ଭିନ୍ନକ୍ଷମ ବୃଦ୍ଧାଙ୍କୁ ଆଶ୍ରୟ ମିଳିବ କେବେ?

ନବରଙ୍ଗପୁର: ଜୀବନ ସାରା ଦୁଃଖରେ କଟିଛି। ଏବେ ବୟସ ଆସନ୍ନ ହେଲାଣି। ତେବେ ବଞ୍ଚିଥିବା ମଧ୍ୟରେ ଖଣ୍ଡିଏ ପକ୍କା ଘର ତୋଳିବାର ଆଶା ରହିଯାଇଛି ବୋଲି କହିଛନ୍ତି ଦୟନୀୟ ଅବସ୍ଥାରେ ରହିଥିବା ଭିନ୍ନକ୍ଷମ ବିଧବା ବୃଦ୍ଧା ସାବିତ୍ରୀ ସ୍ୱାଇଁ(୭୦)। ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗାଁର ହାଟପଦା ସାହିରେ ବୃନ୍ଦାବନ ସ୍ୱାଇଁଙ୍କ ବିଧବା ଭିନ୍ନକ୍ଷମ ପତ୍ନୀ ସାବିତ୍ରୀ ତାଙ୍କ ନାତି କୈଳାସ(୧୭)ଙ୍କୁ ନେଇ ଗୋଟିଏ ଘରେ ରହୁଛନ୍ତି। ବୃନ୍ଦାବନ ଜୀବିତ ଅବସ୍ଥାରେ ସରକାରୀ ଯୋଜନାରେ ପକ୍କା ଘର ଖଣ୍ଡିଏ ତୋଳିବେ ବୋଲି ଚାହିଁ ଚାହିଁ ଗତ ନଭେମ୍ବର ମାସରେ ଆଖି ବୁଜିଲେ। ସ୍ୱର୍ଗତ ବୃନ୍ଦାବନଙ୍କ ୨ ପୁଅଙ୍କ ମଧ୍ୟରୁ ବଡପୁଅ ଉଦୟ ୧୩ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ସାନ ପୁଅ ଓ ବୋହୁ କଳାହାଣ୍ଡିରେ ଶ୍ରମିକ ଭାବେ କାମ କରୁଛନ୍ତି। ତେବେ ବଡ ପୁଅ ଉଦୟଙ୍କ ୨ ପୁଅ ଓ ଗୋଟିଏ ଝିଅ ଥିଲେ। ଉଦୟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ

ବୃଦ୍ଧ ବୃଦ୍ଧାଙ୍କ ଉପରେ ବୋଝ ନହୋଇ ଗୋଟିଏ ପୁଅ କୈଳାସଙ୍କୁ ସେଠାରେ ଛାଡି ଅନ୍ୟ ପୁଅ ଓ ଝିଅଙ୍କୁ ନେଇ ତାଙ୍କ ବାପ ଘରକୁ ଚାଲିଗଲେ। ଭିନ୍ନକ୍ଷମ ସାବିତ୍ରୀ ଭଲ ଭାବେ ଚାଲିପାରୁ ନାହାନ୍ତି। ସେ ଠିକ ଶୁଣି ପାରୁନାହାନ୍ତି, କି ଅଣ୍ଟା ସଳଖି ପାରୁନାହାନ୍ତି। ଏପରି ଅବସ୍ଥାରେ ବୃଦ୍ଧାଙ୍କୁ ମାସିକ ୩ଶହ ଟଙ୍କା ଭତ୍ତା ଏବଂ ରାସନ କାର୍ଡରେ ଚାଉଳ ମିଳୁଥିବା ବେଳେ ସେଥିରେ ଚଳିବା କଷ୍ଟକର ହୋଇପଡୁଛି। ତେଣୁ ନାତି ମୂଲ କରି କିଛି ଟଙ୍କା ଉପାର୍ଜନ କଲେ ଘର ଚଳୁଛି। ଘର ଛପର କରିବା ପାଇଁ ଅର୍ଥ ନଥିବାରୁ ବର୍ଷା ହେଲେ ପାଣି ଗଳୁଛି। ଅନ୍ୟପଟେ ସରକାର ସମସ୍ତଙ୍କୁ ପକ୍କା ଘର ମିଳିବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ସାବିତ୍ରୀଙ୍କ ପାଇଁ ଆବାସ ଯୋଜନା ଖଣ୍ଡିଏ ପାଇବା ସ୍ୱପ୍ନ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ଏସଇସିସି ସର୍ଭେ ତାଲିକାରେ ତ୍ରୁଟି ଥିବାରୁ ବୃନ୍ଦାବନ ସ୍ୱାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଥିବା ଗ୍ରାମବାସୀ କହିଛନ୍ତି। ବିକ୍ରମପୁର ଗ୍ରାମକୁ ବାରମ୍ବାର କେନ୍ଦ୍ରୀୟ ଟିମ୍‌ ଗସ୍ଥ ସମୟରେ ସ୍ଥାନୀୟ ଲୋକେ ସାବିତ୍ରୀଙ୍କ ଭଙ୍ଗା କୁଡିଆକୁ ଯାଇ ଦେଖି ତୁରନ୍ତ ପକ୍କା ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ କହିଛନ୍ତି। ଉଭୟ ବିଡିଓ ଓ ତହସିଲଦାର ମଧ୍ୟ ତାଙ୍କ ଘର ଦେଖି ଆବାସ ଯୋଜନା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପ୍ରତିଶ୍ରୁତିକୁ ଦୀର୍ଘ ବର୍ଷ ବିତିଲାଣି ତଥାପି ଘର ଖଣ୍ଡିଏ ମିଳିପାରୁନାହିଁ। ବୃଦ୍ଧା ସାବିତ୍ରୀ କହିଛନ୍ତି ଯେ ଜୀବନ ସାରା ଦୁଃଖ ପାଇଲି। ତେଣୁ ବଞ୍ଚିଥିବା ଅବସ୍ଥାରେ ପକ୍କା ଘର ଖଣ୍ଡିଏ ମିଳିଲେ ଶେଷ ଜୀବନରେ ଆଶା ପୂରଣ ହୋଇଥାନ୍ତା ବୋଲି କହିଛନ୍ତି। ଏହି ବୃଦ୍ଧାଙ୍କ ପାଇଁ ଗ୍ରାମବାସୀ ବିଭିନ୍ନ ରାଜନେତାଙ୍କ ପାଖରେ ବି ନେହୁରା ହୋଇଥିଲେ ବି କେହି ଗୁରୁତ୍ୱ ଦେଉନଥିବା ଗ୍ରାମବାସୀ କହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର