ନବରଙ୍ଗପୁର (ସୁରେଶ ନାଇଡୁ): ଇଛା ଶକ୍ତି, ସଂଗଠିତ ହୋଇ କାମ କରିବା ଲକ୍ଷ୍ୟ, କିଛି ଅଲଗା କରି ଦେଖାଇବା ଝୁଙ୍କ ରହିଲେ ସଫଳତା ନିଶ୍ଚିତ ରୁପେ ମିଳେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ନବରଙ୍ଗପୁର ବ୍ଲକର ତାରାଗାଁର ସମ୍ପୁର୍ଣ୍ଣ ପ୍ରଡ୍ୟୁସର ଗ୍ରୁପ୍‌। ଏହି ଗ୍ରୁପ ୩୨ ଜଣ ମହିଳାଙ୍କୁ ରୋଜଗାରକ୍ଷମ କରାଇପାରିଛି।

Advertisment

ତାରାଗାଁର ୧୦ଜଣ ମହିଳାଙ୍କୁ ନେଇ ଜଣକ ପିଛା ଶହେ ଟଙ୍କା ହିସାବରେ ଏକ ହଜାର ଟଙ୍କାରେ ୯ବର୍ଷ ତଳେ ଆରମ୍ଭ ହୋଇଥିଲା ଅନ୍ନପୂର୍ଣ୍ଣ ମହିଳା ସ୍ବୟଂ ସହାୟିକା ଦଳ। ଏହି ଦଳର ମହିଳାମାନେ ସିଲେଇ, ଗୁମ୍ମାଗୁଡା ଡାକ୍ତରଖାନାରେ ପ୍ରସୁତି ମହିଳାଙ୍କୁ ପୃଷ୍ଠିକର ଖାଦ୍ୟ ଯୋଗାଇବା, ଅଙ୍ଗନବାଡ଼ି କେନ୍ଦ୍ରର ପ୍ରାକଃ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ସିଲେଇ ଦେଇ ଆସୁଥିଲେ। ଏହି ଏସଏଚଜି ଗ୍ରୁପର ସଭାପତି ହେମାମ୍ବରୀ ସେଠିଆ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଘରର ଆର୍ଥିକସ୍ଥିତି ଭଲ ନଥିବାରୁ ଆଗକୁ ଆଉ ପାଠ ପଢ଼ି ପାରିନଥିଲେ।

ଆହୁରି ପଢ଼ନ୍ତୁ: Maoists Surrender: ଆତ୍ମସମର୍ପଣ ପାଇଁ ଉଦନ୍ତି ଏରିଆ କମିଟିର ୭ ମାଓବାଦୀଙ୍କ ପ୍ରସ୍ତୁତି

ମହିଳାଙ୍କ ପାଇଁ କିଛି କରିବାକୁ ଲକ୍ଷ୍ୟ

ସବୁ ବେଳେ ମହିଳାମାନଙ୍କୁ ସଂଘଠିତ କରି କିଛି କରିବା ଝୁଙ୍କ ସବୁ ବେଳେ ତାଙ୍କ ମନରେ ଲାଗି ରହିଥିଲା। ସେହି ଗାଁରେ ବାହା‌ ହେବା ପରେ ହେମାମ୍ବରୀ ପାପଡାହାଣ୍ଡି ଓ ନବରଙ୍ଗପୁରରେ ସିଲେଇ ତାଲିମ ନେଇଥିଲେ। ଗାଁର ମହିଳାଙ୍କୁ ନେଇ ସେ ଗ୍ରୁପ କରିଥିଲେ। କାଳକ୍ରମେ ଏହି ଗ୍ରୁର ନେତୃତ୍ବରେ ୨୦୨୪ ମସିହା ମେ’ ମାସରେ ଗାଁର ମା’ ଜଗତଜନନୀ, କାମାକ୍ଷୀ, ଶାରଳା, ତ୍ରିରଙ୍ଗା-୨ ଆଦି ଏସଏଚଜିଙ୍କୁ ନେଇ ସମ୍ପୁର୍ଣ୍ଣା ପ୍ରଡ୍ୟୁସର ଗ୍ରୁପ୍‌ ଗଠନ କରାଯାଇଛି। ସିଲେଇ ପ୍ରତି ଋଚି ଥିବା ବିଭିନ୍ନ ଗୃପରେ ସଭ୍ୟ ଥିବା ୩୨ଜଣ ମହିଳାଙ୍କୁ ଚୟନ କରି ସ୍କୁଲ, ଅଙ୍ଗନବାଡ଼ି ପ୍ରାକଃ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପୋଷାକ ସହ ତ୍ରିରଙ୍ଗା ପତାକା ସିଲେଇ କରି ଯୋଗାଉଛନ୍ତି। 

ଆହୁରି ପଢ଼ନ୍ତୁ: Poaching: ବନ୍ୟଜନ୍ତୁ ଶିକାର ପାଇଁ ପାହାଡ଼ ଉପରେ ବିଦ୍ୟୁତ୍‌ ତାର, ଜଳିଗଲେ ଦୁଇ ଯୁବକ

୨୦ ହଜାର ତ୍ରିରଙ୍ଗା ପ୍ରସ୍ତୁତ

ଜିଲ୍ଲାପ୍ରଶାସନର ଅନୁରୋଧରେ ୨୦ହଜାର ତ୍ରିରଙ୍ଗା ପତାକା ପ୍ରସ୍ତୁତ କରି ଦିଆଯାଇଥିଲା ବୋଲି କହିଛନ୍ତି ହେମାମ୍ବରୀ। କେବଳ ପୋଷାକ ପ୍ରସ୍ତୃତି କରି ପ୍ରଡ୍ୟୁସର ଗ୍ରୁପରେ ୧୫ଲକ୍ଷ ଟଙ୍କାର କାରାବାର କରିଛନ୍ତି। ନବରଙ୍ଗପୁର ଓ ପାପଡାହାଣ୍ଡି ବ୍ଲକରେ ପ୍ରଥମରୁ ୮ମ ଯାଏଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ସିଲେଇ ଯୋଗାଇଛନ୍ତି। ଗୁଣାତ୍ମକ ପୋଷାକ ଯୋଗାଉଥିବାରୁ ପ୍ରଶାସନ, ଶହଶହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆସ୍ଥାଭାଜନ ହୋଇ ପାରିଛି। ପ୍ରଡ୍ୟୁସର ଗ୍ରୁପ ବର୍ଷ ତମାମ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜୀବିକା ଯୋଗାଇ ଆସୁଛି। ଏବେ ପୁଣି ନବମ ଶ୍ରେଣରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇବା ଅର୍ଡର ମିଳିଛି ବୋଲି କହିଛନ୍ତି ହେମାମ୍ବରୀ। ଗ୍ରୁପର ନିଜସ୍ବ ୩୨ଟି ସିଲେଇ ମେସିନ୍ ରହିଛି। ସମସ୍ତ ମହିଳା ବିଭିନ୍ନ ପୋଷାକ ସିଲେଇବାରେ ମାହିର ବୋଲି କହିଛନ୍ତି ହେମାମ୍ବରୀ। ପ୍ରଡ୍ୟୁସର ଗ୍ରୁପର ସମ୍ପାଦିକା ଭାବେ ଦାୟିତ୍ବ ତୁଲାଇବା ସହ ଘରେ ମଧ୍ୟ ସେ ସିଲେଇ ମେସିନ୍ ରଖି ଗାଁର ଅନ୍ୟ ମହିଳାଙ୍କ ବ୍ଲାଉଜ୍ ସହ ବିଭିନ୍ନ ମୋଡେଲର ସୁଟ୍ ଆଦି ସିଲେଇ କରିଥାନ୍ତି। ତା ସହ ଘରେ ସେ ନିଜେ ଗୋଟିଏ ଫ୍ୟାନସି ଦୋକାନ ବି କରିଛନ୍ତି। ସ୍ବାମୀ ଭବାନୀପାଟଣାରେ କାମ କରୁଛନ୍ତି। ୨ଟି ପିଲାଙ୍କ କଥା ବୁଝିବା ସହ ଦୋକାନ, ସିଲେଇ ସହ ଗ୍ରୁପ କଥା ବୁଝୁଥିବା କହିଛନ୍ତି ହେମାମ୍ବରୀ। ସଂଗର୍ଷରୁ ସଫଳତା ପାଇଥିବା ହେମାମ୍ବରୀ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।