ନବରଙ୍ଗପୁର: ଗୋଟିଏ ଦିନରେ ବଜ୍ରପାତ ନେଲା ୩ ଜଣଙ୍କର ଜୀବନ

ନବରଙ୍ଗପୁର: ଗୋଟିଏ ଦିନରେ ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲାରେ ବଜ୍ରପାତ ଯୋଗୁଁ ୩ ଜଣଙ୍କର ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡ଼ା ଗ୍ରାମର ହାଣ୍ଡି ଭତ୍ରା(୩୮) କାମ କରୁଥିବା ବେଳେ ବଜ୍ରପାତର ସମ୍ମୁଖୀନ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ହାଣ୍ଡି ଭତ୍ରାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ସେହିଭଳି କୋଷାଗୁମୁଡ଼ା ବ୍ଲକ ଉକିଆପଲ୍ଲୀ ଗ୍ରାମରେ ଆଜି ବଜ୍ରପାତ ହେବାରୁ ୨ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ଉକିଆପଲ୍ଲି ଗ୍ରାମ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଗୋଟିଏ ବାଇଗଣ ବାଡ଼ିରେ ପଦ୍ମନ ପୂଜାରୀ(୩୫) ଓ ରାମ ଭତ୍ରା(୪୮) କାମ କରୁଥିଲେ। ସନ୍ଧ୍ୟା ସମୟରେ ହଠାତ ପବନ ବହିବା ଓ ବର୍ଷା ହେବା ସହ ଘଡ଼ଘଡ଼ି ମାରିଥିଲା। ବର୍ଷା ଓ ପବନରୁ ରକ୍ଷା ପାଇବା ପାଇଁ ଉଭୟେ ଜମିରେ ଥିବା ଏକ ଅସ୍ଥାୟୀ କୁଡ଼ିଆରେ ଆଶ୍ରୟ ନେଇଥିଲେ। ପ୍ରାୟ ୧୦ ମିନିଟ୍‌ ବର୍ଷା ହେବା ପରେ ବଜ୍ରପାତ ହୋଇଥିଲା। ଫଳରେ କୁଡିଆଟି ଜଳି ଉଠିଥିଲା ଓ ୨ଜଣ ଚାଷୀଙ୍କ ମୃତ୍ୟୁ ହୋଇ ଯାଇଥିଲା।
ଏହି ସବୁ ଘଟଣାକୁ ଅନ୍ୟ କୁଡ଼ିଆରେ ଆଶ୍ରୟ ନେଇଥିବା ସେହି ଗ୍ରାମର ଜଣେ ବୃଦ୍ଧା ସବୁ ଦେଖିଥିଲେ। ବର୍ଷା ଓ ଘଡ଼ଘଡ଼ି ଛାଡ଼ିବା ପରେ ସେ ସମସ୍ତ ଘଟଣା ପରିବାର ଲୋକଙ୍କ କହିବା ପରେ ଗାଁ ଲୋକେ ଘଟଣାସ୍ଥଳକୁ ଆସିଥିଲେ। ପରେ ସେମାନେ ଅଦ୍ଧଦଗ୍ଧ ୨ଟି ମୃତଦେହକୁ ଉଦ୍ଧାର କରିଥିଲେ। ସୂଚନା ପାଇ ବଡଆମ୍ବଡା ଫାଣ୍ଡି ଅଧିକାରୀ ରାମଲାଲ ଦରିଆ ଓ ଷ୍ଟାଫ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ରାତି ହୋଇଯାଇଥିବାରୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର