍ଲାପରିଷଦ ସଭ୍ୟା ନିବେଦିତା ମହାନ୍ତି ବିଜୟୀ ହୋଇଥିଲେ। ଏହାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା କୋର୍ଟରେ ବିଜେପିର ବିପକ୍ଷ ପ୍ରାର୍ଥୀ ପ୍ରିତି ସ୍ନିଗ୍ଧା ମହାପାତ୍ର  ଆବେଦନ କରିଥିଲେ। ଆଜି ଜିଲ୍ଲା ବିଚାରପତି ରାଜେନ୍ଦ୍ର ପାଣିଗ୍ରାହୀ ବିଚାରଣା କରି ଉପାଧ୍ୟକ୍ଷ  ନିର୍ବାଚନ ପ୍ରକ୍ରିୟାକୁ ଅସିଦ୍ଧ ଘୋଷଣା କରିବା ସହ ଏହି ପଦବି ପୁରଣ କରିବା ପାଇଁ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଧେଶ ଦେଇଥିବା ନେଇ  ଜିଲ୍ଳା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ସଭାପତି ଗୋବିନ୍ଦ ଜୈନ ପ୍ରକାଶ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ଯୁବ ସଭାପତି କାହ୍ନ ଦାସ, ଆଇନଜୀବୀ ଦେବୀ ପ୍ରସାଦ ସିଂ, ରମେଶ ସାହୁ ପ୍ରମୁଖ ଯୋଗଦେଇ  କହିଥିଲେ ଯେ ସରକାର ଯେଉଁ ଅଧ୍ୟାଦେଶ ଜାରି କରିଥିଲେ ତାହା ଅଗଣତାନ୍ତ୍ରିକ। ନିର୍ବାଚନର ଆଚାରଣ ବିଧିକୁ ଉଲଙ୍ଘନ କରୁଥିଲା। ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ବ୍ୟକ୍ତିଙ୍କ ଅଧିକାରକୁ ଖଣ୍ଡନ କରୁଛି। ଶେଷରେ ମାନ୍ୟବର ବିଚାରପତି ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଏଣୁ ତୁରନ୍ତ ଜିଲ୍ଲାପାଳ ଏହି ଆଦେଶକୁ ଆଦ୍ଧାର କରି ପୁନଃ ନିର୍ବାଚନ ପ୍ରକ୍ରିୟା କରନ୍ତୁ ବୋଲି କହିଥିଲେ।

ପ୍ରକାଶ ଥାଉକି ପଞ୍ଚାୟତ ନିର୍ବାଚନ ସମୟ ରେ ରାଜ୍ୟ ସରକାର ନିର୍ବାଚନ ଆଇନ ରେ ସଂଶୋଧନ କରିଥିଲେ। ଏହି ଆଇନ ଅନୁଯାୟୀ ଜିଲ୍ଲା ପରିଷଦ ଆଇନ ୧୯୯୪ ଧାରା ୫୨(ଏ) ଗୁପ୍ତ ବାଲେଟ ପେପର ବ୍ୟବସ୍ଥାକୁ ପରିବର୍ତ୍ତନ କରି ଏଜେଣ୍ଟଙ୍କ ସାମ୍ନାରେ ଭୋଟ ଦେବା ପାଇଁ ଅଧ୍ୟାଦେଶ ଜାରି ହୋଇଥିଲା। ହାଇକୋର୍ଟ ବି ଏହି ଆଇନକୁ ରଦ୍ଧ କରିଥିଲେ। ଉଚ୍ଚ ନ୍ୟାୟାଳୟର ରାୟ ଆଧାର ରେ ରାଇଘର ଜିଲ୍ଲାପରିଷଦ ସଭ୍ୟା ପ୍ରିତି ସ୍ନିଗ୍ଧା ମହାପାତ୍ର  ନବରଙ୍ଗପୁର କୋର୍ଟ ରେ ମକଦ୍ଦମା ଦାୟର କରିଥିଲେ। ନବରଙ୍ଗପୁର କୋର୍ଟ ନିର୍ବାଚନ କେସ ନଂ ୪/୨୦୧୭ରେ ଏହି ମାମଲାକୁ ବିଚାର କରି ମାନ୍ୟବର ବିଚାରପତି ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ନିର୍ବାଚନ କୁ ଅସିଦ୍ଧ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପରିଷଦ ଭାବେ ୨୬ ଗୋଟି ଆସନ ରହିଛି। ଏହି ଆସନ ମଧ୍ୟରୁ ଗତ ପଞ୍ଚାୟତ ନିର୍ବାଚନ ରେ ବିଜେଡି ୧୧ଟି ସଭ୍ୟ ହାତେଇଥିବା ବେଳେ ବିଜେପି ୭ ଗୋଟି ଓ କଂଗ୍ରେସ ୮ ଗୋଟି ପଦବି ହାତେଇଥିଲା। ଏହି ମାମଲା କୁ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା, ଦେବୀ ପ୍ରସାଦ ସିଂ, ରାମ ପ୍ରସାଦ ନାୟକ ପରିଚାଳନା କରୁଥିଲେ।

 

ସମ୍ବନ୍ଧିତ ଖବର