ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନର୍ଗତ ଗବାଗୁଡ଼ା ଗ୍ରାମର ଜାନି ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜାନୀ ସାହିର ଜଣେ ଯୁବତୀ ନିକଟସ୍ଥ ସତୀଘାଟ ନଦୀ ପାର ହେଉଥିବା ବେଳେ ଭାସି ଯାଇଥିବା ସୂଚନା ମିଳିଛି।
ପରିବାର ଲୋକ କହିବା ପ୍ରକାରେ ଗବାଗୁଡା ଗ୍ରାମର ମନସାଇ ଜାନୀଙ୍କ ଝିଅ ତୁଲାବତୀ ଜାନୀ(୨୦) ଗତକାଲି ସକାଳୁ ସତୀଘାଟ ନଦୀରେ ପାଣି କମ ଥିବା ବେଳେ ନଦୀ ପାର କରି ନିଜ ଜମିରେ କାମ କରିବା ପାଇଁ ଯାଇଥିଲେ। ତେବେ ସନ୍ଧ୍ୟାରେ ନଦୀ ପାର କରି ନିଜ ଘରକୁ ଫେରିବା ସମୟରେ ବର୍ଷା ଯୋଗୁଁ ନଦୀରେ ବର୍ଷା ପାଣି ଅଧିକ ଥିବାରୁ ତୁଲାବତୀ ନଦୀ ପାଣିରେ ଭାସି ଯାଇଥିଲେ। ତୁଲାବତୀ ଘରକୁ ଆସିବାର ବିଳମ୍ବ ହେବାରୁ ପରିବାର ଲୋକ ବହୁତ ଖଜାଖଜି କରିଥିଲେ। କିନ୍ତୁ ପରିବାର ଲୋକ ପାଇନଥିଲେ। ଆଜି ସକାଳୁ ନଦୀରେ ଭାସି ଯାଇଥିବା ସନ୍ଦେହ କରି ନଦୀ କୂଳରେ ଖଜାଖଜି କରିଥିଲେ।

Advertisment

ଶେଷରେ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏକ ଲୋଟାବୁଦାରେ ତୁଲାବତୀର ମର ଶରୀର ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକ ଝରିଗାଁ ଅଗ୍ନିଶମ ବିଭାଗ ଓ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଝରିଗାଁ ଅଗ୍ନିଶମ ବିଭାଗ ତରଫରୁ ହାବିଲଦାର ଭୋଳାନାଥ ମାଝୀ, ନୃପରାଜ ଶବର, ପ୍ରଶାନ୍ତ ସାହୁ, ସୁରଥ ଜାନୀ, ମଣିଲାଲ ବାଛଡ଼, ଧନୁର୍ଦ୍ଧର ରାଉତ, ଅଜିତ କୁମାର ଭୋଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତୁଲାବତୀର ମର ଶରୀର ଉଦ୍ଧାର କରିଥିଲେ। ସେହିପରି ଝରିଗାଁ ପୁଲିସ ତରଫରୁ ଏଏସଆଇ ଆଶୋକ ପାଳ ସହ ଏକ ଟିମ ପହଂଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିବା ସୂଚନା ମିଳିଛି।