ଜମିଜମା ବିବାଦ: ଭାଇର ଠେଙ୍ଗା ମାଡରେ ବଡଭାଇ ମୃତ

୧୦ଦିନ ପରେ ଶ୍ମଶାନରୁ ଶବ ଉଦ୍ଧାର

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମହଣ୍ଡି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ନିଜ ବଡଭାଇକୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାର ୧୦ଦିନ ପରେ ମାଟି ତଳେ ପୋତା ଯାଇଥିବା ଶବକୁ ପୁଲିସ ଉଦ୍ଧାର କରିଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ମହଣ୍ଡି ଗ୍ରାମର କଟିକି ଗଣ୍ଡଙ୍କ ପୁଅ ଶ୍ରୀପତି ଗଣ୍ଡଙ୍କୁ ତାଙ୍କ ବଡବାପା ହୀରାବନ୍ଧୁ ଗଣ୍ଡ ୫ବର୍ଷ ତଳେ କିଛି ଜମି ପ୍ରଦାନ କରିଥିଲେ। ଶ୍ରୀପତି ଗଣ୍ଡ ୨ବର୍ଷ ଧରି ଏହି ଜମିରେ ଚାଷ କରିଥିଲେ। ତେବେ ୩ବର୍ଷ ତଳେ ହୀରାବନ୍ଧୁଙ୍କ ପୁଅ ମନ ଗଣ୍ଡ ଜୋରଜବରଦସ୍ତ ଶ୍ରୀପତିଙ୍କ ଠାରୁ ଏହି ଜମି ଛଡାଇ ନେଇ ନିଜେ ଚାଷ କରୁଥିଲେ। ଏହାକୁ କେନ୍ଦ୍ର କରି ଶ୍ରୀପତି ଓ ମନଙ୍କ ମଧ୍ୟରେ ମନମାଳିନ୍ୟ ରହିଥିଲା। ଶେଷରେ ଗତ ୧୯ତାରିଖରେ ଜମିଜମା ବିବାଦକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ମନ ଏକ ଠେଙ୍ଗା ଦ୍ୱାରା ଶ୍ରୀପତିଙ୍କୁ ଆକ୍ରମଣ କରିଥିଲା। ଠେଙ୍ଗା ମାଡରେ ଗୁରୁତର ମନ ରାତିସାରା ଘରେ ରହିଥିଲେ।

ଖବର ପାଇ ସକାଳେ ଶ୍ରୀପତିଙ୍କ ଭିଣୋଇ କୁମ ଗଉଡ ଗାଁରେ ପହଞ୍ଚି ଚିକିତ୍ସା ନିମନ୍ତେ ଶ୍ରୀପତିଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିଲେ। ତେବେ ରାସ୍ତାରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ଜାଣିବା ପରେ ମନ ଗଣ୍ଡ, ଯାଦବ ଗଣ୍ଡ, ମାଧବ ଗଣ୍ଡ, ଧନେଶ୍ୱର ଗଣ୍ଡ, ଫଗୁନୁ ଗଣ୍ଡ ପ୍ରମୁଖ ମୃତ ଶ୍ରୀପତିଙ୍କ ଭିଣୋଇଙ୍କ ନିକଟରେ ପହଞ୍ଚି ଘଟଣା ସଂପର୍କରେ କାହାରିକୁ ନକହିଲେ ୫୦ହଜାର ଟଙ୍କା ଦିଆଯିବ ବୋଲି କହିଥିବା ଶ୍ରୀପତିଙ୍କ ମା’ କଟିକି ଥାନାରେ ଆଜି ଏତଲା ଦେଇଥିଲେ।

ଅଭିଯୋଗ ପାଇବା ପରେ ଆଜି ଝରିଗାଁ ପୁଲିସ ଗାଁ ଶ୍ମଶାନରେ ପହଞ୍ଚି ପୋତା ହୋଇଥିବା ଶ୍ରୀପତିଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଥିଲେ। ଶବ ବ୍ୟବଚ୍ଛେଦ ସମୟରେ ଅତିରିକ୍ତ ତହସିଲଦାର ବାବୁଲାଲ ସାମଲ ଉପସ୍ଥିତ ଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ମନ ଗଣ୍ଡକୁ ଥାନାକୁ ଆଣି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର