କପି ପାଇଁ ମନା କରିବାରୁ ଢେଲା ମାଡ଼

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭରୁ ବିବାଦ ଲାଗି ରହିଥିଲା। ଆଜି ପରୀକ୍ଷାର ଶେଷ ଦିନରେ ମଧ୍ୟ ଏହି ବ୍ଲକରେ ଘଟିଛି ତୁମୁଳ କାଣ୍ଡ। କପି ଦେବାକୁ ମନା କରିବାରୁ ଦଳବେଡା କନ୍ୟାଶ୍ରମ ପରୀକ୍ଷା କେନ୍ଦ୍ର ଉପରକୁ କିଛି ଲୋକ ଢେଲା ମାଡ଼ କରିବା ସହ ସହଯୋଗ କରୁନଥିବା ପରୀକ୍ଷକଙ୍କୁ ଗାଳି ଗୁଲଜ କରିଛନ୍ତି। ଏଭଳି ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକଙ୍କ ନାମରେ ଅଶ୍ଲୀଳ ଭାଷାରେ କାନ୍ଥରେ ଲେଖିବାକୁ ପଛାଇ ନାହାନ୍ତି।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଚନ୍ଦାହାଣ୍ଡି ବ୍ଲକର ସମସ୍ତ ଛଅ ଗୋଟି ପରୀକ୍ଷା କେନ୍ଦ୍ରରେ ପ୍ରଶାସନ ତରଫରୁ କପି ରୋକିବାକୁ ଜୋରସୋର ଉଦ୍ୟମ ଜାରି ରହିଥିଲା । ଆଜି ପରୀକ୍ଷା ହୋଇଥିବା ବେଳେ କପି ଦେବାରେ ସହଯୋଗ କରି ନଥିବାରୁ କିଛି ଅଭିଭାବକ ଦଳବେଡା କନ୍ୟାଶ୍ରମ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ହଟଗୋଳ କରିବା ସହ ସ୍କୁଲ ଗେଟକୁ ବନ୍ଦ କରି ଦେଇଥିଲେ। ଏଭଳି କି ପରୀକ୍ଷକ ମାନଙ୍କୁ ଗାଳି ଗୁଳଜ କରିବା ସହ ସ୍କୁଲ ଭିତରକୁ ଢେଲା ପଥର ମାଡ କରିଥିଲେ । ଏହି କାରଣରୁ ପରୀକ୍ଷା ଶେଷ ହେବା ପରେ ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷକମାନେ କେନ୍ଦ୍ର ବାହାରକୁ ଆସି ପାରି ନଥିଲେ। ଶେଷରେ କେନ୍ଦ୍ର ଅଧୀକ୍ଷକ ଏ ନେଇ ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ଚନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ଶରତ ଶବର ଏବଂ ଥାନା ଅଧିକାରୀ ଶ୍ରୀ ମହନ୍ତ ପୁଲିସ ଫୋର୍ସ ସହ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସେହିପରି ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଚନ୍ଦାହାଣ୍ଡି ଥାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ କେନ୍ଦ୍ର ଅଧୀକ୍ଷକ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନଥିବାରୁ କୈାଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର