ନବରଙ୍ଗପୁର: କଂଗ୍ରେସ ନେତା କହ୍ନେୟା କୁମାରଙ୍କ ନବରଙ୍ଗପୁର ଗସ୍ତକୁ ବିରୋଧ କରାଯାଇଛି। କହ୍ନେୟା କୁମାରଙ୍କୁ ଦେଶଦ୍ରୋହର ଆଖ୍ୟା ଦେଇ ସଭାସ୍ଥଳର ଶୁଦ୍ଧିକରଣ କଲେ ନବରଙ୍ଗପୁରର କିଛି ଯୁବକ। ଶୁଦ୍ଧିକରଣ ସମୟର ଭିଡିଓ ବର୍ତ୍ତମାନ ମୋବାଇଲଠୁ ମୋବାଇଲ ଘୁରି ବୁଲିବା ସହିତ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।
ନବରଙ୍ଗପୁର ସହର ହିରଲୀ ସ୍ଥିତ ନୂତନ ମଣ୍ଡେଇ ପଡ଼ିଆ ଠାରେ ଜିଲ୍ଲା କଂଗ୍ରେସ ମହାସମାରୋହରେ ପାଳନ କରିଥିଲା ୧୦୦ ତମ ପ୍ରତିଷ୍ଠା ଦିବସ। ୧୦୦ ତମ ପ୍ରତିଷ୍ଠା ଦିବସକୁ ସଂକଳ୍ପ ଦିବସ ଭାବେ ପାଳନ କରିଥିଲା ଜିଲ୍ଲା କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ କଂଗ୍ରେସ ନେତା କହ୍ନେୟା କୁମାର ଓ ଅନ୍ୟ ବରିଷ୍ଠ ନେତା । ତେବେ କହ୍ନେୟା କୁମାରଙ୍କ ନବରଙ୍ଗପୁର ଗସ୍ତକୁ ବିରୋଧ କରିଛନ୍ତି ନବରଙ୍ଗପୁର ସହରର କିଛି ଯୁବକ । ଭାଇରାଲ ଭିଡିଓରେ ଯୁବକମାନେ ନବରଙ୍ଗପୁର ସହରର ଜଣେ ସଚେତନ ନାଗରିକ ବୋଲି ନିଜକୁ ସମ୍ବୋଧନ କରିବା ସହିତ କହ୍ନେୟା କୁମାର ଜେଏନୟୁର ଛାତ୍ର ଥିବା ବେଳେ ସେଇଠି ଯେଉଁଭଳି ଢଙ୍ଗରେ ତଥାକଥିତ ଟୁକଡେ ଟୁକଡେ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ରହି ତାହାର ନେତୃତ୍ୱ ନେଇଥିଲେ ଓ ଦେଶ ବିରୋଧୀ ନାରା ଦେଇଥିଲେ ତାହାକୁ ବିରୋଧ କରୁଥିବା କହିଛନ୍ତି ଯୁବକମାନେ।

Advertisment

କହ୍ନେୟା ସେହି ଗ୍ୟାଙ୍ଗର ନେତୃତ୍ୱ ନେବା ସହ ଭାରତ ଭଳି ଦେଶକୁ ଖଣ୍ତ ଖଣ୍ଡ କରିବାକୁ ପ୍ରୟାସ କରିଥିବା କହିଛନ୍ତି ଯୁବକମାନେ। ଜେଏନୟୁର ଛାତ୍ର ଥିବା ସମୟରେ କହ୍ନେୟା କୁମାର ଯେଉଁ ଦେଶ ବିରୋଧୀ ନାରା ଦେଉଥିଲେ ତାହା ଦେଶଦ୍ରୋହୀର କାର୍ଯ୍ୟ ବୋଲି ଯୁବକମାନଙ୍କ ତରଫରୁ ଅଭିଯୋଗ ହୋଇଛି। ତେଣୁ ଯୁବକମାନେ ନବରଙ୍ଗପୁରର ସଚେତନ ନାଗରିକ ଭାବେ କହ୍ନେୟା କୁମାରଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେବା ସହ ତାଙ୍କ ଭଳି ଦେଶଦ୍ରୋହୀଙ୍କ ପାଦ ନବରଙ୍ଗପୁର ଭଳି ପବିତ୍ର ମାଟିରେ ପଡ଼ିବା ଦ୍ୱାରା ଏହି ମାଟି ଅପବିତ୍ର ହୋଇଯାଇଥିବା ଅଭିଯୋଗ କରିଛନ୍ତି। ସେମାନେ କୌଣସି ଦଳ ସହ ସମ୍ପୃକ୍ତ ନ ଥିବା ପ୍ରକାଶ କରିଛନ୍ତି। କହ୍ନେୟା କୁମାରଙ୍କ ଗସ୍ତକୁ ବିରୋଧ ପ୍ରତିବାଦସ୍ୱରୂପ କଂଗ୍ରେସର ସଭା ସରିବା ପରେ ଯୁବକମାନଙ୍କ ଦ୍ୱାରା ସଭାସ୍ଥଳକୁ ଗଙ୍ଗାଜଳ ଦ୍ୱାରା ଶୁଦ୍ଧିକରଣ କରାଯାଇଥିଲା।