ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଏଫ୍ଏକ୍ୟୁ ଧାନ ନ ଥିବାରୁ ଖରିଫ ମଣ୍ଡି ଆରମ୍ଭ ହୋଇ କି ଏକ ସପ୍ତାହ ହୋଇ ଥିଲେ ସୁଧା ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକେନ ପାଇ ଥିବା ଚାଷୀଙ୍କ ଠାରୁ କିଲେ ମଧ୍ୟ ଧାନ କିଣି ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷl କେବଳ ନଡ଼ିଆ ଭଙ୍ଗାରେ ଚାଲିଛି ଚନ୍ଦାହାଣ୍ଡି ବ୍ଲକର ୬ଟି ଧାନ ମଣ୍ଡିl ଏହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଧାନ ବିକ୍ରୟକୁ ନେଇ ଚଡ଼କ ପଡ଼ିବା ସଦୃଶ ହୋଇଛି। ଚାଷ ପାଇଁ ଆଣିଥିବ ଋଣ ଟଙ୍କା କିପରି ପରିଶୋଧ କରିବ ଏହାକୁ ନେଇ ଘୋର ଚିନ୍ତାରେ ଚାଷୀl
ସୂଚନା ମୁତାବିକ ଚାଷୀଙ୍କ ଖରିଫ ଧାନ ବିକ୍ରୟ ପାଇଁ ଚନ୍ଦାହାଣ୍ଡି ବ୍ଲକରେ ସରଧାପୁର, ଚନ୍ଦାହାଣ୍ଡି, କୋଇଲିମୁଣ୍ଡା, ଧୋଡ଼ିପାଣି, ପୂଜାରୀଗୁଡା, ଏବଂ ଚିଲିଗାଁ ଠାରେ ମଣ୍ଡି ଖୋଲାଯାଇଛିl ଗତ ୧୦ ତାରିଖ ଦିନ ମଣ୍ଡି ଉଦଘାଟନରେ ଚାଷୀଙ୍କ ଠାରୁ କୌଣସି ଧାନ କିଣା ନ ଯାଇ କେବଳ ନଡ଼ିଆ ଭଙ୍ଗାରେ ସୀମିତ ରହିଥିଲା। ନିୟମ ମୁତାବିକ ପ୍ରଥମ ଦିନ ମଙ୍ଗଳବାର ହୋଇ ଥିବାରୁ ପୂଜାରୀଗୁଡ଼ା ମଣ୍ଡିରେ ଚାଷୀଙ୍କ ଧାନ କିଣିବା ନିୟମ ରହିଥିଲାl ଏଥିରେ ୭୭ ଜଣ ଚାଷୀଙ୍କୁ ମିଳିଥିଲା ଟୋକେନ। ୧୧ ତାରିଖ ଚନ୍ଦାହାଣ୍ଡି ମଣ୍ଡିରେ ଧାନ ବିକ୍ରୟ ପାଇଁ ୬୦ ଜଣ ଚାଷୀ ଟୋକେନ ପାଇ ଥିଲେ ମଧ୍ୟ ସେମାନଙ୍କ ଠାରୁ ଧାନ କିଣା ଯାଇ ନ ଥିଲାl
ସେହିପରି ୧୩ ତାରିଖ ସରଧାପୁର ମଣ୍ଡିରେ ଧାନ ବିକ୍ରୟ ପାଇଁ ୬୫ ଜଣ ଚାଷୀଙ୍କୁ ମିଳିଥିଲା ଟୋକେନl ଚାଷୀଙ୍କ ଠାରୁ ମଣ୍ଡି କର୍ତ୍ତୃପକ୍ଷ ଧାନ କିଣିବା ଦୂରର କଥା ମଣ୍ଡି ପଡ଼ିଆକୁ ଯାଇ ନ ଥିଲାl ଫଳରେ ଟୋକେନ ପାଇ ଥିବା ଚାଷୀ ନିରାଶ ହୋଇ ଥିଲେl କୋଇଲିମୁଣ୍ଡା ମଣ୍ଡିରେ ଧାନ ବିକ୍ରୟ ପାଇଁ ୮୧ ଜଣ ଚାଷୀଙ୍କୁ ଟୋକେନ ଦିଆଯାଇ ଥିବା ସତ୍ୱେ ମଣ୍ଡିରେ କୌଣସି ଚାଷୀଙ୍କ ଠାରୁ କିଲେ ଏ ମଧ୍ୟ ଧାନ କିଣା ଯାଇ ନ ଥିଲାl ଚିଲିଗାଁ ମଣ୍ଡିରେ ୧୫ ଜଣ ଚାଷୀ ଟୋକେନ ପାଇ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣି ଥିଲେl
ସମସ୍ତ ଚାଷୀଙ୍କ ଧାନ ଏଫ୍ଏକ୍ୟୁ ମାନର ହୋଇ ନ ଥିବାରୁ ମିଲର କିଣିବାକୁ ମନା କରିବାରୁ ୧୫ ଜଣ ଚାଷୀ ୧୬୦୦ ବ୍ୟାଗ ଧାନ ମଣ୍ଡିରେ ପକାଇଛନ୍ତିl ଆଜି ମଧ୍ୟ ପୂଜାରୀଗୁଡ଼ା ମଣ୍ଡିରେ ଏଫ୍ଏକ୍ୟୁ ମାନ କହି ଧାନ ନ କିଣିବାରୁ ଚାଷୀ ୨୨୦୦ ବ୍ୟାଗ୍ ଧାନ ମଣ୍ଡିରେ ପକାଇ ଦେଇଛନ୍ତିl ଏ ସମ୍ପର୍କରେ ଲ୍ୟାମ୍ପ ଏମ୍ଡି ବାବୁଲା ସ୍ୱାଇଁ ଏବଂ ଯୋଗାଣ ନିରୀକ୍ଷକ, ପୃଥ୍ୱୀରାଜ ମେହେରଙ୍କୁ ପଚାରିବାରୁ ଚନ୍ଦାହାଣ୍ଡି ବ୍ଲକ ଚାଷୀଙ୍କ ନିର୍ଦ୍ଧାରିତ ୧୭% ମୋଶ୍ଚର ଥିବା ବେଳେ ରହିଛି ୧୪.୧%, ମାଟି ୧% ନିର୍ଦ୍ଧାରିତ ରହି ଥିବା ବେଳେ ରହିଛି 0% କୁଟା, କାଠି ୧% ମଧ୍ୟରୁ ରହିଛି ୦.୧%, ରଙ୍ଗହୀନ ୫% ରହି ଥିବା ବେଳେ ରହିଛି ୧୦.୪%, ଅପ୍ରିପକ୍ୟୁ ୬.୩ % ରହି ଥିବା ବେଳେ ରହିଛି ୬.୬୪ ପ୍ରତିଶତl ଯାହାଫଳରେ ଏଫ୍ଏକ୍ୟୁମାନର ଧାନ ହୋଇ ପାରୁନିl