ଭିଜିଲାନ୍ସ ଫାଶରେ ହାଟଭରଣ୍ଡି ଫାର୍ମାସିଷ୍ଟ:୨ କୋଟି ଟଙ୍କାର ସମ୍ପତ୍ତି ଠାବ

ରାଇଘର/ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ବଳରାମ ବେହେରା। ତାଙ୍କ ଘର ଏବଂ ସରକାରୀ କ୍ୱାର୍ଟର୍ସରେ ଆଜି ଭିଜିଲାନ୍ସ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୨ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି। ଚଢ଼ାଉ ପ୍ରକ୍ରିୟା ଜାରି ରହିଥିବାରୁ ଆହୁରି ଅଧିକା ସଂପତ୍ତି ଠାବ କରାଯିବାର ସମ୍ଭାବନା ରହିଛି ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିିଛି। ସମ୍ଭା ଚାଲୁ ରହିଥିବାରୁ ଏହି ସମ୍ପତ୍ତିର ମୁଲ୍ୟ ବଢ଼ିବାର ଆଶଙ୍କା କରାଯାଉଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୪ଟା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଥିଲା। କୋରାପୁଟ ଭିଜିଲାନସ ଏସପି ହରେକୃଷ୍ଣ ବେହେରାଙ୍କ ନିର୍ଦେଶରେ ୩୬ ଜଣ ଅଧିକାରୀ ୫ଟି ଟିମରେ ଭାଗ ହୋଇ ହାଟଭରଣ୍ଡି ସ୍ଥିତ ମେଡିକାଲ କ୍ୱାର୍ଟର୍ସ ଓ କୋଦାଭଟା ଗାଁରେ ଥିବା ଘର ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ତାଙ୍କର ୩ଟି ଦୁଇ ମହଲା କୋଠା, ଗୋଟିଏ ଏକ ମହଲା ବିଶିଷ୍ଟ କୋଠା, ଗୋଟିଏ ଆଜବେଷ୍ଟ ଘର ଓ ୬ ଗୋଟି ଦୋକାନ ଘର ଥିବା ମାର୍କେଟ କମ୍ପ୍ଳେକ୍ସ ଏବଂ ନଗଦ ୬୮ ହଜାର ୪ଶହ ଟଙ୍କା ଠାବ କରାଯାଇଛି। ସେହିପରି ଗୋଟିଏ ଟାଟା ସଫାରୀ ଗାଡି, ଗୋଟିଏ ସ୍ପ୍ଳେଣ୍ଡର ମୋଟର ସାଇକେଲ, ୨ଗୋଟି ହୋଣ୍ଡା ୟୁନିକର୍ଣ୍ଣ ଗାଡି ଓ ଗୋଟିଏ ସ୍କୁଟିକୁ ଠାବ କରାଯାଇଛି। ତାଙ୍କ ପୁଅର ଏକ ହାର୍ଡେଓ୍ଵର ଷ୍ଟୋର ଉପରେ ଚଢ଼ାଉ କରାଯିବା ସହ ବିଭିନ୍ନ ଜାଗା ଓ ଚାଷଜମିର କାଗଜ ପତ୍ର ଜବତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ଏସ୍‌ପି ହରେକୃଷ୍ଣ ବେହେରା ସୂଚନା ଦେଇଛନ୍ତି। ତଦନ୍ତ ସରିଲେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଡିଏସପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଜୟପୁର ଡିଏସପି ହନେରୀ କୁଲୁ, ଜୟପୁର ଇନିସପେକ୍ଟର ଦୀନବନ୍ଧୁ ବେହେରା ଓ ପ୍ରମିଳା ସୁନା , ମାଲାକାନାଗିରି ଇନସପେକ୍ଟର ଶରତ ଚନ୍ଦ୍ର ସାହୁ, ଭାବାନୀପାଟନା ଇନସପେକ୍ଟର ଶିବ ରାମ ସାହୁ, ରାୟଗଡା ଇନସପେକ୍ଟର କଳାବତି ବାଘ, ନୂଆପଡା ଇନସପେକ୍ଟର ଅଶୋକ ବିରୁଆ, ବାଣିଜ୍ୟ କର ବିଭାଗର ସିଟିଓ, ଏସିଟିଓ ପ୍ରମୁଖଙ୍କ ସମେତ ୩୬ଜଣ ଅଧିକାରୀ ଏହି ଚଢ଼ାଉରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର