ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ, ଥାନାରେ ଏତଲା ଦେଇଥିବା ଅଭିଯୋଗକାରୀ ହିଁ ଅଭିଯୁକ୍ତ

ତେନ୍ତୁଳିଖୁଣ୍ଟି : ଗତ ୨୫ ତାରିଖ ଦିନ ଟଙ୍କା ଲୁଟ୍ ହେବା ନେଇଁ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ରହସ୍ୟ ପଛର ପରଦା ଉଠାଇବାରେ ସଫଳ ହୋଇଛି। ତେବେ ଏତଲାକାରୀ ହିଁ ନିଜେ ଅଭିଯୁକ୍ତ ସାଜିଥିବା ପୁଲିସ ଖୋଳତାଡ଼ରୁ ଜାଣିବା ପରେ ପଦକ୍ଷେପ ଗ୍ରହଣ କରିଛି। ଏତଲାକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରମୋଦ ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୫ ତାରିଖ ଦିନ ଅପରାହ୍ନରେ ନବରଙ୍ଗପୁର -ତେନ୍ତୁଳିଖୁଣ୍ଟି ରାସ୍ତାର ନରସିଙ୍ଗଗୁଡ଼ା ଛକ ନିକଟରେ ଚାରିଜଣ ଯୁବକ କେନ୍ଦୁଗୁଡ଼ା ଗ୍ରାମର ଉମାଶଙ୍କର ବିଷୋୟୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହୋଇଥିଲା। ଆଇଆଇସି ଶ୍ରୀ ନାୟକ ଏକ ପୁଲିସ ଟିମ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ ଆରମ୍ଭ କରିଥିଲେ। ଉମା ଶଙ୍କର ମକା ବିକ୍ରୟ ଟଙ୍କା ଆଣିବାକୁ ନବରଙ୍ଗପୁର ନିକଟସ୍ଥ ପଡାଲଗୁଡ଼ା ଗ୍ରାମର ବାଲ୍ୟ ଭଟ୍ଟଙ୍କ ପାଖକୁ ଯାଇଥିଲେ। ଅପରାହ୍ନରେ ଟଙ୍କା ଧରି ଫେରିବା ସମୟରେ ଦୁଇଟି ବାଇକ ଯୋଗେ ଚାରିଜଣ ଯୁବକ ଉମାଙ୍କ ବାଟ ଓଗାଳି ଭୁଜାଲି ଦେଖାଇ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇଛି।

CitySpidey

ପୁଲିସ ଏତଲାକାରୀଙ୍କୁ ବିଭିନ୍ନ ଦିଗରୁ ପଚରାଉଚୁରା କରିବା ସମୟରେ ସବୁ ସତକଥା ଅଭିଯୋଗକାରୀ ମାନି ନେଇଛନ୍ତି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସାହା ମିନାଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଏସଡିପିଓ ଦିନେଶ ନାୟକ, ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ନବରଙ୍ଗପୁର ଆଇଆଇସି ତାରିକ ଅହମଦ ତେନ୍ତୁଳିଖୁଣ୍ଟି ଆଇଆଇସି ପ୍ରମୋଦ ନାୟକ, ଏସ.ଆଇ ପର୍ଶୁରାମ ସାହୁ ପ୍ରମୁଖ ଏହି ଘଟଣାର ତଦନ୍ତ କରି ରହସ୍ୟ ଉନ୍ମୋଚନ କରିଥିଲେ। ଉମାଙ୍କୁ ଜେରା କରିବା ସମୟରେ ସ୍ଥାନ ଓ ସମୟରେ ତାଳମେଳ ଖାଇନଥିଲା। ବିଶେଷ କରି ଫୋନ ଟ୍ରେସିଂରୁ ମିଛ ଏତଲା ପ୍ରଦାନ କରାଯାଇଥିବା ନେଇ ପୁଲିସ ସନ୍ଦେହ କରିଥିଲା। ପୁଲିସ ପକ୍ଷରୁ ବାରମ୍ବାର ପଚରାଉଚୁରା ପରେ ଉମା ଶଙ୍କର ସୁବୁ ସତ କଥା ସବୁ ମାନି ନେଇଥିଲେ। ଉମା ଶଙ୍କର ମକା ବିକ୍ରୟ ଟଙ୍କା ଏକ ଲକ୍ଷ ଟଙ୍କା ଆଣିଥିବା ବେଳେ ନିଜ ବାଇକ ଡିକିରେ ରଖିଥିଲେ। ପରେ ନିଜ ଘରେ ଟଙ୍କା ରଖି ଏଭଳି କାଣ୍ଡ କରିଥିବା ପୁଲିସ ସୂଚନା ଦେଇଛି। ପୁଲିସ ଉମା ଶଙ୍କରଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୧୫/୨୧ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ.ଆଇ ସସ୍ମିତା ପୂଜାରୀ କେଶର ତଦନ୍ତ କରୁଛନ୍ତି । ତେବେ ମିଥ୍ୟା ଅଭିଯୋଗ ତଥା ପୁଲିସକୁ ବିଭ୍ରାନ୍ତି କରିବା ଅଭିଯୋଗରେ ଉମା ଶଙ୍କରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର