ନବରଙ୍ଗପୁର: ସବୁଠି ମାଣ୍ଡିଆର ଚାହିଦା ବୃଦ୍ଧି ପାଉଛି। ଉତ୍ପାଦନ ସହ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ଲାଭଦାୟକ। ମିଲେଟ ଚାଷରେ ଓଡ଼ିଶା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ସ୍ଥାୟୀ ତଥା ପୁଷ୍ଟିକର ଖାଦ୍ୟ ଉତ୍ସ ଭାବରେ ମିଲେଟକୁ ରାଜ୍ୟସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ରାଜ୍ୟ ସରକାର ଶ୍ରୀଅନ୍ନ ଅଭିଯାନ ଅଧୀନରେ ୧୭୭ଟି ବ୍ଲକରେ ମାଣ୍ଡିଆ ଚାଷକୁ ସମ୍ପ୍ରସାରଣ କରାଯାଇଛି। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ବି ଶ୍ରୀଅନ୍ନ ଅଭିଯାନରେ ମାଣ୍ଡିଆ ଓ ଅଣମାଣ୍ଡିଆ ଚାଷ କରିବାକୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ପୂରଣ କରିବା ଦିଗରେ ଜିଲ୍ଲା ବିଫଳ ହୋଇଛି। ଗତବର୍ଷ ପଡୋଶୀ କୋରାପୁଟ ଜିଲ୍ଲା ଶ୍ରୀଅନ୍ନ ଅଭିଯାନ ଲକ୍ଷ୍ୟରେ ସଫଳତା ହୋଇ ପୁରସ୍କୃତ ହୋଇଥିଲା।

Advertisment

ଗୋଟିଏ ମାଳଭୂମି ଏବଂ ପୁରୁଣା ଅଭିବକ୍ତ କୋରାପୁଟ ଜିଲ୍ଲାର ମୂଳ ଉତ୍ପାଦ ଧାନ ପରେ ମାଣ୍ଡିଆ ଚାଷରେ ନବରଙ୍ଗପୁର ଜିଲ୍ଲା ଲକ୍ଷ୍ୟ ହାସଲରେ ପଛାଇବା  ନିଶ୍ଚିତ ରୁପେ ଚିନ୍ତାଜନକ। କୃଷି ପ୍ରଧାନ ନବରଙ୍ଗପୁର ଜିଲ୍ଲାର ୧୦ବ୍ଲକରେ ୬୪୦୦ହେକ୍ଟରରେ ମାଣ୍ଡିଆ ଚାଷର ଲକ୍ଷ୍ୟ ରହିଥିବା ବେଳେ ୩୭୮୫ହେକ୍ଟରରେ ଏହି ଚାଷ ହୋଇଛି।

ସେହିପରି ଅଣମାଣ୍ଡିଆ ଚାଷ ୯୫୦ହେକ୍ଟର (ବାଜ୍ରା, ସୁଆଁ) ଆଦି ଲକ୍ଷ୍ୟ ରହିଥିବା ବେଳେ ୫୭୪ହେକ୍ଟରରେ ହିଁ ଏହି ଚାଷ ହୋଇଛି।  ଚନ୍ଦାହାଣ୍ଡି ବ୍ଲକରେ ମାଣ୍ଡିଆ ଚାଷ ୩୦୦ହେକ୍ଟର ଲକ୍ଷ୍ୟ ରହିଥିବା ବେଳେ ୧୦୫ହେକ୍ଟର ହୋଇଛି। ଡାବୁଗାଁରେ ୫୫୦ରୁ ୨୭୫, ଝରିଗାଁରେ ୧୦୦୦ରୁ ୭୧୦, କୋଷାଗୁମୁଡ଼ାରେ ୯୦୦ରୁ ୬୨୦, ନବରଙ୍ଗପୁରରେ ୫୦୦ରୁ ୨୨୫, ନନ୍ଦାହାଣ୍ଡିରେ ୫୫୦ରୁ ୨୯୫, ପାପଡ଼ାହାଣ୍ଡିରେ ୧୦୦୦ରୁ ୫୬୦, ରାଇଘରରେ ୫୬୦ରୁ ୩୪୦, ତେନ୍ତୁଳିଖୁଣ୍ଟିରେ ୪୪୦ରୁ ୧୭୦ ଓଉମରକୋଟରେ ୬୦୦ରୁ ୪୮୫ହେକ୍ଟର ଏଭଳି ୩୭୮୫ହେକ୍ଟର ଚାଷ ହୋଇଛି।

