ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ଅର୍ଥ ଆଦାୟକୁ ନେଇ ବିବାଦ

ନବରଙ୍ଗପୁର: ଗରିବ ଗୁରୁବାଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାନା ଯୋଜନା ପ୍ରଣୟନ କରୁଛନ୍ତି। ତେବେ ନବରଙ୍ଗପୁର ଜିଲ୍ଲାରେ ଏହି ମାଗଣା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ରୋଗୀ ମାନେ। ଉମରକୋଟରୁ ନବରଙ୍ଗପୁରକୁ ଅଣାଯାଇଥିବା ଜଣେ ଗରିବ ଆଦିବାସୀ ବୃଦ୍ଧାଙ୍କ ଠାରୁ ଆମ୍ବୁଲାନସ ଡ୍ରାଇଭର ପରିବହନ ନାମରେ ୧୩୪୦ ଟଙ୍କା ଭଡା ଆଦାୟ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ଗତକାଲି ସକାଳ ସମୟରେ ଉମରକୋଟ ବ୍ଲକ ସିଂସାରୀ ପଞ୍ଚାୟତ ଅନ୍ତର୍ଗତ ତରାଙ୍ଗ ଗ୍ରାମର ସାହେବ ସିଂ ଭତରାଙ୍କ ୪ ବର୍ଷର ପୁଅ ରତନୁ ଭତରା ନିଆଁ ପୋଉଁଥିବା ବେଳେ ଗଡ ଖସି ଯାଇ ନିଆଁରେ ଓଲଟି ପଡିଥିଲା। ଫଳରେ ମୁହଁ ଭାଗଟି ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ଉକ୍ତ ଶିଶୁକୁ ଉମରକୋଟ ମେଡିକାଲରେ ଆଣି ଭର୍ତ୍ତି କରାଯାଇଥିଲା। ପରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପରିବହନ ବାବଦକୁ ରୋଗୀ ଠାରୁ ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଶିଶୁର ଜେଜେମା ଚନ୍ଦ୍ରା ଭତ୍ରାଙ୍କ କହିବା ଅନୁଯାୟୀ ଉମରକୋଟ ମେଡିକାଲରେ ଚିକିତ୍ସା ପରେ ଡାକ୍ତର ନବରଙ୍ଗପୁର ମେଡିକାଲକୁ ନେବା ପାଇଁ ପରାମର୍ଶ ଦେବାରୁ ପାଖରେ ଅର୍ଥ ନାହିଁ ବୋଲି କହିଥିଲେ। ତେବେ ଜଣେ ଡାକ୍ତର ୬ଶହ ଟଙ୍କା ଲାଗିବ ନଚେତ ମାଗଣାରେ ଉକ୍ତ ଗାଡି ନବରଙ୍ଗପୁର ନେବ ବୋଲି କହିଥିଲେ। କିନ୍ତୁ ନବରଙ୍ଗପୁର ମେଡିକାଲରେ ପହଞ୍ଚିବା ପରେ ଆମ୍ବୁଲାନସ ଡ୍ରାଇଭର ୧୩୪୦ ଟଙ୍କା ଦେବା ପାଇଁ ତାଗିଦ କରିଥିଲେ। ବୃଦ୍ଧା ଚନ୍ଦ୍ରା ନାତିର ଚିକିତ୍ସା ପାଇଁ ଧାରକରଜ କରି ଆଣିଥିବା ଅର୍ଥରୁ ଡ୍ରାଇଭରକୁ ୧୩୪୦ ଟଙ୍କା ପ୍ରଦାନ କରିବା ପାଇଁ ବାଧ୍ୟ ହୋଇଥିଲେ। ଉକ୍ତ ଆମ୍ବୁଲାନସ ସାଂସଦ ପାଣ୍ଠିରୁ ନବରଙ୍ଗପୁର ମେଡିକାଲକୁ ଦିଆଯାଇଥିଲା ବୋଲି ଜଣାପଡିଛି। ଆମ୍ବୁଲାନସଟି ନବରଙ୍ଗପୁର ମେଡିକାଲରେ ବହୁ ମାସ ଧରି ବ୍ୟବହାର ନହେବାରୁ ଉମରକୋଟ ମେଡିକାଲକୁ ପଠାଯାଇଥିଲା। ଅପର ପକ୍ଷରେ ବୃଦ୍ଧା ଚନ୍ଦ୍ରା ଗରିବ ହୋଇଥିବାରୁ ମାଗଣା ୧୦୮ ଆମ୍ବୁଲାନସ ସେବା କାହିଁକି ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି। ସେହିପରି ସାଂସଦଙ୍କ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନସ୍ ପାଇଁ ବେସରକାରୀ ଗାଡି ଭଳି ଭଡା ଦେବାକୁ ପଡିବ ତାହେଲେ ଗରିବ ରୋଗୀ ମାନେ ପ୍ରକୃତ ସେବା ପାଇବେ କିପରି ବୋଲି ଆଲୋଚନା ହେଉଛି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉକ୍ତ ବୃଦ୍ଧାଙ୍କ ଅର୍ଥକୁ ଫେରସ୍ତ ଦେବା ବ୍ୟବସ୍ଥା କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର