ଦ୍ରୁତଗାମୀ ଟ୍ରକ ନେଲା ୪ ଜୀବନ: ଉମରକୋଟରେ ମାଆ-ଝିଅ ମୃତ, ଅନୁଗୁଳରେ ୨ ଯୁବକ ମୃତ

ଅନୁଗୁଳ/ଉମରକୋଟ: ଦ୍ରୁତଗାମୀ ଟ୍ରକ ଗୁରୁବାର ୪ଜଣଙ୍କର ଜୀବନ ନେଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଦରଘାଗୁଡ଼ାରେ ବାଇକ ଉପରେ ଟ୍ରକ ମାଡ଼ିଯିବାରୁ ମାଆ-ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସେହିଭଳି ଅନୁଗୁଳ ଜିଲ୍ଲାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ ଭଗବାନ ପରଜା ନିଜ ଭଉଣୀ ସୁରମ୍ବା ସାନ୍ତା(୨୧) ଓ ଭାଣଜୀ ଅଙ୍କିତା ସାନ୍ତା(୧)କୁ ବାଇକରେ ନେଇ ନବରଙ୍ଗପୁର ବସ୍‌ଷ୍ଟାଣ୍ଡରେ ଛାଡିବା ପୂର୍ବରୁ ଦ୍ରୁତ ଗତିରେ ଯାଉଥିବା ଟ୍ରକ(ସିଜି ୦୪ ଜେସି ୦୮୦୬) ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଟ୍ରକ ଚାଳକଙ୍କୁ କାବୁ କରିବା ପରେ ପୁଲିସକୁ ଜିମା ଦେଇଥିଲେ। ପୁଲିସ ଚାଳକକୁ ଗିରଫ କରି ଟ୍ରକ ଜବତ କରିଛି।

ଉମରକୋଟ ପହଞ୍ଚିବାକୁ ଆଉ ଗୋଟିଏ କିଲୋମିଟର ଦୂର ଥିବା ବେଳେ ୩ଜଣ ଦୁର୍ଘଟଣାର ଶିକାର ହୋଇଥିଲେ। ଆହତ ଭଗବାନକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି। ଫଳରେ ନବରଙ୍ଗପୁର-ଉମରକୋଟ ରାସ୍ତାରେ ଶହ ଶହ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେହିପରି ଅନୁଗୁଳ ଜିଲ୍ଲା ମୂଷାପାପୁଲିଠାରେ ମଧ୍ୟ ଜାତୀୟ ରାଜପଥ ୫୫ ନମ୍ବରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ(ଓଡି ୧୯ଏଲ ୦୯୬୯) ଧକ୍କା ଦେବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବନ୍ତଳା ଥାନା ଅଞ୍ଚଳରେ ବାଲି ବୋଝେଇ ଟ୍ରକ ବଡ଼କେରାରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ପାକୁତୁଙ୍ଗା ଗାାଁର ତାପସ ସାହୁ(୨୧)ଙ୍କ ସହିତ ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ୨ୟ ଯୁବକଙ୍କର ପରିଚୟ ମିିଳିନାହିଁ। ଘଟଣା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକେ ଟ୍ରକରେ ନିଅାଁ ଲଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର