କାର୍‌ ଧକ୍କାରେ ଛାତ୍ରୀ ଗୁରୁତର

ମୈଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ଖଡକାପଦର ଗ୍ରାମ ନିକଟରେ କାର୍ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଖଡକାପଦର ଗ୍ରାମର ବିଶି ସାନ୍ତାଙ୍କ ଝିଅ କୌଶଲ୍ୟା(୯) ଆଜି ଅପରାହ୍ନରେ ସ୍କୁଲରୁ ଘରକୁ ଫେରିବା ପରେ ଅପରାହ୍ନ ପ୍ରାୟ ୫ଟାରେ କେନ୍ଦୁ ବିକ୍ରି କରିବା ପାଇଁ ଗାଁ ନିକଟସ୍ଥ ଜାତୀୟ ରାଜପଥକୁ ଯାଇଥିଲେ। ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ସମୟରେ ନବରଙ୍ଗପୁରରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ କାର୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। କାର୍ ଧକ୍କାରେ କୌଶଲ୍ୟାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଖବର ପାଇ ଗ୍ରାମବାସୀ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି କୌଶଲ୍ୟାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ ସହାୟତାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ଏନେଇ ମୈଦଲପୁର ଥାନାରେ କୌଣସି ଅଭିଯୋଗ ‌ହୋଇନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର