ପାଗଳା କୁକୁରର ଆତଙ୍କ: ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା

ଝରିଗାଁ: ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ସେବାଶ୍ରମରେ ଗୋଟିଏ ପାଗଳା କୁକୁର ଆତଙ୍କ ସୃଷ୍ଟି କରିଥିଲା। ପାଙ୍କ ବାଟ ଦେଇ ସ୍କୁଲ ଭିତରକୁ ପଶି ଆସିଥିବା ଏହି ପାଗଳା କୁକୁର କିଛି ସମୟ ପାଇଁ ପୂରା ସେବାଶ୍ରମକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିବା ବେଳେ ଆଖି ସାମ୍ନାରେ ଯାହାକୁ ଦେଖିଲା ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା। ବିଦ୍ୟାଳୟର ୪ଜଣ ଛାତ୍ରଙ୍କ ସହ ଜଣେ ଶିକ୍ଷୟିତ୍ରୀ ଏବଂ ରୋଷେୟାଙ୍କୁ କାମୁଡ଼ିଥିବା ସୂଚନା ମିଳିଛି।
ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ବିଦ୍ୟାଳୟ ଖୋଲିବାର କିଛି ସମୟ ପରେ ବାହାରେ ବୁଲୁଥିବା ଗୋଟିଏ ପାଗଳା କୁକୁର ବାରମ୍ବାର ସ୍କୁଲ ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲା। ଶେଷରେ ମୁଖ୍ୟ ଫାଟକ ତଳେ ଥିବା ପାଙ୍କରେ ପଶି ସ୍କୁଲ ପରିସରରେ ପଶି ଯାଇଥିଲା। ଏହାପରେ ଘୋଡ଼ାଇବା ପାଇଁ ଉଦ୍ୟମ କରାଯିବାରୁ ଅଧିକ ହିଂସ୍ର ହୋଇ ଯାହାକୁ ପାଇଲା କାମୁଡ଼ିଲା। ଛାତ୍ର କାର୍ତିକ ସାନ୍ତା, ସନ୍ତୋଷ ବେଶ୍ରା, ଆଶାୟୁ ନାୟକ ଓ ତୁଳାରାମ ଭତ୍ରା ପ୍ରମୁଖଙ୍କୁ କାମୁଡ଼ିଥିବା ଜଣାପଡ଼ିଛି। ସେହିପରି ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଝରଣା କର ଏବଂ ରୋଷେୟା ନରସିଂହ ପାଳଙ୍କୁ ବି କାମୁଡ଼ିଥିଲା। ବାଧ୍ୟ ହୋଇ ସ୍ଥାନୀୟ ଲୋକ କୁକୁରକୁ ପିଟି ପିଟି ମାରି ଦେଇଥିଲେ। ଏହାପରେ ବିଦ୍ୟାଳୟ ପକ୍ଷରୁ ଦିବ୍ୟ ରଞ୍ଜନ ସାହୁ, ସୀମାଞ୍ଚଳ ନାୟକ, ସରୋଜିନୀ ସାହୁ ପ୍ରମୁଖ ୪ଛାତ୍ରଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର