ଲକିଗୁଡା ଚେକ୍‌ଡ୍ୟାମ ମରାମତି ନୋହିଲା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲକିଗୁଡାରେ ନିର୍ମିତ ଚେକ୍‌ ଡ୍ୟାମ ଭୁଶୁଡି ୯ମାସ ଅତିକ୍ରାନ୍ତ ହେଲାଣି। କିନ୍ତୁ ଏପର୍ଯ୍ୟନ୍ତ ମରାମତି ଦିଗରେ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଯାହାର ପ୍ରଭାବ ଏଠାକାର ଚାଷୀଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି। ଖରାଟିଆ ପନିପରିବା ଚାଷ ହେଉଥିବା ୬୦ଏକର ଜମି ପଡ଼ିଆ ପଡ଼ିଛି। ଜଳସେଚନ ଅଭାବରୁ ବାଧ୍ୟ ହୋଇ ଚାଷୀ ବର୍ତମାନ ହାତବାନ୍ଧି ବସି ରହିଛନ୍ତି।
ଇନ୍ଦ୍ରାବତୀ ଉପରମୁଣ୍ଡର ପାହାଡିଆ ଅଞ୍ଚଳର ଝର ପାଣିକୁ ସଂଚୟ କରିବାକୁ ଲମତାଗୁଡା ପଞ୍ଚାୟତର ଲକିଗୁଡା ଗାଁ ପାଖରେ ଗୋଟିଏ ଚେକ୍‌ଡ୍ୟାମ ନିର୍ମାଣ କରାଯାଇଥିଲା। ୨୦୦୨ ମସିହାରେ ପୂର୍ବତନ ବିଧାୟକ ହବିବୁଲ୍ଲା ଖାଁଙ୍କ ସମୟରେ ୧୯ଲକ୍ଷ ଟଙ୍କା ଏହି ଚେକ୍‌ ଡ୍ୟାମ ନିର୍ମାଣ ନିମନ୍ତେ ଖର୍ଚ୍ଚ ହୋଇଥିଲା। ଲକ୍ଷ୍ୟ ଥିଲା ଲକିଗୁଡା ଗ୍ରାମର ଚାଷୀଙ୍କୁ ଜଳସେଚନର ବ୍ୟବସ୍ଥା କରାଇବା। ଚେକଡ୍ୟାମ ନିର୍ମାଣ ପରେ ବର୍ଷା ଦିନେ ୨ଶହ ଏକର ଜମି ଜଳସେଚିତ ହୋଇପାରୁଥିଲା। ଖରା ଦିନେ ପ୍ରାୟ ୬୦ ଏକର ଜମିରେ ପରିବା ଚାଷ ହେଉଥିଲା। ଗତ ଅଗଷ୍ଟ ମାସରେ ତେନ୍ତୁଳିଖୁଣ୍ଟି ବ୍ଲକରେ ୨୩୨ ମିମି ବର୍ଷା ହୋଇ ବନ୍ୟା ଜଳରେ ଏହି ଚେକଡ୍ୟାମ୍‌ ସଂପୂର୍ଣ୍ଣ ଭୁଶୁଡି ଯାଇଥିଲା। ଏପରିକି ବନ୍ୟା ଜଳ ୩୦ଏକର ଜମିରେ ପଶି ବାଲିଚର ମାଡି ଯାଇଥିଲା। ତେଣୁ ଚାଷୀ ଗତବର୍ଷ ଚାଷ କରିପାରି ନଥିଲେ।
ଏହି ଅଞ୍ଚଳରେ ଚାଷୀ ଖରା ଦିନେ ଡ୍ୟାମର ସଂଚିତ ପାଣିର ବ୍ୟବହାର କରି ବିନ୍‌ସ, ବାଇଗଣ, ଲଙ୍କା, ପିଆଜ, ବାଇଗଣ, ଭେଣ୍ଡି ଆଦି ଚାଷ କରୁଥିଲେ। ଚଳିତ ବର୍ଷ ଏହି ପନିପରିବା ଚାଷ ହୋଇପାରିଲା ନାହିଁ। ଏହି ଚେକ୍‌ ଡ୍ୟାମର ମରାମତି ପାଇଁ ଲକିଗୁଡା ଗ୍ରାମବାସୀ ବିଡିଓ ଅଣାକାର ଠାକୁର ଓ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି କହିଛନ୍ତି। ଏହା ମଧ୍ୟରେ ୯ମାସ ବିତିଗଲାଣି। ପୁଣି ଆଉ ୧୫ଦିନ ମଧ୍ୟରେ ବର୍ଷା ଆସୁଛି। ଏହାପରେ ଭଙ୍ଗା ଡ୍ୟାମରେ ବନ୍ୟା ପାଣି ପ୍ରବାହିତ ହେବ। ଚେକ୍‌ ଡ୍ୟାମର ତଳ ଅଞ୍ଚଳକୁ ପୁଣି ପାଣି ଯିବ। ତଳ ଅଞ୍ଚଳରେ ଥିବା ଜମିରେ ଚାଷ ହୋଇପାରିବ ନାହିଁ ବୋଲି ଚାଷୀ କହିଛନ୍ତି। ଡ୍ୟାମ ପାଣିକୁ ବ୍ୟବହାର କରି ସ୍ଥାନୀୟ ଭାଗୀରଥି ଦିଶାରୀ, ହରେକୃଷ୍ଣ ମୁଦୁଲି, ଦୁଃଖୁ ମୁଦୁଲି, ଜଗବନ୍ଧୁ ମୁଦୁଲି, ଭଗିଆ ନାୟକ, ତାରିଣୀ ନାୟକ, ମାନସୀ ମାଝୀ, ଦୈତାରୀ ନାୟକ, ହର ନାୟକ, କାହ୍ନ ଗୌଡ, ଭୀମ ଭୋଇ, ଜଗୁ ମୁଦୁଲି, ପୀତବାସ ଗୌଡ, ନବୀନ ଚନ୍ଦ୍ର ଦିଶାରୀ, ବିନୋଦ ଗରଡା, କୈଳାସ ନାୟକ, ଡମ୍ବରୁ ଗୌଡ, ଖଗପତି ପ୍ରଧାନ, ଦାଶରଥୀ ନାୟକ, ଗଙ୍ଗା ପୂଜାରୀ, ଶରତ ଗରଡା ପ୍ରମୁଖଙ୍କ ସମେତ ପ୍ରାୟ ୨ଶହ ଚାଷୀ ଏହି ଭଙ୍ଗା ଚେକ୍‌ ଡ୍ୟାମ ଦ୍ଵାରା ପ୍ରଭାବିତ ହୋଇଥିବା କହିବା ସହ ତୁରନ୍ତ ଏହି ଚେକ୍‌ ଡ୍ୟାମର ମରାମତି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର