ସାର ଅଭାବ ନେଇ ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ସାରର କୃତ୍ରିମ ଅଭାବ ପରେ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଜି ଦିନ ସାଢେ଼ ୧୦ଟାରୁ ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଚାରିଛକକୁ ଅବରୋଧ କରି ରଖିଛନ୍ତି।  ଚାଷୀଙ୍କୁ ସାର ଦିଆଗଲେ ରାସ୍ତା ଅବରୋଧ ହଟାଯିବ ବୋଲି ଚାଷୀ ଜିଦ୍ ଧରି ବସିଛନ୍ତି। ଚାଷୀଙ୍କୁ ସମର୍ଥନ ଜଣାଇ ବ୍ଲକ କୃଷକ ମହାସଂଘ, କଂଗ୍ରେସ ଓ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରାକୁ ସମର୍ଥନ ଦିଆଯାଇଛି।

ଡାବୁଗାଁ ବ୍ଲକରେ ସାରର ଅଭାବ ନେଇ ବ୍ଲକ କୃଷକ ମହାସଂଘ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିବା ବେଳେ ଗତଦିନ ବ୍ଲକର ଶତାଧିକ ଚାଷୀ ତହସିଲଦାର ସନ୍ଧ୍ୟା ସୋମ ରଥଙ୍କୁ ଘେରାଉ କରି ସାର ଯୋଗାଣ କରିବାକୁ କହିଥିଲେ। ତୁରନ୍ତ ସାର ଯୋଗାଣ କରା ନ ଗଲେ ମଙ୍ଗଳବାର ୧୦ ତାରିଖରେ ବିକ୍ଷୋଭ ସହ ସାର ଯୋଗାଣ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବୁ ବୋଲି ଚାଷୀ ଚେତାବନୀ ଦେଇଥିଲେ। ତେବେ ଏହାପରେ ମଧ୍ୟ ସାର ଯୋଗାଣ ହୋଇ ନ ଥିବାରୁ ଆଜି ଶତାଧିକ ସଂଖ୍ୟାରେ ଚାଷୀ ପୂର୍ବାହ୍ନ ୧୦ଟା ସମୟରୁ ତହସିଲଦାରଙ୍କ କାର୍ଯ୍ୟାଳୟକୁ  ଯାଇ ଡାବୁଗାଁ ମୁଖ୍ୟ ଚାରିଛକ ଠାରେ ଏକତ୍ରିତ ହୋଇ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଏହାଦ୍ଵାରା ଦୀର୍ଘ ସମୟ ଧରି ଯାନବାହନ ଅଟକି ରହିଛି। ଘଟଣାସ୍ଥଳକୁ ଡାବୁଗାଁ ତହସିଲଦାର ସନ୍ଧ୍ୟା ସୋମ ରଥ, ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଧନୁର୍ଜୟ ଜାନି, ଭାରପ୍ରାପ୍ତ ଲ୍ୟାମ୍ପ ଶାଖା ପରିଚାଳକ ଆର ଶଙ୍କର ରାଓ ପ୍ରମୁଖ ଯାଇ ଚାଷୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ବି ଚାଷୀ କାହା କଥା ଶୁଣୁ ନାହାନ୍ତି।

ଏହି  ଚାଷୀ ଆନ୍ଦୋଳନକୁ  ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ, ବ୍ଲକ କୃଷକ ସଂଘ ସଭାପତି ସତ୍ୟରଞ୍ଜନ ପାତ୍ର, ଉପସଭାପତି ରାଜେନ୍ଦ୍ର କୁମାର ମିଶ୍ର, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶୁଭଜିତ ପାଣିଗ୍ରାହୀ, ବରିଷ୍ଠ  ବିଜେପି ନେତା ଦିବାନ ସିଂହ, ନରେଶ ସିଂହ, କଂଗ୍ରେସ ଓ ବିଜେପି ଦଳର ସମର୍ଥକ ଓ ଶତାଧିକ ସଂଖ୍ୟାରେ ଚାଷୀ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର