ନବରଙ୍ଗପୁର: ଜିଲ୍ଲାର ଅମିଷ ବଜାରକୁ କବଜା କରିଛି ଆନ୍ଧ୍ର। ବ୍ରଏଲର କୁକୁଡା, ଅଣ୍ଡା ଠାରୁ ଆରମ୍ଭ କରି ମାଛ ବଜାରକୁ ବି ଅକ୍ତିଆର କରିଛି ଆନ୍ଧ୍ର। ରାଜ୍ୟ ସରକାର ମାଛ ଉତ୍ପାଦନ ବୃଦ୍ଧି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମତ୍ସ୍ୟପୋଖରୀ ଯୋଜନା, ଗ୍ରାମ ପଞ୍ଚାୟତ ପୋଖରୀରେ ଏସଏଚଜି ଦ୍ୱାରା ଉନ୍ନତ ପ୍ରଣାଳୀରେ ବାୟୋଫ୍ଲକ୍ ପଦ୍ଧତିରେ ଚାଷ, ଜଳଭଣ୍ଡାରରେ ପଞ୍ଜୁରୀ ମଧ୍ୟରେ ଚାଷ, ନୂଆ ପୋଖରୀ ସ୍ଥାପନ ଆଗ୍ରହୀ ହିତାଧିକାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ବୈଷୟିକ ଜ୍ଞାନକୌଶଳ ପ୍ରଦାନର ଯୋଜନା ରହିଛି। ଆଗ୍ରହୀ ମାଛଚାଷୀ ଓ ମତ୍ସ୍ୟଜୀବୀଙ୍କୁ ମାଛ ଚାଷରେ ବ୍ୟବହୃତ ସରଞ୍ଜାମ ଯଥା ଜାଲ, ନୂତନ ଡଙ୍ଗା, ପାରମ୍ପରିକ ଡଙ୍ଗାକୁ ଯନ୍ତ୍ରଚାଳିତ କରିବା ପାଇଁ ଇଞ୍ଜିନ୍ ଇତ୍ୟାଦି କିଣିବା ପାଇଁ ଆର୍ଥିକ ସହାୟତା ବି ରହିଛି। ମାଛର ରୋଗ ନିରୂପଣ ପାଇଁ ଅତ୍ୟାଧୁନିକ ପରୀକ୍ଷାଗାର ସ୍ଥାପନ, ମାଛର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସ୍ଥାପନ, ବିକ୍ରୟ ପାଇଁ ଅତ୍ୟାଧୁନିକ ମାଛ ବଜାର ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି। ତେବେ ଏସବୁ ଯୋଜନା ନବରଙ୍ଗପୁର ଜିଲ୍ଲାରେ ଫେଲ୍ ମାରିଛି।
ଜିଲ୍ଲାରେ ମତ୍ସ୍ୟପୋଖରୀ ଯୋଜନା (କମ୍ପୋନେଣ୍ଟ-୧) ନୂତନ ପୋଖରୀ ଖନନ୍ କରିବା ପାଇଁ ୧୧୫୦ ଏକର ଲକ୍ଷ୍ୟ ରହିଥିବା ବେଳେ ଏଯାଏ ୫୭.୦୫ଏକରର ହୋଇ ପାରିଛି। ମତ୍ସ୍ୟପୋଖରୀ ଯୋଜନା (କମ୍ପୋନେଣ୍ଟ-୨)ରେ ୨୭.୫ଏକର ପୋଖରୀ ଖନନ୍ ଲକ୍ଷ୍ୟ ରହିଥିବା ବେଳେ ମାତ୍ର ଗୋଟିଏ ଏକରରେ ହୋଇଛି। ମତ୍ସ୍ୟ ଚାଷୀଙ୍କୁ ଚାଷ ଯନ୍ତ୍ରପାତି ସରଞ୍ଜାମ ଯଥା ଜାଲ ୭୫ଟି ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ୨୦ଟି ଦିଆଯାଇଛି। ଏସଏଚଜି ଗୃପ ଦ୍ବାରା ଗ୍ରାମପଂଚାୟତ ପୋଖରୀ ନିଲାମରେ ନେଇ ମାଛ ଚାଷ ପାଇଁ୧୧୨.୫ଏକରର ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ଲକ୍ଷ୍ୟ ହିଁ ପୁରଣ ହୋଇ ପାରିନି।
କମ୍ପୋନେଣ୍ଟ-୨ରେ ୨୮୭.୫ଏକରର ଲକ୍ଷ୍ୟ ଥିବା ବେଳେ ୪୭.୨୫ଏକର ଓ କମ୍ପୋନେଣ୍ଟ-୩ରେ ୨୭୫ଏକର ଲକ୍ଷ୍ୟ ରହିଥିବା ବେଳେ ୩୮ଏକରରେ ହୋଇଛି। ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ୧୭୦ଟି କରିବାକୁ ଲକ୍ଷ୍ୟ ରହିଥିବା ବେଳେ ମାତ୍ର ୧୮ଟି କାର୍ଯ୍ୟକାରୀ ହୋଇଛି। ସେହିପରି ମାଛ ଯାଁଳା ଉତ୍ପାଦନ ନିମନ୍ତେ ସହାୟତା ଦେବାକୁ ୧୧୪ଏକର ଲକ୍ଷ୍ୟ ରହିଥିବା ବେଳେ ୭୧.୬ଏକରରେ ହିଁ ହୋଇ ପାରିଛି। ଏତେ ସବୁ ଯୋଜନା ରହିବା ସତ୍ତ୍ବେ ଏସଏଚଜି ଗୃପ ମହିଳା ଓ ଚାଷୀ ମାନେ ସାମିଲ ନହେବା ପଛରେ ବ୍ୟାପକ ପ୍ରଚାର ଓ ପ୍ରସାର ସହ ସଚେତନତା ଅଭାବ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ।
ସମଗ୍ର ଜିଲ୍ଲାରେ କେବଳ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ଉମରକୋଟ, ରାଇଘର, ଝରିଗାଁ ,ନନ୍ଦାହାଣ୍ଡି ବ୍ଲକରେ ହିଁ ମାଛ ଚାଷ ଅଧିକା ହେଉଛି ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲା ପାଇଁ ବର୍ଷକୁ ୨୦ହଜାର ମେଟ୍ରିକ ଟନ୍ ମାଛର ଆବଶ୍ୟକତା ରହିଥିଲେ ହେଁ କେବଳ ଅଧା ମାଛ ହିଁ ଜିଲ୍ଲାର ଚାଷୀ ଓ ଜଳଭଣ୍ଡାର ଗୁଡିକରୁ ବାହାରିବା ମାଛ ମେଣ୍ଟାଉଛି। ବଳକା ମାଛ ଆନ୍ଧ୍ରରୁ ଆସିବା ଦ୍ବାରା ଲୋକଙ୍କ ଚାହିଦା ମେଣ୍ଟୁଛି ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ବି ମାନୁଛି। ଏହାକୁ କିଭଳି ରୋକାଯାଇ ହେବ ତାହାକୁ ନେଇ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/25/ngp-macho-chaso-3-2025-09-25-20-49-06.jpg)