ସେହିପରି ଅଣମାଣ୍ଡିଆ ଚାଷ ନନ୍ଦାହାଣ୍ଡିବ୍ଲକରେ ୭୦ ହେକ୍ଟର ଲକ୍ଷ୍ୟ ରହିଥିବା ବେଳେ ଲକ୍ଷ୍ୟଠାରୁ ଅଧିକା ୧୦୫ହେକ୍ଟର ଏଭଳି ୧୭୫ହେକ୍ଟର ଚାଷ ହୋଇଛି। ନବରଙ୍ଗପୁର ବ୍ଲକରରେ ୧୨୦ହେକ୍ଟର ଲକ୍ଷ୍ୟ ରହିଥିବା ବେଳେ ଏହି ବ୍ଲକରେ ଶତପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ବଳକା ୮ଟି ବ୍ଲକରେ ଲକ୍ଷ୍ୟ ପୂରଣ ହୋଇପାରିନି। ଚନ୍ଦାହାଣ୍ଡି ବ୍ଲକରେ ୪୦ହେକ୍ଟର ଲକ୍ଷ୍ୟ ରହିଥିବା ବେଳେ ୫ହେକ୍ଟର ହୋଇଛି। ଡାବୁଗାଁରେ ୫୦ରୁ ୩, ଝରିଗାଁରେ ୪୦ରୁ ୧୪, କୋଷାଗୁମୁଡାରେ ୧୨୦ରୁ ୯୦, ପାପଡାହାଣ୍ଡିରେ ୧୨୦ରୁ ୨୧,ରାଇଘରରେ ୫୦ରୁ ୨୫, ତେନ୍ତୁଳିଖୁଣ୍ଟିରେ ୨୫୦ରୁ ୬୬ ଓଉମରକୋଟରେ ୯୦ରୁ ୫୫୫ହେକ୍ଟର ଏଭଳି ୫୭୪ହେକ୍ଟର ଚାଷ ହୋଇଛି।

ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ଗୁରୁତ୍ବ ଦେବା ସହ ବିକ୍ରିବଟା ପାଇଁ ବଜାର ବି ଯୋଗାଇବା ସହ ମଣ୍ଡି ବି କରୁଛନ୍ତି। ମଣ୍ଡିରେ ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ବି ବିତରଣ କରାଯାଉଛି। ଜିଲ୍ଲାର ଚାଷୀମାନେ ଅଧିକା ସଂଖ୍ୟାରେ ମକାଚାଷକୁ ଗୁରୁତ୍ବ ଦେଉଥିବାରୁ ମାଣ୍ଡିଆ ଚାଷ କରିବାକୁ ଚାହୁଁ ନାହାନ୍ତି ବୋଲି ମୁଖ୍ୟଜିଲ୍ଲା କୃଷି ଅଧିକାରୀ ସୁଧି ରଂଜନ ବେହେରା କହିଛନ୍ତି। ଅପରପକ୍ଷରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଜିଲ୍ଲାର ପାରମ୍ପରିକ ମାଣ୍ଡିଆ ଚାଷ ଯେଭଳି ଲକ୍ଷ୍ୟ ପୂରଣ ହୋଇ ପାରିବ ଏବଂ ଶ୍ରୀଅନ୍ନ ଅଭିଯାନରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକା ପ୍ରଚାର ଓ ପ୍ରସାର କରି ଚାଷୀଙ୍କୁ ସାମିଲ କରିବାକୁ ସମସ୍ତ ବ୍ଲକ ଓ କ୍ଷେତ୍ର କୃଷି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Nabarangpur