ଚନ୍ଦାହାଣ୍ଡି: ପ୍ରେମ କାହା ପାଇଁ କ୍ଷଣସ୍ଥାୟୀ ଆନନ୍ଦ ତ ପୁଣି କାହାର ପଣତ କାନିରେ ଛନ୍ଦି ହୋଇଯାଏ ସାରା ଜୀବନ। ତେବେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ଏଭଳି ଏକ ନିଛକ ପ୍ରେମ କାହାଣୀ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଜଣ ଦିବ୍ୟାଙ୍ଗ ପରସ୍ପରକୁ ଏତେ ନିବିଡ ମାତ୍ରାରେ ଭଲ ପାଇ ବସିଲେ ଯେ ଉଭୟେ ଉଭୟଙ୍କୁ ଶେଷରେ ଜୀବନସାଥି ଭାବେ ସବୁ ଦିନ ଲାଗି ବାଛିନେଲେ।
ଘଟଣାରୁ ପ୍ରକାଶ ଯେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କୋଇଲି ମୁଣ୍ଡା ଗ୍ରାମର ବଳରାମ ସେଠିଙ୍କ ପୁଅ ରାଜେଶ କୁମାର ସେଠୀ (ରାଜା) ଜନ୍ମରୁ ଅଷ୍ଟମ ଶ୍ରେଣୀ ପଢ଼ିବା ପର୍ଯ୍ୟନ୍ତ ପୂରା ଠିକ୍ ଥିଲେ। ଏଭଳି କି ବିଦ୍ୟାଳୟ ରେ ଭଲ ପାଠ ପଢିବା ସହ ଖେଳ କୁଦ ସବୁଥିରେ ଭଲ ପ୍ରଦର୍ଶନ କରି ଶିକ୍ଷକ ଶିକ୍ଷୟତ୍ରୀ ଓ ଶୁଭେଚ୍ଛୁଙ୍କ ପ୍ରିୟ ଭାଜନ ହୋଇଥିଲେ। ଦିନେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ କ୍ରିକେଟ ଖେଳୁ ଥିବା ବେଳେ ହଠାତ୍ ପଡି ଯିବାରୁ ସବୁଦିନ ଲାଗି ରାଜା ଦୃଷ୍ଟି ଶକ୍ତି ହରାଇ ବସିଲେ। ପରିବାର ଲୋକେ ବହୁ ଦୂରଦୂରାନ୍ତର ସ୍ଥାନକୁ ନେଇ ରାଜାଙ୍କ ଦୃଷ୍ଟି ଶକ୍ତି ଫେରାଇ ଆଣିବା ଲାଗି ବହୁ ଚେଷ୍ଟା କଲେ। ହେଲେ କିଛି ବି ଫଳ ହେଲାନି। ଶେଷରେ ଭଲ ପାଠ ପଢୁଥିବା ରାଜାଙ୍କ ପାଠ ପଢାରେ ଡୋରି ବନ୍ଧା ହେଲା।
କିଛି ଦିନ ପରେ ରାଜାଙ୍କୁ ପୁଣି ଥରେ ପଢ଼ାଇବାକୁ ଘର ଲୋକେ ସୁଦୂର ପୁରୀ ଜିଲ୍ଲାର ନିମାପଡ଼ା ସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ତାଙ୍କର ଦେଖା ହେଲା ଜଣେ ଦିବ୍ୟାଙ୍ଗ ଛାତ୍ରୀ ତଥା ସହପାଠୀନି ସୁନୀତାଙ୍କ ସହ। ସୁନୀତା ହେଉଛନ୍ତୀ ମୟୂରଭଞ୍ଜ ଜିଲ୍ଲାର ଡଳସୋରା ତାଙ୍ଗରଯୋଡ଼ା ଗ୍ରାମର ରାସ ମୁଣ୍ଡକାଟି ଲୋହାରଙ୍କ ଝିଅ। ପିଲାଟି ଦିନରୁ ଦୃଷ୍ଟି ଶକ୍ତି ନଥିବାରୁ ସେ ମଧ୍ୟ ନିମାପଡ଼ାସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟରେ ଅଧ୍ୟୟନ କରିଆସୁଥିଲେ । ଇତିମଧ୍ୟରେରେ ପ୍ରଥମେ ବନ୍ଧୁତ୍ୱ, ତାପରେ ପ୍ରେମ ଏଭଳି ନିବିଡ଼ ହେଲା ଯେ ଉଭୟେ ଉଭୟଙ୍କୁ ସବୁ ଦିନ ଲାଗି ଜୀବନ ସାଥୀ ଭାବେ ବାଛି ନେବାକୁ ନିଷ୍ପତି ନେଲେ।
ପରିବାର ଲୋକଙ୍କ ଭୟରେ ସୁନୀତା ପ୍ରଥମେ ପ୍ରଥମେ ଏ ସବୁ ବିଷୟ ରେ କହିବାକୁ ଭୟ କରୁଥିଲେ। ପରେ ରାଜା ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଘର ଲୋକଙ୍କୁ କହିବାରୁ ଘର ଲୋକେ ମଧ୍ୟ ରାଜା ଓ ସୁନୀତାଙ୍କ ପ୍ରେମକୁ ସ୍ଵୀକୃତି ଦେଇ ଉଭୟଙ୍କୁ ପ୍ରେମ ବିବାହ କରିବାକୁ ସହମତି ଦେବା ସହ ଚନ୍ଦାହାଣ୍ଡି ପୁବ୍ଲିକ ରାଇଟସ୍ ଲିଗାଲସେଲ୍ କୁ ଯୋଗାଯୋଗ କରିଥିଲେ । ଖବର ପାଇ ଲିଗାଲ ସେଲ୍ ସଭାପତି କ୍ଷେମ ରାଜ୍ ବାଘ ଉଭୟଙ୍କୁ ପ୍ରେମ ବିବାହ କରିବାକୁ ସହଯୋଗ କରିଥିଲେ। ଏହି ପ୍ରେମ ବିବାହ ସମୟରେ ଲିଗାଲ ସେଲ୍ ସମ୍ପାଦକ ହୁମେଶ୍ଵର୍ ହଂସ ଗିରିଧାରୀ ମଲ୍ଲିକ, ବଳରାମ ସେଠୀ, ନୟନା ମଲ୍ଲିକ, ହର ଦାସଙ୍କ ସମେତ ଉଭୟଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/42f31cf8-7771-440d-a578-012c51d344b5-1.jpg)
