ଖଗପତି ପ୍ରଧାନୀ: ପଞ୍ଚାୟତ ନିର୍ବାଚନରୁ ସଫଳ ରାଜନୀତିଜ୍ଞ

ପଞ୍ଚାୟତ ସମିତି ଅଧ୍ୟକ୍ଷରୁ ୯ ଥର ସାଂସଦ

ନବରଙ୍ଗପୁର, (ପ୍ରଦୀପ ପାଢ଼ୀ): ନିର୍ବାଚନ ରାଜନୀତିରେ କେବେ ବିଫଳ ହୋଇ ନଥିଲେ। କ୍ରମାଗତ ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଭଳି ବିରଳ ତଥା ଐତିହାସିକ ରେକର୍ଡର ଅଧିକାରୀ ଥିଲେ ପୂର୍ବତନ ନବରଙ୍ଗପୁର ସାଂସଦ ଖଗପତି ପ୍ରଧାନୀ। ସାରା ଜୀବନ ଅପ୍ରତିଦ୍ବନ୍ଦ୍ବୀ ରହିଥିବା ଏହି ନେତା ଜଣକ ରାଜନୀତିରୁ ସନ୍ନ୍ୟାସ ନେଇ ନୂଆ ପିଢ଼ି ପାଇଁ ବାଟ ଛାଡ଼ିଥିଲେ। ଯାହାକି ତାଙ୍କ ବ୍ୟକ୍ତିତ୍ବକୁ ପରିପ୍ରକାଶ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ସମିତି ସଭ୍ୟରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କଂଗ୍ରେସକୁ ସବୁବେଳେ ସଂଗଠିତ ଏବଂ ଶୃଙ୍ଖଳିତ କରି ରଖିଥିଲା।

ସ୍ବାଧୀନତା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ପାତ୍ରପୁଟ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଖଗପତି। ଅନୁନ୍ନତ ତଥା ଆଦିବାସୀ ବହୁଳ ଅଞ୍ଚଳରେ ଜନ୍ମ ହୋଇ ସୁଦ୍ଧା ଉଚ୍ଚଶିକ୍ଷିତ ହୋଇପାରିଥିଲେ। ଜନସେବାକୁ ବ୍ରତ ଭାବେ ଗ୍ରହଣ କରି ପୁଲିସ ଚାକିରି କରିଥିଲେ। ତେବେ ନିଜ ଅଞ୍ଚଳର ଲୋକଙ୍କ ପାଇଁ କିଛି କରିବାର ସ୍ବପ୍ନ ଦେଖି ଚାକିରି ଛାଡ଼ି ସକ୍ରିୟ ରାଜନୀତିକୁ ଆସିଥିଲେ। ପ୍ରଥମ ଦଫାରେ ହିଁ ନିର୍ବାଚନ ରାଜନୀତିରେ ସଫଳ ହେଲେ। ୧୯୬୫ ମସିହାରେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ଆଉ କେବେ ବି ପଛକୁ ଚାହିଁ ନାହାନ୍ତି। କଂଗ୍ରେସ ତାଙ୍କ ଉପରେ ଗଭୀର ଆସ୍ଥା ରଖି ୧୯୬୬ ମସିହାରେ ହୋଇଥିବା ଚତୁର୍ଥ ସାଧାରଣ ନିର୍ବାଚନରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା। ଦଳକୁ ବି ଖଗପତି ନିରାଶ କରି ନଥିଲେ। ବିଜୟ ମୁକୁଟ ପିନ୍ଧି ଏହି ସଫଳତାକୁ ବାରମ୍ବାର ଦୋହରାଇଥିଲେ। ୧୯୭୧ ମସିହାରେ ହୋଇଥିବା ପଞ୍ଚମ, ୧୯୭୭ ମସିହାର ଷଷ୍ଠ, ୧୯୮୦ ମସିହାର ସପ୍ତମ ଲୋକସଭା ନିର୍ବାଚନରେ ବିଜୟୀ ହେଲେ। ୧୯୮୪ ମସିହାର ଅଷ୍ଟମ, ୧୯୮୯ ମସିହାର ନବମ ଏବଂ ୧୯୯୧ ମସିହାର ଦଶମ, ୧୯୯୬ ମସିହାର ଏକାଦଶ ଲୋକସଭା ନିର୍ବାଚନରେ ବି ତାଙ୍କୁ କେହି ପରାଜିତ କରିପାରି ନଥିଲେ।

ନବମ ଥର ପାଇଁ ସଂସଦକୁ ୧୯୯୮ ମସିହାରେ ଖଗପତି ନିର୍ବାଚିତ ହୋଇଥିଲେ। ଯାହାକି ଭାରତ ଇତିହାସରେ ସର୍ବକାଳୀନ ରେକର୍ଡ ଥିଲା। ଏତେଥର ସଂସଦକୁ ନିର୍ବାଚିତ ହେବାରେ ସେ ଥିଲେ ପ୍ରଥମ ବ୍ୟକ୍ତି। ତେବେ ଏହା ଥିଲା ଖଗପତିଙ୍କ ଶେଷ ନିର୍ବାଚନ ଏବଂ କାର୍ଯ୍ୟକାଳ ଥିଲା ମାତ୍ର ଗୋଟିଏ ବର୍ଷ। କାରଣ ୧୯୯୯ ମସିହାରେ ଲୋକସଭା ଭାଙ୍ଗି ଯାଇଥିଲା। ଏହାପରେ ହୋଇଥିବା ନିର୍ବାଚନରେ ଲଢ଼ିବାକୁ ଆଗ୍ରହ ଦେଇନଥିଲେ ଏହି ବର୍ଷୀୟାନ ନେତା। ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର