ଉମରକୋଟ : କରୋନାକୁ ନେଇ ନବବଧୂଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ମୁର୍ତ୍ତମା (ୟୁଭି-୫) ଗ୍ରାମର ଜଣେ ନବବଧୂ ଏଭଳି ସଂଗିନ ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ନିର୍ଯାତନା ଦେବା ମାମଲାରେ ଏମିତି ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଆଜି ନବବଧୂଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ କରୋନା ହୋଇଥିବା ସନ୍ଦେହ କରି ତଳେ ଶୁଆଇବା ଓ ଶୌଚାଳୟ ବ୍ୟବହାର କରିବାକୁ ଦେଉନଥିବା ନେଇ ମହିଳା ଜଣକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।
ଉମରକୋଟ ସହରର ଯୁବରାଜ ଭକିଲଙ୍କ ପୁଅ ଜୟନ୍ତ ଚଳିତ ମାସ ୨ତାରିଖରେ ଉମରକୋଟ ଥାନା ଅନ୍ତର୍ଗତ ମୁର୍ତ୍ତମା (ୟୁଭି-୬) ଗ୍ରାମର ହିରଧନ ସରକାରଙ୍କ ଝିଅ ପୂଜାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ହିରଧନ ଯୌତୁକ ବାବଦ ନଗଦ ଅଢ଼େଇ ଲକ୍ଷ ଟଙ୍କା, ୧ଲକ୍ଷ ୪୦ହଜାର ଟଙ୍କାର ବାଇକ୍ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଦେଇଥିଲେ। କିନ୍ତୁ ଏତିକିରେ ଜୟନ୍ତଙ୍କ ପରିବାର ସନ୍ତୁଷ୍ଟ ହୋଇନଥିଲେ। ବାପା ଘରୁ ଅଧିକ ଟଙ୍କା ଓ ସୁନା ଆଣିବା ପାଇଁ ପୂଜାଙ୍କ ଉପରେ ବାରମ୍ବାର ଚାପ ପକାଇ ନିର୍ଯାତନା ଦେଉଥିଲେ। ବିବାହର ମାତ୍ର ୨ଦିନ ପରେ ପୂଜାଙ୍କ ହାତରେ ଲାଗିଥିବା ମେହେନ୍ଦି ଲିଭାଇ ଦେଇଥିଲେ। ଏପରିକି ସ୍ବାମୀ ଓ ଶାଶୂ ମାଡ଼ ମାରିଥିଲେ। ଥଣ୍ଡା ଯୋଗୁଁ କାଶ ହେବାରୁ କରୋନା ହୋଇଥିବା କହି ଶାଶୂ ଘରେ ତାଙ୍କୁ ତଳେ ଶୋଇବାକୁ କହିଥିଲେ। ଅନ୍ୟମାନେ ଏଥିରେ ଆକ୍ରାନ୍ତ ହେବେ କହିବା ସହିତ ଶୌଚାଳୟ ବ୍ୟବହାର କରିବାକୁ ମନା କରିଥିବା ନେଇ ପୂଜା ଅଭିଯୋଗ କରିଛନ୍ତି।
ନିର୍ଯାତନା ଅସହ୍ୟ ହେବାରୁ ପୂଜା ସମସ୍ତ ବିଷୟ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଗତକାଲି ପରିବାର ଲୋକ ଉମରକୋଟରେ ପହଞ୍ଚି ପୂଜାଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ଏନେଇ ମୁର୍ତ୍ତମା(ୟୁଭି-୬) ଗ୍ରାମରେ ବୈଠକ ବସିଥିଲା। ଏହି ବୈଠକକୁ ଜୟନ୍ତଙ୍କ ପରିବାରକୁ ଡକାଇ ଆପୋସ ବୁଝାମଣାରେ ଘଟଣାର ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସମାଧାନ ନହେବାରୁ ଗ୍ରାମବାସୀ ପୂଜାଙ୍କ ସ୍ବାମୀ ଜୟନ୍ତ ଓ ଶ୍ବଶୁର ଯୁବରାଜଙ୍କୁ ଅଟକ ରଖିଥିଲେ। ଗତକାଲି ରାତିରେ ପୂଜା ଏନେଇ ଉମରକୋଟ ଥାନାରେ ଏତଲା ଦେବା ପରେ ପୁଲିସ ଆଜି ମୁର୍ତ୍ତମା ଗ୍ରାମରେ ପହଞ୍ଚି ଜୟନ୍ତ ଓ ଯୁବରାଜଙ୍କୁ ଗିରଫ କରିଥିଲା। ଏନେଇ ଉମରକୋଟ ପୁଲିସ ଦଫା ୪୯୮, ୩୨୩, ୫୦୬, ୩୪ ଆଇପିସି ଓ ୪ଡିପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି। ଅନ୍ୟପଟେ ପୂଜାଙ୍କ ଅଭିଯୋଗକୁ ସ୍ବାମୀ ଜୟନ୍ତ ଖଣ୍ଡନ କରିଛନ୍ତି। କରୋନା ହୋଇଥିବା ନେଇ ପରିହାସରେ ପୂଜାଙ୍କୁ କୁହାଯାଇଥିଲା। କିନ୍ତୁ ଏହାକୁ ପତ୍ନୀ ଗୁରୁତର ସହ ନେଇଥିବା ଜୟନ୍ତ କହିଛନ୍ତି।