କୂଳ ଖାଉଛି ଇନ୍ଦ୍ରାବତୀ, ଭାସ୍କେଲ ନଦୀ :ସୁରକ୍ଷା ପାଚେରୀ ନିର୍ମାଣ ଦାବି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡା ଦେଇ ଛତିଶଗଡ ବୋହି ଯାଉଥିବା ଇନ୍ଦ୍ରାବତୀ ନଦୀ ତଟସ୍ଥ ଗ୍ରାମ ଗୁଡିକ ପାଇଁ ବିପଦ ମାଡି ଆସୁଛି। ଇନ୍ଦ୍ରାବତୀ ନଦୀରେ ଗାର୍ଡୱାଲ ବନ୍ଧା ଯାଉନଥିବାରୁ ନଦୀ କୂଳ ରାସ୍ତା ଧୋଇ ଯିବା ସହ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇ ପାର୍ଶ୍ୱରେ ଥିବା ଗାଁ ଗୁଡିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ପାଦ ଦେଶରେ ଥିବା କୋଷାଗୁମୁଡା ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହେଉଛି। କୋଷାଗୁମୁଡା ବ୍ଲକ ଦେଇ ଯାଇଥିବା ଏହି ନଦୀ ଗଭୀର ହେବାରେ ଲାଗିଛି। ଇନ୍ଦ୍ରାବତୀ ନଦୀ ପାର୍ଶ୍ୱରେ ରହିଥିବା ନବରଙ୍ଗପୁର ବ୍ଲକର ବଡମସିଗାଁ ପଞ୍ଚାୟତ ଠାରୁ ଆରମ୍ଭ ହୋଇ ଡେବରାଗୁଡା, ଚିରମା ପଞ୍ଚାୟତର ଖଣ୍ଡବାଗଦୁରୀ, ଜାଗିନିଗୁଡା, ବଟାଗୁଡା, ସାନଆମ୍ବଡା ପଞ୍ଚାୟତର ଗୁଣ୍ଡ୍ରୀଗୁଡା, କେ.ସେମଲା ପଞ୍ଚାୟତର ଘାଟୱାଲିଗୁଡା ଓ କଣ୍ଟାସାରୁଗୁଡା, ବାମୁଣି ପଞ୍ଚାୟତର ଖଣ୍ଡିଗୁଡା, ବିଞ୍ଜିଲି ପଞ୍ଚାୟତର ବାୟା ପୂଜାରୀଗୁଡା, ଘାଟସୁରା, ଆଳୁପଦର, କୋଷାଗୁମୁଡା ବ୍ଲକ ଉକିଆପଲ୍ଲି ପଞ୍ଚାୟତର ଘାଟବାସୁଲି ଗ୍ରାମ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସେହିପରି ଭାସ୍କେଲ ନଦୀ ପାର୍ଶ୍ୱରେ ଉକିଆପଲ୍ଲି ପଞ୍ଚାୟତର ଦୁରାଗାଁ, ବରାଗାଁ, ଗଜାଗାଁ ଓ ହରଦୁଲି ଗ୍ରାମ ରହିଛି। ଉଭୟ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ କୂଳ ଖାଇବାରୁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସେହିପରି ଘାଟବାସୁଲି, ଉକିଆପଲ୍ଲି, ବୋରଗାଁ ଓ ଦୁରାଗାଁ ଛତିଡଗଡ ସୀମାରେ ରହିଥିବା ବେଳେ ନଦୀ ତଟ ଅବକ୍ଷୟ ହୋଇ ଜମି ଗୁଡିକ ନଦୀ ଗର୍ଭରେ ଲୀନ ହେବା ସହ ଛତିଡଗଡ ପଟରୁ ଜମି ଢ଼େପ ହେବାରେ ଲାଗିଛି। ଏହି ଗ୍ରାମ ଗୁଡିକର ସୁରକ୍ଷା ପାଇଁ ନଦୀ ପାର୍ଶ୍ୱରେ ପାଚେରି ନିର୍ମାଣ ପାଇଁ ବହୁ ବର୍ଷ ଧରି ଗ୍ରାମବାସୀ ଦାବି କରିଆସୁଛନ୍ତି। ତେବେ ଖଣ୍ଡବାଗଦୁରୀ ଓ ଜାଗିନିଗୁଡା ଗ୍ରାମକୁ ଛାଡିଦେଲେ ଅନ୍ୟ ଗ୍ରାମର ନଦୀ ତଟରେ ପାଚେରି ନିର୍ମାଣ କରାଯାଇ ନାହିଁ। ଗତ ବର୍ଷ ଖଣ୍ଡବାଗଦୁରୀ ନଦୀ ପାର୍ଶ୍ୱରେ ପାଚେରି ନିର୍ମାଣ କରାଯାଇଥି ବେଳେ ବନ୍ୟା ଆସି ପାଚେରି ଭାଙ୍ଗିଯିବାରୁ ଖଣ୍ଡବାଗଦୁରୀ ଗ୍ରାମ ସମେତ ବହୁ ଗ୍ରାମକୁ ବନ୍ୟା ପାଣି ପ୍ରବେଶ କରିଥିଲା। ଏବେ ଜଳ ସେଚନ ବିଭାଗ ପକ୍ଷରୁ ଖଣ୍ଡବାଗଦୁରୀ ଓ ଜାଗିନିଗୁଡା ଗ୍ରାମରେ ସୁରକ୍ଷା ପାଚେରି କାମ ଚାଲିଥିବା ବେଳେ ଗତ ବର୍ଷ ବନ୍ୟାରେ ଧୋଇ ଯାଇଥିବା ପାଚେରିର ମରାମତି ହେଉନଥିବାରୁ ପୁଣି ବନ୍ୟା ଆସିଲେ ସେହି ଅଞ୍ଚଳ ଜଳମଗ୍ନ ହେବ ବୋଲି ଖଣ୍ଡବାଗଦୁରୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ନଦୀ ପାର୍ଶ୍ୱରେ ରହିଥିବା ସମସ୍ତ ଗ୍ରାମ ନିକଟରେ ସୁରକ୍ଷା ପାଚେରି ନିର୍ମାଣ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର