ନବରଙ୍ଗପୁର (ସୁରେଶ ନାଇଡୁ): ବନସୁରକ୍ଷା ସମିତି କରି ବାରମ୍ବାର ସଚେତନ କରିବା ପରେ ବି ଜଙ୍ଗଲ ପାର୍ଶ୍ବ ଗ୍ରାମାଂଚଳର ଲୋକେ ସଚେତନ ହେବାର ନାଁ ନେଉନାହାନ୍ତି। ପୋଡୁଚାଷ ଓ ମକାଚାଷ ପାଇଁ ବ୍ୟାପକ ଭାବେ ​ଛୋଟ ବଡ ଜଙ୍ଗଲ, ପାହାଡରେ ନିଆଁ ଲଗାଉଛନ୍ତି।  ଜଙ୍ଗଲରେ ଡାଳପତ୍ର ଶୁଖିଲା ପଡ଼ିଥିବାରୁ କେଉଁଠି ଟିକେ ନିଆଁ ଲାଗିଗଲେ ଏହା ବ୍ୟାପିବା ସହ ବ୍ୟାପକ ହେଉଛି। ଏପରିକି ଏବର୍ଷ ବନାଗ୍ନିରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ହୋଇଛି। ଏଥି ପାଇଁ ରାଜ୍ୟସ୍ତରୀୟ ଅଧିକାରୀ ମାନେ ବନଖଣ୍ଡଅଧିକାରୀଙ୍କୁ ତାଗିଦ୍ କରିବା ସହ ତୀକ୍ଷଣ ନଜର ରଖିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଚଳିତବର୍ଷ ନବରଙ୍ଗପୁର ବନଖଣ୍ଡରେ ଜାନୁଆରିରୁ ଫେବ୍ରୁଆରି ୨୭ ଯାଏଁ ୬୬୩ଟି ସ୍ଥାନରେ ୧୨୦.୧୬ହେକ୍ଟର ପରିମିତ ଅଂଚଳରେ ନିଆଁ ଲାଗି ସାରିଲାଣି। ଦିନକୁ ୩୦ଟି ସ୍ଥାନରେ ନିଆଁ ଲାଗୁଛି। ଜଙ୍ଗଲ ମଧ୍ୟରେ ୬୪୨ଟି ସ୍ଥାନରେ ଏବଂ ବାହାରେ ୨୧ଟି ସ୍ଥାନରେ ନିଆଁ ଲାଗିଥିଲା। ୧୫୬ଟି ସ୍ଥାନରେ ବେଶିପରିମାଣର ନିଆଁ ଲାଗିଥିବା ବେଳେ ୧୧ଟି ସ୍ଥାନରେ ବାରମ୍ବାର ନିଆଁ ଲାଗୁଥିବା ସ୍ଥାନ ଚିହ୍ନଟ ହୋଇଛି।  

ଗତ ଜାନୁଆରିରୁ ଆଜି ଯାଏଁ ସର୍ବାଧିକ ଝରିଗାଁ ରେଂଜରେ ୨୨୨ଟି ସ୍ଥାନରେ ନିଆଁ ଲାଗିଛି। ସେହିପରି ତା ତଳକୁ ରାଇଘର ରେଂଜରେ ୨୦୩, ଉମରକୋଟ‌ ରେଂଜରେ ୧୭୬ ସ୍ଥାନରେ ଲାଗିଛି। କୋଡିଙ୍ଗା ରେଂଜରେ ୨ଟି, ନବରଙ୍ଗପୁର ରେଂଜରେ ୨୧ଟି ଓ ଡାବୁଗାଁ ରେଂଜରେ ୩୯ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରିଥିବା ଡିଭିଜନରୁ ସୂଚନା ମିଳିଛି। ଜିଲ୍ଲାର ସର୍ବାଧିକ ଉମରକୋଟ ରେଂଜର ତୋହାରା ଠାରେ ୧୧୬ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ୪୫ଟି ବଡ ସ୍ଥାନରେ ଲାଗିଛି। ସୁନାବେଡାର ୧୫ଟିରୁ ୮ଟି ବଡ, ଜାମଦୋରା ୧୯ରୁ ୮ଟି ସ୍ଥାନରେ ନିଆଁଲାଗିଛି। ରାଇଘର ରେଂଜର ଗୋନାରେ ୫୬ଟିରେ ନିଆଁ ଲାଗିଥିବା ବେଳେ  ୨୬ଟି ବଡ ସ୍ଥାନ । ସେହିପରି ଟିମନପୁର ୨୧ରୁ ୬ଟି, କିଲୋଲି ୧୩ରୁ ୩ଟି, ହାତୀଗାଁ ୧୦ରୁ ୨ଟି, ଝରିଗାଁ ରେଂଜର ଇଛାପୁରର ୪୦ଟିରୁ ଗୋଟିଏ, ଝରିଗାଁ ୩୨ରୁ ୯ଟି, ବାତଲଜୋର ୨୨ରୁ ୩ଟି, ବନ୍ଦକୋଣା ୧୫ରୁ ୫ଟି, ଡାବୁଗାଁ ରେଂଜର ୨୧ରୁ ଗୋଟିଏ, ଜଟାବାଲରେ ୬ରୁ ୫ଟି ରେ ଅଧିକା ନିଆଁ ଲାଗିଥିବା ଚିହ୍ନଟ ହୋଇଛି। 

ଆହୁରି ପଢ଼ନ୍ତୁ: Call of the Wildfire: ବନାଗ୍ନିର ଆହ୍ବାନ

ପ୍ରକାଶଯୋଗ୍ୟ, ଗତ ୨୦୨୪ଜୁନ ମାସ ଯାଏଁ ୭୧୮ଟି ଓ ୨୦୨୫ମସିହାରେ ୧୨୫୬ଟି ସ୍ଥାନରେ ନିଆଁ ଲାଗିଥିଲା। ଗତ ବର୍ଷ ଜାନୁଆରି ଓ ଫେବ୍ରୁଆରି ମାସରେ ୭୩୭ଟି ସ୍ଥାନରେ ଲାଗିଥିବା ବେଳେ ଏବର୍ଷ ୭୪ଟି ସ୍ଥାନ କମିଛି। ତା ବାଦ୍‌ ବି ରାଜ୍ୟରେ ସର୍ବାଧିକ ନିଆଁ ନବରଙ୍ଗପୁର ଜିଲ୍ଲାରେ ଲାଗିଛି। ଛୋଟ ବଡ଼ ପାହାଡରେ ନିଆଁ ଲଗାଉଥିବାରୁ ପାରାସ୍କ୍ବାର୍ଡ, ନିଆଁ ଲିଭା ଦଳ ପାହାଡ ଉପରକୁ ଯାଇ ଲିଭାଇ ତଳକୁ ଫେରିବା ବେଳକୁ ପୁଣି ଲାଗୁଛି। ନିଆଁ ଲିଭାଇ ଲିଭାଇ ନାକେଦମ୍ ହୋଇ ପଡ଼ିଛି ବନବିଭାଗ। ଯେତେ ବନସୁରକ୍ଷା ସମିତି ଗଠନ କରି ସଚେତନତା ସୃଷ୍ଟି କରିବା ବାଦେ ମଧ୍ୟ ଜାଳେଣୀ କାଠ, ମକା ଚାଷ, ପଢ଼ୁଚାଷ କରିବା ପାଇଁ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଏସିଏଫଓ ସୁଶାନ୍ତ ଖୁଣ୍ଟିଆ। ନିଆଁ ଲିଭାଇବା ସ୍ଥାନରେ ଜୀବନକୁ ବାଜି ଲଗାଇ କାମ  ବିଭାଗର କର୍ମଚାରୀ ମାନେ କାମ କରୁଛନ୍ତି ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା।