ନବରଙ୍ଗପୁର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଆଦିବାସୀ ଯୁବତୀ କାର୍ଡ ଖେଳିଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ଜିଲ୍ଲାପରିଷଦ ସଭ୍ୟା ଡ.ଲିପିକା ମାଝୀଙ୍କ ନାଁକୁ ଆଜି ଘୋଷଣା କରିଛନ୍ତି। ତାଙ୍କୁ ମିଶାଇ ୧୪ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ସବୁକୁ ପଛରେ ପକାଇ ଡ.ଲିପିକା ମାଝୀ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ୨ୟ ମହିଳା ସଭାପତି ହୋଇଛନ୍ତି। ତାଙ୍କ ବାପା ଭୁଜବଳ ମାଝୀ ଗତ କିଛି ଦିନ ହେବ ଭାରପ୍ରାପ୍ତ ଜିଲ୍ଲାସଭାପତି ଡିସିସି ଦାୟିତ୍ବରେ ରହିଥିଲେ। ଜିଲ୍ଲାସଭାପତି ଚୟନ ପୂର୍ବରୁ ପିସିସି ଜିଲ୍ଲାର ସଂଗଠନକୁ ସଜାଡ଼ିବା ପାଇଁ ଷ୍ଟିୟରିଂ କମିଟି ଗଠନ କରି କମିଟିକୁ ଦାୟିତ୍ବ ଦେଇଥିଲେ।

Advertisment

ଏଆଇସିସି ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଥିଲା। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ଜିଲ୍ଲା ସଭାପତି ଚୟନ ନିମନ୍ତେ ଆଜି ନାମାଙ୍କନପତ୍ର ଗ୍ରହଣ କରାଯାଇଥିଲା। ଏଥିରେ ୧୪ଜଣ ଆଶାୟୀ ନାମାଙ୍କନପତ୍ର ପର୍ଯ୍ୟବେକ୍ଷକଙ୍କ ନିକଟରେ ଗତ ୨ତାରିଖ ଦିନ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେତେ‌ ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଲେ ମଧ୍ୟ ସମସ୍ତ କର୍ମୀଙ୍କ ମତକୁ ନେଇ ୬ଜଣିଆ ଆଶାୟୀଙ୍କ ତାଲିକା ଏଆଇସିସି ପର୍ଯ୍ୟବେକ୍ଷକ ତେଲେଙ୍ଗାନା  ପ୍ରଦେଶ କଂଗ୍ରେସ୍ କମିଟିର କାର୍ଯ୍ୟକାରୀ ସଭାପତି ଜେଟି କୁସୁମ କୁମାର, ନେଇକି ଏଆଇସିସିରେ ଦାଖଲ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଥିଲେ।।

ଲିପିକାଙ୍କ ବାପା ପୂର୍ବତନ ବିଧାୟକ ଭୁଜବଳ ମାଝୀ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ହୋଇଥିଲେ। ଜିଲ୍ଲା ପରିଷଦ ସଭ୍ୟା ଡ.ଲିପିକା ମାଝୀ ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥିନୀ ହୋଇଥିଲେ। ସେ ୫୬୦୫୬ଖଣ୍ଡ ଭୋଟ ପାଇଥିଲେ। ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମନୋହର ରନ୍ଧାରୀ ତାଙ୍କୁ ୨୧ହଜାର ୪୫୫ଖଣ୍ଡ ଭୋଟରେ ହରାଇଥିଲେ। ଏବେ ପାପାଡ଼ାହାଣ୍ଡି ବ୍ଲକରେ ଜିଲ୍ଲା ପରିଷଦ ସଭ୍ୟ ରୁପେ ଡ.ଲିପିକା ରହିଛନ୍ତି। ଏତେ ସଂଖ୍ୟକ ଆଶାୟୀ ରହିଥିବା ବେଳେ ତାଙ୍କ ବାପାଙ୍କ ସହ ଅନ୍ୟ ୧୨ଜଣ ଆଶାୟୀ ଆଗାମୀ ଦିନରେ ଜିଲ୍ଲା ସଭାପତିଙ୍କୁ କେତେ ଦୂର ସମର୍ଥନ କରିବେ ତାହା ସମୟ କହିବ।

ନାମାଙ୍କନ ପତ୍ର ଆଦିବାସୀ ବର୍ଗରୁ ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ଭୁଜବଳ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଡ.ଲିପିକା ମାଝୀ, ଦିବାକର ପୂଜାରୀ, ଅନୁସୂଚିତ ଜାତି ବର୍ଗରୁ ପୂର୍ବତନ ପିସିସି ସମ୍ପାଦକ କ୍ଷେମରାଜ୍ ବାଘ, ସଂଖ୍ୟାଲଘୁରୁ ଶେଖ୍ ଆକବର ଆଲ୍ଲୀ, ଓବିସିବର୍ଗରୁ ପି ନାଗାରତ୍ନମ, ସଞ୍ଜୀବ ବିଷୋୟୀ, ଏ.ଶିବ ରାମ ରାଜୁ, ଜି ସାଇରାଜୁ, ସାଧାରଣ ବର୍ଗରୁ ପୂର୍ବତନ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଦ୍ବାରିକା ମହାପାତ୍ର, ତୋଫାନ ଷଡଙ୍ଗୀ, ଶ୍ରୀକାନ୍ତ ମିଶ୍ର, ବୃନ୍ଦାବନ ତ୍ରିପାଠୀ ଆଦି ଦାଖଲ କରିଥିଲେ।

Nabarangpur | congress