ନବରଙ୍ଗପୁର: ସରକାର ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଯୋଜନା ଉପରେ ଯୋଜନା କରୁଥିବା କହୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା। ଆଜି ବି ସୀମାନ୍ତରେ ଶିକ୍ଷା ଭିତ୍ତିଭୂମି ଦୁର୍ବଳ। ଆଜି ବି ସୀମାନ୍ତର ଅନୂସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଯେଭଳି ସୁବିଧା ସୁଯୋଗର ଆବଶ୍ୟକତା ମିଳିପାରିନି। ଏପରି ଚିତ୍ର ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଜ ଗାଁ ତଥା ଅଂଚଳ‌ରେ ଥିବା ରାଇଘରରେ ଥିବା ପଂଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡ଼ିବ।

Advertisment

ଜିଲ୍ଲାର ସୀମାନ୍ତ ରାଇଘର ଠାରେ ଗତ ୨୮ବର୍ଷ ତଳେ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ ସ୍ଥାପନ ହୋଇଥିବା ପଂଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ। ଏଠାରେ ଗତ ୨୮ବର୍ଷରେ ୧୦ହଜାର ପିଲା ପାଠ ପଢ଼ି  ପାସ୍ କରି ବାହାକୁ ଯାଇ ଉଚ୍ଚଶିକ୍ଷା ଲାଭ କରି ବିଭିନ୍ନ ପଦପଦବୀରେ ବି ଅବସ୍ଥାପିତ। ଗତ ୨୦୦୯ମସିହାରେ ଏହି ମହାବିଦ୍ୟାଳୟ ଗ୍ରାଣ୍ଟଇନ୍ ପାଇଥିଲା। ଏଠାରେ ରାଇଘର ବ୍ଲକର ୨୬ଟି  ପଂଚାୟତ ସହ ଉମରକୋଟ, ଝରିଗାଁ ବ୍ଲକର ବି ବିଭିନ୍ନ ପଂଚାୟତର ପିଲା ପାଠ ପଢ଼ୁଛନ୍ତି।

ଏଠାରେ ଏବେ ଯୁକ୍ତ ଦୁଇ କଳାରେ ୩୨୪ ଲେଖାଏଁ ଦୁଇ ବର୍ଷରେ ୬୨୮ ପିଲା ପଢ଼ୁଛନ୍ତି। ତା ସହ ବାଣିଜ୍ୟରେ ଦ୍ବିତୀୟ ବର୍ଷରେ ୩୬ ଓ ଏବଂ ଏହି ବର୍ଷ ୪୪ଜଣ ଏଭଳି ୮୦ଜଣ ପିଲା ପଢ଼ୁଛନ୍ତି। ଛୋଟ ବଡ ୬ଟି ଶ୍ରେଣୀ ଗୃହ ରହିଛି। ଏବେ ଏଠାରେ ପରୀକ୍ଷା ରୁମ, ଅଡିଟୋରିୟମ୍, ବାଳକ ଓ ବାଳିକା କମନ୍ ରୁମ, ଛାତ୍ରଓଛାତ୍ରୀ ହୋଷ୍ଟେଲ ଆଦିର ଆବଶ୍ୟକତା ରହିଛି। ତେବେ ତାହା ଏଯାଏଁ ହୋଇ ପାରିନି। ଛାତ୍ରଛାତ୍ରୀଙ୍କ ଅନୁସଙ୍ଗିକ ସୁବିଧା ଓ ସୁଯୋଗ କଥା ସରକାର କେବେ ବି ଭାବି ନାହାନ୍ତି। ଗତ ୮ବର୍ଷ ତଳେ ତତ୍କାଳୀନ ସରକାର ୨କୋଟି ବ୍ୟୟରେ  ୧୨୦ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରାଇଘର କଲେଜ ପରିସରରେ ନିର୍ମାଣ ଆରମ୍ଭ କରିଥିଲେ।

ଏହାରି ମଧ୍ୟରେ ଏହି କୋଠାଟିର ନିର୍ମାଣ ସରିବା ସହ ଦୀର୍ଘ ବହୁ ବର୍ଷ ହେବ ଦଣ୍ଡାୟମାନ ହୋଇ ଅବ୍ୟବହୃତ ଭାବେ ପରିତ୍ୟକ୍ତ ହୋଇ ପଡି ରହିଛି। ଅପରପକ୍ଷରେ ଏହି ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ରାଇଘରରେ ଭଡା ଘର ନେଇ ଏହି କଲେଜରେ ପଢ଼ୁଛନ୍ତି। ୩୦କିଲୋମିଟର ପରିଧି ଦୂରତାରୁ ଆସୁଥିବା ଗରିବ ଛାତ୍ରଛାତ୍ରୀ ମାନେ ମେସ୍ କରି ରହି ପଢ଼ୁଛନ୍ତି।

ଏନେଇ କଲେଜର ଅଧ୍ୟକ୍ଷ ପରିକ୍ଷିତ ସାହୁ ତତ୍କାଳୀନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଠାରୁ ଆରମ୍ଭ କରି ବିଧାୟକ , ଜିଲ୍ଲାପ୍ରଶାସନ ଆଦିଙ୍କୁ ଜଣାଇଥିଲେ। ଏବେ ପୁଣି ନୂଆ ସରକାର ଆସିବା ପରେ କଲେଜର ସମସ୍ୟା ଓ ଭିତ୍ତିଭୂମିର ସୁଧାରକୁ ନେଇ  ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ଆଦିକୁ ଅବଗତ ବି କରିଛନ୍ତି। ତା ବାଦେ ବି କିଛି ଆଶୁ ପଦକ୍ଷେପ ସରକାର ନେଇନାହାନ୍ତି। ଅପରପକ୍ଷରେ ଏଠାରେ ଅଧିକାଂଶ ଅନୂସୂଚିତ ଜାତି ଓ ଜନଜାତିର ଗରିବ ଶ୍ରେଣୀର ପିଲା ମାନେ ପାଠ ପଢ଼ୁଛନ୍ତି। ଏମାନେ ଭିତ୍ତିଭୂମି ନଥିବାରୁ ବାଧ୍ୟ ହୋଇ ବାହାରେ ଘର ଭଢ଼ା କରି ରହି ପରିବାରକୁ ଅତିରିକ୍ତ ବୋଝ ଲଦୁଛନ୍ତି। ଗତ ଜାନୁଆରୀ ମାସରେ ଗଣଶିକ୍ଷା ମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେଇ ପଦ‌କ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ ହେଁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନି।

Education