ଗ୍ୟାସ୍‌ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ, ଜଳିଗଲା ୩ବଖରା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ନିକଟସ୍ଥ ସୋରିଷଭଟ୍ଟା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍‌ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯିବା ପରେ ପରିବାର ଲୋକ ଚିନ୍ତାରେ ପଡିଛନ୍ତି।
ସୂଚନା ଅନୁଯାୟୀ, ସୋରିଷପଦର ଗ୍ରାମର ନବୀନ ବେହେରା ଆଜି ରାତି ପ୍ରାୟ ୭ଟାରେ ନିଜ ରୋଷେଇ ଘରକୁ ନୂତନ ଗ୍ୟାସ୍ ଆଣିଥିଲେ। ଗ୍ୟାସ୍ ଜାଳିବା ପାଇଁ ରେଗୁଲେଟର ଅନ୍‌ କରିଥିଲେ। ତେବେ ପୂର୍ବରୁ ରୋଷେଇ ଘରେ ଜଳୁଥିବା କାଠ ଚୁଲିର ନିଆଁ ବ୍ୟାପିଯିବାରୁ ସମୟରେ ନବୀନା ଗ୍ୟାସ୍‌ର ରେଗୁଲେଟର ଅନ୍‌ କରି ଛାଡି ଦେଇଥିଲେ। ଗ୍ୟାସ୍ ଲିକ୍‌ ହୋଇ ହଠାତ୍‌ କାଠ ଚୁଲିର ନିଆଁରେ ସମଗ୍ର ଘର ପୋଡ଼ି ଯାଇଥିଲା। ଅନ୍ୟପଟେ ଏହି ସମୟରେ କୌଣସି ପ୍ରକାରେ ନବୀନ ପତ୍ନୀ ଓ ୨ପୁଅକୁ ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିବାରୁ ସମସ୍ତେ ଅଳ୍ପକେ ବର୍ତି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୩୦ହଜାର ଟଙ୍କା ସହ ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା ନବୀନ କୋହଭରା କଣ୍ଠରେ କହିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଦେବେନ୍ଦ୍ର ସିଂ ଧରୁଆ, ଏବିଡିଓ ପ୍ରଫୁଲ୍ଲ କହଁର ଓ ରାଜସ୍ବ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ଭେଟି ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର