ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲ୍ଲା ପଞ୍ଚାୟତ ଅନ୍ତର୍ଗତ ରୋଜାମାଟୁ ଗ୍ରାମର ସୁବାସିନୀ ହରିଜନ(୫୫) ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସ୍ବାମୀ ଆରପାରିକୁ ଚାଲିଯିବା ପରେ ୨ ସନ୍ତାନଙ୍କ ଦାୟିତ୍ବ ତାଙ୍କ ଉପରେ। ତେବେ ସରକାରୀ ଯୋଜନାରେ ଘର ମିଳିନଥିବାରୁ ଭଙ୍ଗା ଘରେ ବିତୁଛି ଜୀବନ। ଏପରିକି ପାଖରେ ଟଙ୍କା ନଥିବାରୁ ଏହି ଭଙ୍ଗା ଘରକୁ ମରାମତି କରିପାରୁନାହାନ୍ତି।
ସୂଚନା ଅନୁଯାୟୀ, ରୋଜାମାଟୁ ଗ୍ରାମରେ କେଶବ ହରିଜନ ଓ ପତ୍ନୀ ସୁବାସିନୀ ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ। ଉଭୟଙ୍କ ୨ଟି ସନ୍ତାନ ମଧ୍ୟ ରହିଛନ୍ତି। ତେବେ ୮ବର୍ଷ ତଳେ ହଠାତ୍ କେଶବଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦୁଇ ସନ୍ତାନଙ୍କ ଦାୟିତ୍ବ ପଡିଥିଲା ସୁବାସିନୀଙ୍କ ଉପରେ। ନିଜ ସନ୍ତାନଙ୍କ ଲାଳନପାଳନ ପାଇଁ ଗାଁର କିଛି ଘରେ କାମ କରୁଛନ୍ତି। ଏଥିରୁ ଯାହା ଟଙ୍କା ମିଳୁଛି ପୁଅ ରାହୁଲକୁ ପାଠ ପଢ଼ାଇବା ସହ ପରିବାର ଚଳାଉଛନ୍ତି। ତେବେ ଗତ କିଛି ମାସ ହେଲା ସୁବାସିନୀ ଅସୁସ୍ଥ ହୋଇପଡିଛନ୍ତି। ଅଣ୍ଟା ବିନ୍ଧା ହେଉଥିବାରୁ ସେ ଠିକ୍ରେ ଠିଆ ହୋଇପାରୁନାହାନ୍ତି। ପୂର୍ବଭଳି କାମ କରି ପାରୁନଥିବାରୁ ୧୪ବର୍ଷର ଝିଅ ପୁଷ୍ପା କୁଲି କରି ପରିବାର ଚଳାଉଛନ୍ତି। ଅନ୍ୟପଟେ ଏହି ପରିବାର ଏକ ଭଙ୍ଗା ଘରେ ରହୁଛନ୍ତି। ପାଖରେ ଟଙ୍କା ନଥିବାରୁ ଘର ମରାମତି ହୋଇପାରୁନି। ବର୍ଷା ଦିନେ ଘର ଭିତରେ ପାଣି ଗଳୁଥିବାରୁ ଦୁଇ ସନ୍ତାନଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ସୁବାସିନୀ। ଅନ୍ୟପଟେ ପ୍ରଶାସନ ପକ୍ଷରୁ ସୁବାସିନୀଙ୍କୁ କେବଳ ବିଧବା ଭତ୍ତା ହିଁ ମିଳୁଛି। ରାସନ କାର୍ଡ ନଥିବାରୁ ସରକାରଙ୍କ ଟଙ୍କିକିଆ ଚାଉଳ ପାଇବାରୁ ବଞ୍ଚିତ ରହିଛନ୍ତି। ସରକାରୀ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବହୁବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ନମିଳିବା ପରିତାପର ବିଷୟ ବୋଲି ସୁବାସିନୀ ହରିଜନ କୋହଭରା କଣ୍ଠରେ କହିଛନ୍ତି। ଏଭଳି ଏକ ଗରିବ ପରିବାରକୁ ପ୍ରଶାସନ ପକ୍ଷରୁ ଘର, ରାସନ କାର୍ଡ ସହ ଅନ୍ୟ ସୁବିଧା ସୁଯୋଗ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
/sambad/media/post_attachments/wp-content/uploads/2019/05/naba-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)